ଇଏ କି ଆଦର୍ଶ ଥାନା : ଦିନକରେ ଦୁଇ ଘଟଣା, ରୁଜୁ ହେଲାନି ମାମଲା

ବଲାଙ୍ଗୀର : ପ୍ରତିଦିନ ଆଦର୍ଶ ଥାନାକୁ ନେଇ ବଢୁଛି ବିବାଦ। ସାଧାରଣ ଲୋକଟିଏ ଅଭିଯୋଗ କରିବାକୁ ଗଲେ ଥାନାରେ ଅଫିସର ଶୁଣିବାକୁ ନାରାଜ। ଘଣ୍ଟା ଘଣ୍ଟା ଅପେକ୍ଷା କଲେ ବି ମାମଲା ରୁଜୁ ହେଉନି। ପୁଲିସକୁ ଘଟଣା ସଂପର୍କରେ ପଚାରିଲେ ଲିଖିତ ଦେଇନଥିବା କହୁଛନ୍ତି। ଏମିତି ଭାବେ ଆଜି ସହରରେ ଦୁଇଟି ସମ୍ବେଦନଶୀଳ ଘଟଣାରେ ସମ୍ବେଦନହୀନ କାମ କରିଛି ପୁଲିସ।

ବଲାଙ୍ଗୀର ସହରରେ ପ୍ରଥମେ ଆଜି ଏକ ଚୋରି ଘଟଣା ସାମ୍ନାକୁ ଆସିଥିଲା। ନୂଆବର୍ଷ ୧ ତାରିଖ ବିଳମ୍ବିତ ରାତିରେ ଏକ ପାନ ଦୋକାନରୁ ଦୁଇ ହଜାର ଟଙ୍କା, ଦୋକାନରେ ଥିବା ସାମଗ୍ରୀ ସବୁ ଚୋରି ହୋଇଥିଲା। ତାଲା ଭାଙ୍ଗି ଚୋରମାନେ ସବୁ ଚୋରି କରିଥିବା ଦୋକାନର ମାଲିକ ସକାଳୁ ଜାଣିବାକୁ ପାଇଥିଲେ। ଆର୍‌ଟିଓ ଛକ ନିକଟ ଏକ ପାନ ଦୋକାନରୁ ଚୋରି ହୋଇଥିଲା। ମାଲିକ ପୁଲିସକୁ ଫୋନ କରି ଜଣାଇଲେ। ପୁଲିସ ବି ପହଞ୍ଚିଥିଲା। କିନ୍ତୁ ରାତି ଯାଏ ସେହି ଘଟଣାକୁ ନେଇ ପୁଲିସ ମାମଲା ରୁଜୁ କରିନଥିବା ଜଣାପଡ଼ିଛି।

ଅନ୍ୟପଟେ ଆଉ ଏକ ଘଟଣା। ଜଣେ ସ୍ତ୍ରୀ ଲୋକ ତାଙ୍କୁ ଆଟଗାଁର ଜଣେ ବ୍ୟକ୍ତି ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଥାନାକୁ ଅଭିଯୋଗ ଧରି ପହଞ୍ଚିଥିଲେ। ହେଲେ ଥାନାରେ ଓଲଟା ପୁଲିସ ସ୍ତ୍ରୀ ଲୋକ ଉପରେ ନାନା କଥା କହିଥିଲେ। କେତୋଟି ବାହା ହେବୁ ବୋଲି କୁଆଡ଼େ ପୁଲିସ ବାବୁମାନେ ତାଙ୍କୁ କହିଥିଲେ। ସ୍ତ୍ରୀ ଲୋକ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ନିଜର ସବୁ ଘଟଣାକୁ ବଖାଣିଥିଲେ। ଦୁଇ ଘଟଣାକୁ ନେଇ ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କୁ ପଚାରିଥିଲୁ। ସେ କହିଥିଲେ, ସ୍ତ୍ରୀ ଲୋକ ଏ ପର୍ଯ୍ୟନ୍ତ କୌଣସି ଲିଖିତ ଦେଇ ନାହାନ୍ତି। ସେହିପରି ଆରଟିଓ ଛକ ଚୋରି ମାମଲାରେ ଆମେ ଯାଇଥିଲୁ, ସେ ବି ଲିଖିତ ଦେଇ ନଥିବା କହିଥିଲେ। ଦୁଇ ଘଟଣାରେ ମାମଲା ହିଁ ରୁଜୁ ହୋଇନି।

କିନ୍ତୁ ଅଭିଯୋଗକାରୀ ସ୍ତ୍ରୀ ଲୋକଙ୍କ କହିବା ହେଲା, ତାଙ୍କ କଥାକୁ ପୁଲିସ ଶୁଣିବାକୁ ନାରାଜ ରହିଥିଲା। ସେହିପରି ପାନ ଦୋକାନୀ ବି ଚୋରି ପରେ ପୁଲିସକୁ ଖବର କରିଥିଲେ। ତଥାପି ମାମଲା ରୁଜୁ ନହେବା ଆଦର୍ଶ ଥାନାର ଆଦର୍ଶକୁ ନେଇ ପ୍ରଶ୍ନ ଉଠାଉଛି। କିଛି ମାସ ପୂର୍ବରୁ ଅଧ୍ୟାପକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପୁଲିସ ପରିବାର ଲୋକଙ୍କ ଅଭିଯୋଗ ରଖିନଥିଲା। ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟର ନିର୍ଦେଶ ପରେ ପୁଲିସ ମାମଲା ରୁଜୁ କରିଥିଲା। ଏବେ ସେହି ଘଟଣାର ତଦନ୍ତ ହେଉଛି। ଏଭଳି ଘଟଣା ପୂର୍ବରୁ ବି ହୋଇଛି। ଏକ ଲୁଟ ଘଟଣାକୁ ପୁଲିସ ହାଲୁକା ଭାବରେ ନେଇଥିଲା। ଅଭିଯୋଗ ରଖିନଥିଲା। ଲୁଟ ଘଟଣାର କିଛି ଦିନ ବ୍ୟବଧାନରେ ଆଉ ଏକ ବଡ଼ଧରଣର ଲୁଟ ହୋଇଥିଲା। ବର୍ତ୍ତମାନ ଆଦର୍ଶ ଥାନାକୁ ଯିଏ ବି ଅଭିଯୋଗ କରିବାକୁ ଯାଉଛନ୍ତି, ସେମାନେ ସବୁ ନାନା ଅଭିଯୋଗ ଆଦର୍ଶ ଥାନା ନାଁରେ ହିଁ ଦେଉଛନ୍ତି। ଜିଲ୍ଲା ପୁଲିସ ବିଭାଗର ମୁଖିଆ ନୂଆ କରି ଯୋଗଦେବା ପରେ ସାଧାରଣ ଲୋକଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ହେଲେ ଏଠି ଦୀପତଳ ଅନ୍ଧାର। ସାଧାରଣ ଘଟଣା କହି ଅନେକ ମାମଲା ଥାନାରେ ରୁଜୁ ହେଉନି। ଏ ଦିଗରେ ଏସପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର