ଗାନ୍ଧୀ ଜୟନ୍ତୀରୁ ଇ-ମଷ୍ଟର୍‌ରୋଲ୍‌: ପ୍ରଥମ ପର୍ଯ୍ୟାୟରେ ୫ଟି ବିଭାଗରେ ଲାଗୁ ହେବ

ଶ୍ରମିକଙ୍କ ମଜୁରି ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ, ୧୦ କୋଟିରୁ ଅଧିକ ପ୍ରକଳ୍ପରେ କାର୍ଯ୍ୟକାରୀ ହେବ

ଭୁବନେଶ୍ବର: ସ୍ବଚ୍ଛତା ଆଣିବା ତଥା ଅନିୟମିତତା ରୋକିବା ପାଇଁ ରାଜ୍ୟ ସରକାର ଇ-ମଷ୍ଟର୍‌ରୋଲ୍‌ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଏହା ୫ଟି ବିଭାଗରେ କାର୍ଯ୍ୟକାରୀ ହେବ। ଏହି ବିଭାଗଗୁଡ଼ିକ ହେଲା ପୂର୍ତ୍ତ, ଜଳସମ୍ପଦ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ନଗର ଉନ୍ନୟନ। ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପରେ ଇ-ମଷ୍ଟର୍‌ରୋଲ୍‌ କାର୍ଯ୍ୟକାରୀ ହେବ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପୂର୍ତ୍ତ ବିଭାଗକୁ ନୋଡାଲ୍‌ ବିଭାଗ ଭାବେ ବଛାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂରେ ୫-ଟି ଚାର୍ଟର୍‌ର ସମୀକ୍ଷା କରିଥିଲେ। ଏଥିରେ ଇ-ମଷ୍ଟର୍‌ରୋଲ୍‌କୁ ଗାନ୍ଧୀ ଜୟନ୍ତୀରୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ। ଉତ୍ତମ ଜ୍ଞାନକୌଶଳ ଓ ଆଇନର ପରିଧି ମଧ୍ୟରେ ଇ-ମଷ୍ଟର୍‌ରୋଲ୍‌ ରହିବ। ଏହା ଦ୍ବାରା ପ୍ରକଳ୍ପ କାର୍ଯ୍ୟକାରିତାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ସୁନିଶ୍ଚିତ କରାଯାଇପାରିବ। ବ୍ୟବସ୍ଥାର ସଫଳ ରୂପାୟନ ଓ ଖିଲାପକାରୀଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କର୍ମଚାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ସେମାନଙ୍କ ଦକ୍ଷତା ବୃଦ୍ଧି ଏବଂ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ୨୦୨୧ ଜାନୁଆରି ୧ ତାରିଖ ସୁଦ୍ଧା ସବୁ ବିଭାଗ ଇ-ମଷ୍ଟର୍‌ରୋଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଇ-ମଷ୍ଟର୍‌ରୋଲ୍‌ ବ୍ୟବସ୍ଥାରେ ଶ୍ରମିକଙ୍କ ମଜୁରି ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ। ଏହା ଦ୍ବାରା ସର୍ବନିମ୍ନ ମଜୁରି ପ୍ରଦାନ ଉପରେ କଡ଼ା ନଜର ରଖାଯାଇପାରିବ। ଏହା ବାଦ୍ ଇଏସ୍‌ଆଇ ଓ ଇପିଏଫ୍‌ ଠିକ୍ ସମୟରେ ଦାଖଲ ହୋଇଛି କି ନାହିଁ, ତାହାକୁ ତଦାରଖ କରାଯାଇପାରିବ। ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ୫-ଟି ସଚିବଙ୍କ ସମେତ ବିଭାଗୀୟ ସଚିବମା‌ନେ ଉପସ୍ଥିତ ଥି‌ଲେ।

ସମ୍ବନ୍ଧିତ ଖବର