ବିଶ୍ବଜିତ ଦାଶ
ଭୁବେନଶ୍ବର: ରାଜ୍ୟରେ ପ୍ରଦୂଷଣ କମାଇବା, ଗ୍ଲୋବାଲ ୱାର୍ମିଂ ଜନିତ ସମସ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଇ-ଯାନ ନୀତି,୨୦୨୦ ଆଣିଥିଲେ। ଲକ୍ଷ୍ୟ ଥିଲା ୫ବର୍ଷରେ (ଡିସେମ୍ବର, ୨୦୨୫ ସୁଦ୍ଧା) ରାଜ୍ୟରେ ଇ-ଯାନ ପଞ୍ଜୀକରଣ ସଂଖ୍ୟା ୨୦%ରେ ପହଞ୍ଚାଇବେ। ଏଥିପାଇଁ ୨୦୨୧ରେ ପୁଣି ଥରେ ଏହାକୁ ବିସ୍ତୃତ ଭାବେ ଲାଗୁ କରିଥିଲେ। ଏପରିକି ରାଜ୍ୟରେ ଇ-ଯାନ ପଞ୍ଜୀକରଣ ସଂଖ୍ୟା ନ ବଢ଼ିବାରୁ ୨୦୨୩ରେ ଓଡ଼ିଶା ଇ-ଯାନ ନୀତିରେ ସଂଶୋଧନ କରି ଗାଡ଼ି ପିଛା ସବ୍‌ସିଡି ବଢ଼ାଇଥିଲେ। କିନ୍ତୁ ୫ବର୍ଷରେ ଏହି ଯୋଜନା ସଫଳ ହେଲାନି। ୫ବର୍ଷରେ ଟାର୍ଗେଟ୍‌ର ଅଧାରେ ପହଞ୍ଚିଛନ୍ତି। ଏବେ ପୁଣି ନୂଆ ଇ-ଯାନ ନୀତି ଆଣିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ୁଥିବାବେଳେ ପୂର୍ବ ନୀତି କାହିଁକି ସଫଳ ହେଲାନି ତା’ର ସମୀକ୍ଷା ହେଉନି। 

Advertisment

ବାସ୍ତବରେ ଓଡ଼ିଶା ଇ-ଯାନ ନୀତି, ୨୦୨୧ରେ ଯେଉଁ ସବୁ ଦିଗକୁ ଫୋକସ୍‌ କରାଯାଇଥିଲା, ଯେତେ ସବୁ ବିଭାଗର ମିଳିତ ଉଦ୍ୟମରେ ଏହି ନୀତିକୁ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ସେଥିରେ ବିଶେଷ ସହଯୋଗ ନ ମିଳିବା ଏହି ନୀତିର ବିଫଳତା ପାଇଁ ବଡ଼ କାରଣ ସାଜିଛି। ଯେପରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଦାୟିତ୍ବ ଥିଲା ଯେତେ ଆବାସିକ ପ୍ରକଳ୍ପ/ଆପାଟର୍ମେଣ୍ଟ, ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ ହେବ ସେଠାରେ ଇଭି ଚାର୍ଜିଂ ବ୍ୟବସ୍ଥା, ଇ-ଯାନ ପାଇଁ ୩୦% ସ୍ବତନ୍ତ୍ର ପାର୍କିଂ ଅଞ୍ଚଳ ରଖିବା ବାଧ୍ୟତାମୂଳକ କରିବ। ହେଲେ ଅଧିକାଂଶ ଆପାର୍ଟମେଣ୍ଟରେ ଇ-ଯାନ ପାର୍କିଂ ବ୍ୟବସ୍ଥା ନାହିଁ। ସରକାର ଇ-ଯାନ ଚାର୍ଜିଂ ପଏଣ୍ଟ ପିଛା ୫ହଜାର ଟଙ୍କା ସହାୟତା ଦେଇଥାନ୍ତେ। କିନ୍ତୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ କିଛି ସ୍ବତନ୍ତ୍ର ବଜେଟ୍ ହେଲାନି କି ସହାୟତା ଦିଆଗଲାନି। ପୌର ସଂସ୍ଥା ଓ ଉନ୍ନୟନ କର୍ତ୍ତୃପକ୍ଷ ଯେଉଁମାନେ ବିଲଡିଂ ପ୍ଲାନ୍ ଅନୁମୋଦନ କରୁଛନ୍ତି ସେମାନେ ବି ଏହାକୁ କଡ଼ାକଡ଼ି ଯାଞ୍ଚ କରୁନାହାନ୍ତି।

ଏହା ବାଦ୍ ପ୍ରତି ପୌରସଂସ୍ଥା ସେମାନଙ୍କ ଅଞ୍ଚଳରେ ଇ-ଯାନ ପାର୍କିଂ ପାଇଁ ଅନ୍‌ଷ୍ଟ୍ରିଟ୍ ଅଞ୍ଚଳରେ ସ୍ବତନ୍ତ୍ର ସବ୍‌ସିଡି ଦେବାର ଥିଲା। ଅର୍ଥାତ୍ ଯେଉଁ ଇ-ଯାନ ସରକାରୀ ପାର୍କିଂ ଅଞ୍ଚଳରେ ଗାଡ଼ି ପାର୍କିଂ କରିବେ ସେମାନେ ମାଗଣାରେ କିମ୍ବା ଅନ୍ୟ ଗାଡ଼ି ତୁଳନାରେ କମ୍ ପାର୍କିଂ ଫି’ ଦେବେ। ତାହା ବି କୌଣସି ପୌରସଂସ୍ଥା ଲାଗୁ କରୁନାହାନ୍ତି। ବିଭିନ୍ନ ବିଦ୍ୟୁତ୍‌ ବଣ୍ଟନକାରୀ ସଂସ୍ଥା ରାସ୍ତା କଡ଼ରେ ଇଭି-ଚାର୍ଜିଂ ଭିତ୍ତିଭୂମି ନିର୍ମାଣ କରିବାର ଥିଲା। ବିଶେଷ କରି ସହରର ବିଭିନ୍ନ ସ୍ଥାନରେ, ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ। ଏଥି ପାଇଁ ସରକାର ୨୫% ପର୍ଯ୍ୟନ୍ତ ସବ୍‌ସିଡି ଦେଇଥାନ୍ତେ। ହେଲେ ଏହାକୁ ବି ଶକ୍ତି ବିଭାଗ କଡ଼ାକଡ଼ି ଲାଗୁ କଲାନି। ସରକାରୀ ସହାୟତା‌ରେ ଏପର୍ଯ୍ୟନ୍ତ ଗୋଟିଏ ବି ଚାର୍ଜିଂ ପଏଣ୍ଟ ବସିପାରିଲାନି। 

୫ବର୍ଷରେ ୧୦% ଗାଡ଼ି ପଞ୍ଜୀକରଣ ଲକ୍ଷ୍ୟ ହାସଲ
ବ୍ୟାଟେରି ସ୍ବାପିଂ ନିୟମ କାର୍ଯ୍ୟକାରୀ ହୋଇପାରୁନି
ଆବାସିକ ପ୍ରକଳ୍ପ ପାଇଁ ସବ୍‌ସିଡି ମିଳୁନି
ଗୋଟିଏ ବି ଘରୋଇ ଇ-ବସ୍ ଗଡ଼ୁନି

ରାଜ୍ୟରେ ଯେପରି ଛୋଟ ଓ କ୍ଷୁଦ୍ର ଇଭି ବ୍ୟାଟେରି ଉତ୍ପାଦନ କମ୍ପାନି ଖୋଲିବ ସେଥିପାଇଁ ଏମ୍‌ଏସ୍‌ଏମ୍‌ଇ ବିଭାଗ ପଦକ୍ଷେପ ନେଇଥାନ୍ତା।  ମୂଳ ପୁଞ୍ଜି ନିବେଶ ଉପରେ ୨୫ରୁ ୩୫% ପର୍ଯ୍ୟନ୍ତ ସବ୍‌ସିଡି ଦେଇଥାନ୍ତା। କିନ୍ତୁ ବିଭାଗ ପକ୍ଷରୁ ସେପରି କିଛି ପଦକ୍ଷେପ ନିଆଗଲାନି କି ଏମ୍‌ଏସ୍‌ଏମ୍‌ଇ ନୀତି- ୨୦୧୬ରେ ଆବଶ୍ୟକ ସଂଶୋଧନ କରାଗଲାନି। ଯେଉଁଥିପାଇଁ ରାଜ୍ୟରେ ଗୋଟିଏ ବି ଇଭି ବ୍ୟାଟେରି ଉତ୍ପାଦନ କମ୍ପାନି ଖୋଲିପାରିଲାନି। ଇ-ଯାନ ଅଧିକ ଚଲାଇ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କୁ ଏକ ଇଭି-ଇକୋସିଷ୍ଟମ କରିବାର ଥିଲା। ଏଥିପାଇଁ ଇ-ଅଟୋ, ଇ-କ୍ୟାବ୍ ଡ୍ରାଇଭର, ଚାର୍ଜିଂ ଷ୍ଟେସନ୍‌ ଅପରେଟର, ଇଭି ସର୍ଭିସ ମେକାନିକ୍ ସୃଷ୍ଟି କରିବାକୁ ବିଶ୍ବ ଦକ୍ଷତା କେନ୍ଦ୍ର ସହଯୋଗରେ ସ୍ବଳ୍ପ ଅବଧିର ତାଲିମ ଶିବିର ଆୟୋଜନ କରାଯାଇଥାନ୍ତା। ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଏକ ବିଶ୍ବବିଦ୍ୟାଳୟରେ ଇ-ଯାନ ସମ୍ପର୍କିତ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରାଯାଇଥାନ୍ତା। ଏଠାରେ ଇ-ଯାନ ଓ ଚାର୍ଜିଂ ସରଞ୍ଜାମର ଡିଜାଇନ୍ ଏବଂ ବ୍ୟବହାର ନେଇ ଗବେଷଣା ହୋଇଥା’ନ୍ତା। କିନ୍ତୁ ଏନେଇ ଉଚ୍ଚଶିକ୍ଷା ବିଭାଗ କିଛି ଜାଣିପାରିଲାନି। 

