କାର୍ଯ୍ୟକାରୀ ହେବ ଇ-ବିଧାନ ଆପ୍ଲିକେସନ୍‌

ଅନୁମୋଦନ ଦେଲା ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ, ଖୁବ୍ ଶୀଘ୍ର ତ୍ରିପାକ୍ଷିକ ବୁଝାମଣା

ଭୁବନେଶ୍ବର : ଓଡ଼ିଶା ବିଧାନସଭାରେ ନ୍ୟାସ୍‌ନାଲ୍‌ ଇ-ବିଧାନ ଆପ୍ଲିକେସନ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଅନୁମୋଦନ କରିଛି। ଓଡ଼ିଶା ବିଧାନସଭା ଦେଶର ପ୍ରଥମ ବ୍ୟବସ୍ଥାପିକା ଭାବେ ଏହି ଅନୁମୋଦନ ଲାଭ କରିଛି। ପ୍ରକଳ୍ପ କାର୍ଯ୍ୟାନ୍ବୟନ ନିମନ୍ତେ ଖୁବ୍ ଶୀଘ୍ର ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ବାରକ୍ଷିତ ହେବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ, ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ଓ ଓଡ଼ିଶା ବିଧାନସଭାର ସଚିବ ଏଥିରେ ସ୍ବାକ୍ଷର କରିବେ। ଏହା ପରେ ପ୍ରକଳ୍ପର କାର୍ଯ୍ୟାନ୍ବୟନ ନିମନ୍ତେ କେନ୍ଦ୍ରର ଅଂଶଧନ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ପ୍ରଦାନ କରାଯିବ। ଏହି ପ୍ରକଳ୍ପରେ କେନ୍ଦ୍ର ସରକାରଙ୍କ ଅଂଶ ୬୦ ପ୍ରତିଶତ ଥିଲା ବେଳେ ରାଜ୍ୟ ସରକାରଙ୍କ ଅଂଶଧନ ୪୦ ପ୍ରତିଶତ ରହିବ। ସୂଚନାଯୋଗ୍ୟ ଯେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏ ସମ୍ପର୍କିତ କମିଟିରେ ମଧ୍ୟ ସେ ଅନ୍ୟତମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର