ଅଭିନବ ଉପାୟରେ ପାଠପଢ଼ା : ପୁଝାରୀପାଲିରେ କଳାପଟା ବଦଳରେ ଗଛ ପାଲଟିଛି ମାଧ୍ୟମ

ପଦ୍ମପୁର : କୋଭିଡ୍‌ କଟକଣା ଯୋଗୁଁ ସବୁ ସ୍କୁଲ, କଲେଜ ବନ୍ଦ ଥିବାବେଳେ ପଦ୍ମପୁର ଉପଖଣ୍ତ ଲଖମରା ସିଆରସିସି ଡ. ସୁବାଷ ସାହୁ ନିଜ ଗାଁ ପୁଝାରୀପାଲିରେ ଅଭିନବ ଶୈକ୍ଷିକ ପରିବେଶ ସୃଷ୍ଟି କରି ଅନ୍ୟ ଶିକ୍ଷକମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି। ଗାଁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଗଛରେ ରଂଗୀନ ଚିତ୍ର କରି ପ୍ରତି ଗଛରେ ସ୍ୱରବର୍ଣ୍ଣ ଗଛ, ପର୍ବତ ନାମର ଗଛ, ମାସ ନାମର ଗଛ, ଜ୍ୟାମିତି ଗଛ, ଶିକ୍ଷା ସଂଯୋଗ ଗଛ, ଇଂରାଜୀ ବର୍ଣ୍ଣ ଗଛ, ଦର୍ଶନୀୟ ସ୍ଥାନ ଗଛ ଓ ଅନ୍ୟାନ୍ୟ ଉପଦେଶ ଗଛ ଉପରେ ଲେଖି ପିଲାମାନଙ୍କୁ ପଢ଼ାଉଛନ୍ତି। ବିଦ୍ୟାଳୟ ପରି ରାସ୍ତା ଗଛରେ ଟିଏଲ୍‌ଏମ ସବୁ ଝୁଲାଇ ଦେଇଛନ୍ତି। ଫଳରେ ବାଟୋଇ, ଛାତ୍ରଛାତ୍ରୀ ଓ ଜନସାଧାରଣ ରାସ୍ତାରେ ବୁଲି ସବୁ ଗଛରୁ ଶିକ୍ଷା ପାଇ ପାରିବେ।

ଡ. ସାହୁ ପ୍ରତ୍ୟହ ଗଛ ତଳେ ଗ୍ରାମର ଛାତ୍ରଛାତ୍ରୀମାନଂକୁ ଦୁଇ ଘଣ୍ଟା ସାମାଜିକ ଦୂରତା ବଜାୟ ରଖି ପାଠ ପଢ଼ାଉଛନ୍ତି। ଏହି ଅଭିନବ ଶିକ୍ଷାଦାନ ପ୍ରଣାଳୀ ପାଇଁ ଡ. ସାହୁ ବ୍ଲକ୍‌ରେ ଶ୍ରେଷ୍ଠ ଶିକ୍ଷକ ଏବଂ ଗ୍ଲୋବାଲ ଶିକ୍ଷକ ଭାବରେ ମୁମ୍ୱାଇ ଓ ଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି। ଏଥିସହ ଗାନ୍ଧୀ ଫାଉଣ୍ତେସନ ପକ୍ଷରୁ ମଧ୍ୟ ଡ. ସାହୁଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର