ପୁରୀ : ଓଡ଼ିଶାର ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଦକ୍ଷ ହେବେ। ବର୍ତମାନର ହାଇ ଟେକ୍ନୋଲୋଜି ସହ ତାଳ ଦେଇ ଚାଲିବେ। ପାଠପଢ଼ା ସହ କମ୍ପ୍ୟୁଟର ଶିକ୍ଷାର ମୂଳଦୁଆ ପକାଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଢ଼ା ହେବ। ଏମିତି କିଛି ମହତ୍ ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିସନ୍ ଅଧୀନରେ ଆରମ୍ଭ ହୋଇଥିଲା ‘ଇ-ବିଦ୍ୟାଳୟ ଯୋଜନା’। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ହଜାର ସରକାରୀ ବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଏହି ସୁବିଧା ଉପଲବ୍ଧ ହୋଇଥିବା ବେଳେ ପୁରୀ ଜିଲ୍ଲାର ୧୭୦ଟି ସରକାରୀ ବିଦ୍ୟାଳୟରେ କାର୍ଯ୍ୟକାରୀ ହୋଇଥିଲା ଏହି ଯୋଜନା। ଶିକ୍ଷାଦାନ ପାଇଁ ୧୭୦ ଜଣ ସ୍ବତନ୍ତ୍ର କମ୍ପ୍ୟୁଟର ଶିକ୍ଷକ ବି ନିଯୁକ୍ତି କରାଗଲା। ୫ ବର୍ଷ ଯାଇଛି କି ନାହିଁ, ଏହି ମହତ୍ବକାଂକ୍ଷୀ ଯୋଜନା ବାଟବଣା ହୋଇଯାଇଛି। ପରିଚାଳନାଗତ ତ୍ରୁଟି ତଥା ସରକାରୀ ଦୂରଦୃଷ୍ଟି ଅଭାବରୁ ପୁରୀ ଜିଲ୍ଲାର ୧୭୦ ବିଦ୍ୟାଳୟରେ ଖୋଲାଯାଇଥିବା ୩୦ କୋଟି ଟଙ୍କାର ଆଇସିଟି (ଇନଫର୍ମେସନ୍ ଆଣ୍ଡ୍ କମ୍ୟୁନିକେସନ୍ ଟେକ୍ନୋଲୋଜି) ଲ୍ୟାବ୍ ଏବେ ଖତ ଖାଉଛି। ଯାହା ଜଣାପଡ଼ୁଛି, ସରକାର ବୋଧେ ଜାଣିଶୁଣି ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ ଶୈଳୀରେ ଗଢ଼ି ତୋଳିବାକୁ ଚାହୁଁନାହାନ୍ତି। ସରକାର ଚାହିଁଥିଲେ ଏହି ଲ୍ୟାବ୍ ଜରିଆରେ ଭିଡିଓ କନ୍ଫରେନ୍ସିଂରେ ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କରି ପାରିଥାନ୍ତେ। ହେଲେ ଏ ଦିଗଟିକୁ ଆଦୌ ଗୁରୁତ୍ବ ଦିଆଗଲାନି। ଫଳସ୍ବରୂପ ପୂରା ଫେଲ୍ ମାରିଗଲା ‘ଇ ବିଦ୍ୟାଳୟ’ ଯୋଜନା।
୨୦୧୪ ଫେବ୍ରୁଆରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହତ୍ବକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୪ ହଜାର ବିଦ୍ୟାଳୟରେ ଇ-ବିଦ୍ୟାଳୟ ଯୋଜନା ଆରମ୍ଭ ହେବା ପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨ ହଜାର ବିଦ୍ୟାଳୟରେ ଏହି ସୁବିଧା ଉପଲବ୍ଧ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଇ-ବିଦ୍ୟାଳୟ ଯୋଜନାରେ ସ୍କୁଲ ପିଛା ୧୨ଟି ଦାମୀ ଡେକ୍ସଟପ୍, ସେୟାରିଂ କମ୍ପ୍ୟୁଟିଂ ଡିଭାଇସ୍, ୧୨ଟି ୱେବ୍ କ୍ୟାମ୍, ୧୨ଟି ହେଡ୍ଫୋନ୍, ହେଡ୍ଫୋନ୍ ସେୟାରର୍, ୧ ଲକ୍ଷ ୨୦ ହଜାର ଟଙ୍କାର ଇଣ୍ଟିଗ୍ରେଟେଡ୍ କମ୍ପ୍ୟୁଟର ପ୍ରୋଜେକ୍ଟର, ସ୍ମାଟ୍ ହ୍ବାଇଟ୍ ବୋର୍ଡ଼, ମଲ୍ଟି ଫଙ୍କସନ୍ ପ୍ରିଣ୍ଟର, ୟୁପିଏସ୍, ନେଟୱାର୍କିଂ, ଫାୟାର ଏକ୍ସଟିଙ୍ଗୁଇସର୍, ଷ୍ଟାବିଲାଇଜର୍, ଜେନେରେଟର ସେଟ୍, ସିଲିଂ ଓ ୱାଲ୍ ମାଉଣ୍ଟେଡ୍ ଫ୍ୟାନ୍, ଏକ୍ସଜଷ୍ଟ ଫ୍ୟାନ୍, ୪୦ଟି କମ୍ପ୍ୟୁଟର ଟେବୁଲ୍, ଚେୟାର, ଲ୍ୟାବ୍ କ୍ଲିନିଂନେସ୍ କିଟ୍, ଘଣ୍ଟା, ନୋଟିସ୍ ବୋର୍ଡ଼ ଭଳି ୩୦ ପ୍ରକାରର ଦାମୀ ଉପକରଣ ଯୋଗାଇ ଦିଆାଇଥିଲା। ଏହି ସବୁ ଜିନିଷ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ଥିଲା। ଯାହାର ଦାମ ୧୫ରୁ ୨୦ ଲକ୍ଷ ଟଙ୍କା ଭିତରେ ହେବ। କେବଳ ସେତିକି ନୁହଁ, ଆଇସିଟି ଲ୍ୟାବ୍ ପାଇଁ ବିଦ୍ୟାଳୟ ପରିସରରେ ୨୦ ଫୁଟ୍ ଓସାର ଓ ୨୦ ଫୁଟ୍ ଲମ୍ବର ଏକ ସ୍ବତନ୍ତ୍ର ଗୃହ ବି ପ୍ରସ୍ତୁତ କରାଗଲା। ଏଥିପାଇଁ ପ୍ରତି ବିଦ୍ୟାଳୟରେ ଜଣେ ଲେଖା କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ହେଲେ। ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଓକେସିଏଲ୍) ଜରିଆରେ ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୭୫୦ କୋଟି ଟଙ୍କା।
ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଳକରେ ୮ଟି, ବ୍ରହ୍ମଗିରିରେ ୧୫ଟି, ଡେଲାଙ୍ଗରେ ୧୪ଟି, ଗୋପରେ ୨୨ଟି, କାକଟପୁରରେ ୧୦ଟି, କଣାସରେ ୧୬ଟି, କୃଷ୍ଣପ୍ରସାଦରେ ୧୨ଟି, ନିମାପଡ଼ାରେ ୨୪ଟି, ପିପିଲିରେ ୧୪ଟି, ପୁରୀରେ ୨୫ଟି ଓ ସତ୍ୟବାଦୀ ବ୍ଳକର ୧୦ଟି ବିଦ୍ୟାଳୟରେ ଏହି ଯୋଜନାରେ ଅତ୍ୟାଧୁନିକ ଆଇସିଟି ଲ୍ୟାବ୍ ଖୋଲାଗଲା। ୧୭୦ ଜଣ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ହୋଇଥିଲେ ଏହି ସବୁ ବିଦ୍ୟାଳୟଗୁଡ଼ିକରେ। ଶିକ୍ଷକ ପିଛା ମାସିକ ବେତନ ୬ ହଜାର ୫୦୦ ଟଙ୍କା ସ୍ଥିର ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ଆଇସିଟି ଲ୍ୟାବ୍ରେ ବସି ଅତ୍ୟାଧୁନିକ ଜ୍ଞାନକୌଶଳ ଆହରଣ କରିବା ସହ କମ୍ପ୍ୟୁଟର କ୍ଷେତ୍ରରେ ଦକ୍ଷ ହେବାର ସୁଯୋଗ ପାଇଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁ କିଛି ଠିକ୍ଠାକ୍ ଚାଲିଲା। ହେଲେ ପରବର୍ତୀ ସମୟରେ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର, କେହି ଏ ଯୋଜନା ପ୍ରତି ଦୃଷ୍ଟି ଦେଲେନି। ଓକେସିଏଲ୍ ଏ ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ନିରାଶ ହେବା ପରେ ନିଯୁକ୍ତି ଦେଇଥିବା କମ୍ପ୍ୟୁଟର ଶିକ୍ଷକଙ୍କୁ ସଂପ୍ରତି ଛଟେଇ କରିବା ଆରମ୍ଭ କରିଛି। ଏହା ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇଥିବା ୪ ହଜାର ଶିକ୍ଷକଙ୍କ ମଧ୍ୟରୁ ୩ ହଜାର ୩୦୦ ଶିକ୍ଷକଙ୍କୁ ଛଟେଇ କରାସରିଲାଣି। ବାକି ଶିକ୍ଷକଙ୍କୁ ଅଗଷ୍ଟରେ ଛଟେଇ କରାଯିବ ବୋଲି ଜଣାପଡ଼ିଛି। ପୁରୀ ଜିଲ୍ଲାରେ ନିଯୁକ୍ତି ପାଇଥିବା ୧୭୦ ଜଣ ଶିକ୍ଷକଙ୍କ ମଧ୍ୟରୁ ୧୦୨ ଜଣ ଛଟେଇ ହୋଇଛନ୍ତି। ଶିକ୍ଷକ ଛଟେଇ ହେବା ପରେ ଆଇସିଟି ଲ୍ୟାବ୍ଗୁଡ଼ିକରେ ଏବେ ତାଲା ଝୁଲୁଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ବି ବନ୍ଦ ହୋଇଯାଇଛି। ଧୂଳି, ଅଳନ୍ଧୁରେ ଭର୍ତି ହୋଇଛି ଏହି ଅତ୍ୟାଧୁନିକ ଲ୍ୟାବ୍। ହିସାବ କଲେ ପୁରୀ ଜିଲ୍ଲାରେ ପ୍ରାୟ ୩୦ କୋଟି ଟଙ୍କାର ଆଇସିଟି ଲ୍ୟାବ୍ ଖତ ଖାଉଛି। ଏହା ହିଁ ସରକାରୀ ବିଧିବ୍ୟବସ୍ଥାକୁ ପରିହାସ କରୁଛି।