ଇ-ରେଜିଷ୍ଟ୍ରେସନ୍‌ରେ ଘରୋଇ ସଂସ୍ଥା ପ୍ରୀତି  

ଆରଟିଆଇରେ ପରସ୍ପର ବିରୋଧୀ ତଥ୍ୟ

କଟକ : ଜମିଜମା ଇ-ରେଜିଷ୍ଟ୍ରେସନ୍‌ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ମିଳିଥିବା ତଥ୍ୟ ଏବେ ସଂପୂର୍ଣ୍ଣ ପ୍ରକ୍ରିୟାକୁ ସନ୍ଦେହଜନକ ତଥା ବିବାଦୀୟ କରିଛି। ରାଜ୍ୟ ସରକାର ଯେଉଁ ଘରୋଇ ସଂସ୍ଥା ସହ ଚୁକ୍ତି କରିଥିବା ବାବଦରେ ୨୦୧୫ରେ ଆରଟିଆଇରେ ତଥ୍ୟ ଦେଇଥିଲେ, ସେଭଳି କୌଣସି ସଂସ୍ଥା ସହ ଚୁକ୍ତି ହୋଇନାହିଁ ବୋଲି ୨୦୧୭ରେ ଲୋଡ଼ାଯାଇଥିବା ଆରଟିଆଇ ତଥ୍ୟରେ ଉଲ୍ଲେଖ କରାଯାଇଛି। ସଂପୃକ୍ତ ସଂସ୍ଥାର ଆର୍ଥିକ ହେରଫେର ସଂକ୍ରାନ୍ତରେ ସିଏଜିଙ୍କ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ଆରଟିଆଇରେ ଦିଆଯାଇଥିବା ପରସ୍ପର ବିରୋଧୀ ତଥ୍ୟର ଉଦ୍ଦେଶ୍ୟକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ସୂଚନା ଅନୁଯାୟୀ ୨୦୦୯, ଡିସେମ୍ବର ୨୬ ତାରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ, ଓକାକ୍‌ ଏବଂ ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ସର୍ଭିସ୍‌ ଲିମିଟେଡ୍‌ (ଓଇଏସ୍‌ଏଲ୍‌) ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଜମିଜମା ରେଜିଷ୍ଟ୍ରେସନ୍‌ ପାଇଁ ହୋଇଥିବା ଉକ୍ତ ଚୁକ୍ତିରେ ଓଇଏସ୍‌ଏଲ୍‌କୁ ଓକାକ୍‌ ଓ ଆଇଏଲ୍‌ଏଫ୍‌ଏସ୍‌ କଂପାନିର ମିଳିତ ସହଯୋଗରେ ଗଠନ ହୋଇଥିବା ସଂସ୍ଥା ଭାବେ ଉଲ୍ଲେଖ କରାଯାଇଥିଲା। ୨୦୧୫, ନଭେମ୍ବର ୨୭ ତାରିଖରେ ଚିତ୍ତରଂଜନ ସ୍ୱାଇଁ ସୂଚନା ଅଧିକାରରେ ବୋର୍ଡ ଅଫ୍‌ ରେଭିନ୍ୟୁକୁ ଇ-ରେଜିଷ୍ଟ୍ରେସନ୍‌ ବାବଦରେ କିଛି ତଥ୍ୟ ଲୋଡ଼ିଥିଲେ। ସେତେବେଳେ ଦିଆଯାଇଥିବା ଜବାବରେ ଦର୍ଶଯାଇଥିଲା ଯେ, ରାଜ୍ୟରେ ମୋଟ ୧୮୬ଟି ରେଜିଷ୍ଟ୍ରେସନ୍‌ ଅଫିସ୍‌ ଥିବାବେଳେ ୨୦୧୦ ମସିହାରୁ ଇ-ରେଜିଷ୍ଟ୍ରେସନ୍‌ ଆରମ୍ଭ ହୋଇଥିଲା। ଓଡ଼ିଶା ସରକାର ଆଇଏଲ୍‌ଏଫ୍‌ଏସ୍‌ ସହିତ ଇ-ରେଜିଷ୍ଟ୍ରେସନ୍‌ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। କିନ୍ତୁ ଶ୍ରୀ ସ୍ୱାଇଁ ୨୦୧୭, ଜୁନ୍‌ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆରଟିଆଇରେ ଯେଉଁ ତଥ୍ୟ ଲୋଡ଼ି ଥିଲେ, ସେଥିରେ ଉତ୍ତର ମିଳିଛି ଯେ ଆଇଏଲ୍‌ଏଫ୍‌ଏସ୍‌ ଭଳିି କୌଣସି ସଂସ୍ଥା ସହିତ ରାଜ୍ୟ ସରକାରଙ୍କ ଚୁକ୍ତି ହୋଇନାହିଁ। ଓଇଏସ୍‌ଏଲ୍‌ କଂପାନି ସହିତ ରାଜ୍ୟ ସରକାରଙ୍କ ପୂର୍ବରୁ ଚୁକ୍ତି ହୋଇଥିଲା ବେଳେ ତାହା ବାତିଲ ହୋଇଯାଇଛି। କିନ୍ତୁ ଜୁଲାଇ ୧ ତାରିଖରେ ହୋଇଥିବା ଖୋଲା ଟେଣ୍ଡରରେ ଆଇଏଲ୍‌ଏଫ୍‌ଏସ୍‌ କଂପାନି ଏଲ୍‌-୧ ରହିବାରୁ ତାହାକୁ ସରକାର ଇ-ରେଜିଷ୍ଟ୍ରେସନ୍‌ ପାଇଁ ଅନୁମତି ଦିଆଯାଇଛି ବୋଲି ଆରଟିଆଇରେ ସୂଚନା (୨୦୧୭, ଜୁଲାଇ ୧୯) ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ। ଆଇଏଲ୍‌ଏଫ୍‌ଏସ୍‌ ସଂପର୍କରେ ସିଏଜି ରିପୋର୍ଟରେ ପ୍ରତିକୂଳ ମନ୍ତବ୍ୟ ରହିଛି। ସରକାରଙ୍କ ସହ ହୋଇଥିବା ୨୦୦୯ର ଚୁକ୍ତି ଅନୁଯାୟୀ ଇ-ରେଜିଷ୍ଟ୍ରେସନ୍‌ରୁ ଆଦାୟ ୟୁଜର୍ସ ଫି’ର ୯୦ ପ୍ରତିଶତ ଅର୍ଥ ସଂପୃକ୍ତ ସଂସ୍ଥା ନେବାକୁ ଥିବାବେଳେ ଅନ୍ୟ ୧୦ ପ୍ରତିଶତ ସରକାରଙ୍କ ଖାତାକୁ ଯିବ। ଉକ୍ତ ୯୦ ପ୍ରତିଶତ ମଧ୍ୟରୁ ଏହି କଂପାନି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ବ୍ୟୟ କରିବ। ହେଲେ ଚୁକ୍ତି ଅନୁଯାୟୀ କାର୍ଯ୍ୟ ହେବା ପରିବର୍ତ୍ତେ ଓଲଟା ସରକାରଙ୍କ ପାଣ୍ଠିରୁ ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଗଲା। ସିଏଜି ରିପୋର୍ଟରେ ଏ ସଂପର୍କରେ ଉଲ୍ଲେଖ ରହିଛି। ସିଏଜି ରିପୋର୍ଟ ଅନୁଯାୟୀ ସରକାର ୬୮ ପ୍ରତିଶତ ଓ ଉକ୍ତ କମ୍ପାନୀ ୩୨ ପ୍ରତିଶତ ଅର୍ଥ ପ୍ରକଳ୍ପ ପାଇଁ ବ୍ୟୟ କରିଛନ୍ତି। ଲିଗାସି ଡାଟା ବାବଦ ଅର୍ଥ ମିଶାଇଲେ ସରକାର ୭୭ ପ୍ରତିଶତ ଓ କଂପାନି ୨୩ ପ୍ରତିଶତ ଅର୍ଥ ବ୍ୟୟ କରିଥିବା କୁହାଯାଇଛି। ଉକ୍ତ କଂପାନି ୨୦୧୦ରୁ ୨୦୧୭ ମସିହା ମଧ୍ୟରେ ପାଖାପାଖି ୪୦କୋଟି ଟଙ୍କା ୟୁଜର୍ସ ଫି’ ବାବଦକୁ ନେଇଛି। ତେଣୁ ସରକାର ପୁରୁଣା ରେକର୍ଡ ଯାଞ୍ଚ ନକରି ଗୋଟିଏ ଘରୋଇ ସଂସ୍ଥାକୁ ପୁଣି ଇ-ରେଜିଷ୍ଟ୍ରେସନ୍‌ ପାଇଁ ସୁଯୋଗ ଦେବା ଏବଂ ପରବର୍ତ୍ତୀ ସମୟରେ ସଂସ୍ଥା ସଂପର୍କରେ ଆରଟିଆଇରେ ଭୁଲ୍‌ ତଥ୍ୟ ଦେବା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର