ଭୁବନେଶ୍ୱର : କୋଭିଡ୍-୧୯ ସମୟରେ ଶ୍ରେଣୀଗୃହ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ଇ-ଲେକ୍ଚର ଉପଯୋଗୀ ସାବ୍ୟସ୍ତ ହେବ। ଏହାଦ୍ବାରା ରାଜ୍ୟର ସ୍ନାତକ(ୟୁଜି) ଛାତ୍ରଛାତ୍ରୀ ବହୁ ପରିମାଣରେ ଉପକୃତ ହୋଇ ପାରିବେ ଏବଂ ଶିକ୍ଷାଦାନ ପଦ୍ଧତି ଅଧିକ ସୁଦୃଢ଼ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।
କୃଷିଭବନଠାରେ ଆଜି ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଇ-ଲେକଚରକୁ ଲୋକାର୍ପଣ କରି ଶ୍ରୀ ସାହୁ କହିଲେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ଅନ୍ତର୍ଗତ ଭର୍ଚୁଆଲ ଟ୍ୟୁଟୋରିଆଲ୍ ପ୍ରକଳ୍ପ ୨୦୧୭ରେ ଆରମ୍ଭ ହୋଇଥିଲା। ୫ କୋଟି ଟଙ୍କାର ଏହି ପ୍ରକଳ୍ପରେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରିଥିଲେ। ୟୁଜି ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଇ-ଲେକ୍ଚର ପ୍ରସ୍ତୁତ କରିବା ନିମନ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୂର ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ(ଡିଡିସିଇ)ଠାରେ ଏକ ଉତ୍ସର୍ଗୀକୃତ ଷ୍ଟୁଡିଓ ନିର୍ମାଣ କରାଯାଇଛି। ଏନ୍ଆଇସି ଦ୍ୱାରା ବିକଶିତ ହୋଇଥିବା ଏକ ସ୍ୱତନ୍ତ୍ର ପୋର୍ଟାଲ ‘https://vtputkal.odisha.gov.in’ ରେ ପ୍ରସ୍ତୁତ ଇ-ଲେକ୍ଚରଗୁଡ଼ିକ ଏଥିରେ ସ୍ଥାନିତ ହୋଇଛି। ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଆଜିଠାରୁ ଏହି ନିଶୁଳ୍କ ଇ-ଲେକ୍ଚରଗୁଡ଼ିକୁ ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଓ ଦ୍ୱିତୀୟ ସେମିଷ୍ଟରର ୧୧ଟି ବିଷୟ ଯଥା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନୋବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର୍ ପେପରର ଇ-ଲେକ୍ଚର ପ୍ରସ୍ତୁତ କରାଯାଇ ପୋର୍ଟାଲରେ ଅପ୍ଲୋଡ଼୍ କରାଯାଇଛି। ବାକି ସେମିଷ୍ଟରର ଏହି ୧୧ଟି ବିଷୟରେ ଇ-ଲେକ୍ଚର ଯଥା ସମୟରେ ଅପ୍ଲୋଡ୍ କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟ ବିଷୟଗୁଡ଼ିକର ଇ-ଲେକ୍ଚର ପ୍ରସ୍ତୁତ କରାଯିବ।
ଲୋକାର୍ପଣ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଆଶୋକ କୁମାର ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/e-lecture.jpg)