ଗୁଣପୁର : ଆନ୍ଧ୍ରର ଗୁଣ୍ଟୁର ଜିଲ୍ଲା ଲଙ୍କାଭାନିଦିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାକୁ ୧୦.୩୦ ଲକ୍ଷ ଲେଖାଏଁ ମିଳିଛି। ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଘଟଣାସ୍ଥଳକୁ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ଛାତ୍ର ଜିଲ୍ଲା ସଭାପତି ପିଙ୍କୁ ପଣ୍ଡା ଯାଇଥିବା ବେଳେ ରବିବାର ଦିନନ ମୃତକଙ୍କ ପରିବାରକୁ ଭେଟିଛନ୍ତି ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ। ଆନ୍ଧ୍ରରେ ଶେଷକୃତ୍ୟ ସାରି ମୃତକଙ୍କ ସଂପର୍କୀୟ ଗୁଣପୁର ଫେରିବା ପରେ ଶ୍ରୀ ପଟ୍ଟନାୟକ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। କିନ୍ତୁ ଜିଲ୍ଲାସ୍ତରର କୌଣସି ଅଧିକାରୀ ମୃତକଙ୍କ ପରିବାରକୁ ଭେଟିବା କିମ୍ବା ସହାନୁଭୂତି ନ ଜଣାଇବା ସମସ୍ତଙ୍କୁ ଚକିତ କରିଛି।
ମୃତକଙ୍କ ପରିବାର, ସଂପର୍କୀୟଙ୍କ ସମେତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବିପଦପୂର୍ଣ୍ଣ ଭାବେ କାମ କରୁଥିବା ୩୩ ଦାଦନ ଶ୍ରମିକ ସ୍ୱତନ୍ତ୍ର ବସ୍ ଯୋଗେ ଅପରାହ୍ନ ସାଢ଼େ ୩ଟାରେ ଗୁଣପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ପହଞ୍ଚିଥିଲେ। ସେଠାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଘୋଷିତ ୨ ଲକ୍ଷ, ରେଡକ୍ରସରୁ ୨୦ ହଜାର ଓ ଓଡ଼ିଶା ମୋ ପରିବାର ପକ୍ଷରୁ ୧୦ ହଜାର, ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା। ଗତକାଲି ଆନ୍ଧ୍ର ସରକାର କ୍ଷତିପୂରଣ ବାବଦକୁ ୩ ଲକ୍ଷ ଏବଂ ଫ୍ୟାକ୍ଟ୍ରି ମାଲିକ ୫ ଲକ୍ଷ ଲେଖାଁଏ କ୍ଷତିପୂରଣ ପ୍ରଦାନ କରିଥିଲେ।
ଅନୁକମ୍ପାମୂଳକ ରାଶି ପ୍ରଦାନ ସମୟରେ ଓଡ଼ିଶା ମୋ ପରିବାର ସଂଯୋଜକ ଅବନୀ ସାହୁ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପିଙ୍କୁ ପଣ୍ଡା, ତହସିଲଦାର ଶରତ ଚନ୍ଦ୍ର ନାୟକ, ବିଡିଓ ଶାନ୍ତିପ୍ରଭା ପ୍ରଧାନ, ବରିଷ୍ଠ ଆଇନଜୀବୀ ରାଜୁ ସାହୁ, ଦେବୀ ଆଚାର୍ଯ୍ୟ, ସହକାରୀ ଶ୍ରମ ନିୟୋଜନ ଅଧିକାରୀ ସ୍ୱାତିସୁଲଗ୍ନା ପାତ୍ର ଉପସ୍ଥିତ ଥିଲେ। ସହାୟତା ରାଶି ପ୍ରଦାନ ପରେ ଆନ୍ଧ୍ରରୁ ଫେରିଥିବା ଅନ୍ୟ ୩୩ ଶ୍ରମିକଙ୍କ ନିକଟରୁ ଘଟଣା ସଂପର୍କରେ ପଚାରି ବୁଝିଥିଲେ ଶ୍ରୀ ପଟ୍ଟନାୟକ।