ରାଜ୍ୟରେ ଇ-ଯାନ ନୀତି ଫେଲ୍ ମାରିବା ପଛରେ ସବୁଠୁ ବଡ଼ କାରଣ ହେଉଛି, ବ୍ୟାଟେରି ସ୍ବାପିଂ ଭିତ୍ତିଭୂମି ନାହିଁ। ଏଥିରେ ରାସ୍ତାକଡ଼ରେ ବିଭିନ୍ନ କମ୍ପାନି ପକ୍ଷରୁ ବ୍ୟାଟେରି ରଖାଯାଇଥାନ୍ତା। ବ୍ୟାଟେରି ଚାର୍ଜ କମିଯାଇଥିଲେ ଗାଡ଼ି ଚାଳକ ତାଙ୍କ ବ୍ୟାଟେରିକୁ ବଦଳାଇ ଆଉ ଏକ ବ୍ୟାଟେରି ନେଇଯାଇପାରିଥାନ୍ତେ। ସବୁଠାରୁ ବଡ଼ କଥା ହେଲା, ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ଘରୋଇ ଭାଗୀଦାରିରେ ଗୋଟିଏ ବି ଇ-ବସ୍ ଚାଲିପାରିଲାନି। ଯାହା ଏହି ନୀତିର ବଡ଼ ବିଫଳତା। ଏନେଇ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ ସବୁ ଇ-ଯାନକୁ ଯେପରି ସବ୍‌ସିଡି ମିଳିବ ସେନେଇ ଆବେଦନ ପ୍ରକ୍ରିୟାକୁ ସରଳ କରିଛୁ। ସବ୍‌ସିଡି ପରିମାଣ ବର୍ଷକୁ ବର୍ଷ ବଢ଼ି ୧୭୫କୋଟିରେ ପହଞ୍ଚିଲାଣି। କିନ୍ତୁ ଚାର୍ଜିଂ ଭିତ୍ତିଭୂମି, ସ୍ବାପିଂ ବ୍ୟବସ୍ଥା ନଥିବାରୁ ଏବେବି ଏହା ସଫଳ ହେଉନି। ବ୍ୟାଟେରି ଉତ୍ପାଦନ କରୁଥିବା ବିଭିନ୍ନ କମ୍ପାନିର ବ୍ୟାଟେରି ସାଇଜ୍ ପୂରା ଅଲଗା। ଗୋଟିଏ ସାଇଜ୍‌ର ବ୍ୟାଟେରି ହେଲେ ସ୍ବାପିଂ ସଫଳ ହେବ। ଆମ ଦେଶରେ ଏପର୍ଯ୍ୟନ୍ତ ବ୍ୟାଟେରି ଉତ୍ପାଦନ ହେଉନଥିବାରୁ ଆମକୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ସମସ୍ୟା ହେଉଛି। ଇ-ବସ୍‌ କିଣିବାକୁ ଘରୋଇ ମାଲିକମାନେ ରାଜି ହେଉନାହାନ୍ତି। କାରଣ ଏହାର ଦାମ୍ ପ୍ରାୟ ୨କୋଟି। ଏହାର ୧୦% ସର୍ବାଧିକ ୨୦ଲକ୍ଷ ଟଙ୍କା‌ ସବ୍‌ସିଡି, ଋଣ ଉପରେ  ୫% ସୁଧ ଛାଡ଼ ନିୟମ ଅଛି। ଏହା ଆକୃଷ୍ଟ କରୁନି।