ପ୍ରତିବର୍ଷ ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଏ। ଏହିମାସରେ ସ୍ତନ କର୍କଟ ବିଷୟରେ ସଚେତନତା ସୃଷ୍ଟିକରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଏ। ଏଥିରେ ଶୀଘ୍ର ଚିହ୍ନଟର ଆବଶ୍ୟକତା, ଏହାର ଚିକିତ୍ସା ବିକଳ୍ପ ଓ ପ୍ରତିରୋଧ ପଦ୍ଧତି ବାବଦରେ ଲୋକଙ୍କୁ ସଚେତନ କରାଯାଇଥାଏ। ଏ ବର୍ଷର ସ୍ଲୋଗାନ ହେଲା ‘ଶୀଘ୍ର ଚିହ୍ନଟ କରିବାର ଗୁରୁତ୍ୱ’। ଅଧ୍ୟୟନ ଅନୁଯାୟୀ ସ୍ତନ କର୍କଟ ଶୀଘ୍ର ଚିହ୍ନଟ ହେଲେ ଏଥିରୁ ସଂପୂର୍ଣ୍ଣ ଭଲ ହେବା ଏବଂ ବଞ୍ଚିବା ହାର ବହୁତ ଅଧିକ ହୋଇଥାଏ।

Advertisment

ସ୍ତନ କର୍କଟ ଆମ ଦେଶ ତଥା ରାଜ୍ୟରେ ମୁଖ୍ୟ କର୍କଟ ଅଟେ। ଗତବର୍ଷ ଭାରତରେ ପ୍ରାୟ ୧.୬୫ ଲକ୍ଷ ନୂଆ ସ୍ତନ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକି ସମସ୍ତ କର୍କଟର ୧୪% ଅଟେ। ଆମ ଦେଶରେ ପ୍ରତି ୪ ମିନିଟରେ ଜଣେ ନୂଆ ସ୍ତନ କର୍କଟ ରୋଗୀ ଚିହ୍ନଟ ହୋଇଥାନ୍ତି। ପ୍ରତି ୨୨ ଜଣ ମହିଳାଙ୍କ ମଧ୍ୟରେ ଜଣଙ୍କୁ ତାଙ୍କ ଜୀବନ କାଳ ମଧ୍ୟରେଏହି କର୍କଟ ହୋଇଥାଏ।

ଏହି କର୍କଟ କେବଳ ନାରୀମାନଙ୍କୁ ନୁହେଁ, ପୁରୁଷମାନଙ୍କୁ ମଧ୍ୟ ହୋଇଥାଏ। ପ୍ରତ୍ୟେକ ୧୦୦ ସ୍ତନ କର୍କଟ ରୋଗୀଙ୍କ ମଧ୍ୟରେ ଜଣେ ପୁରୁଷ ରୋଗୀ ଥାଏ। ଆମ ଦେଶରେ ଏହି କର୍କଟ ୪୦ରୁ ୫୦ ବର୍ଷୀୟା ମହିଳାଙ୍କଠାରେ ମୁଖ୍ୟତଃ ଦେଖାଯାଏ। ଯାହାକି ପାଶ୍ଚାତ୍ୟ ଦେଶ ତୁଳନାରେ ୧୦ ବର୍ଷ କମ୍। ପାଶ୍ଚାତ୍ୟ ଦେଶ ମାନଙ୍କରେ ୮୦ରୁ ୯୦ ଶତକଡ଼ା ରୋଗୀ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇଥାନ୍ତି। କିନ୍ତୁ ଆମ ଦେଶରେ ୫୦% ରୁ ଅଧିକ ରୋଗୀ ତୃତୀୟ କିମ୍ବା ଚତୁର୍ଥ ଅବସ୍ଥାରେ ଚିହ୍ନଟ ହୋଇଥାନ୍ତି। ଏହି ଅବସ୍ଥାରେ ସଂପୂର୍ଣ୍ଣ ଭଲ ହେବାର ସମ୍ଭାବନା କମ୍ ଥାଏ।

ଇଷ୍ଟୋଜେନ ବା ସ୍ତ୍ରୀ ହରମୋନର ଅତ୍ୟଧିକ କ୍ଷରଣ ବା ଅଧିକ ସମୟ ପ୍ରବାହିତ ହେଲେ, ସ୍ତନ କର୍କଟର ଆଶଙ୍କା ବଢ଼ିଥାଏ। କମ୍‌ ବୟସରେ ଋତୁସ୍ରାବ ଚାଲୁରହିବା, ସନ୍ତାନ ହୀନତା, ବିଳମ୍ବରେ ଗର୍ଭଧାରଣ, ଶିଶୁକୁ ସ୍ତନ୍ୟପାନ ନ କରାଇବା, ହରମୋନ ଥେରାପି ଓ ବିକିରଣ ଚିକିତ୍ସା

(Radiotherapy) ଆଦି ଯୋଗୁଁ ଏହି କର୍କଟ ହେବାର ସମ୍ଭାବନା ବଢ଼ିଥାଏ। ଏତଦ୍‌ବ୍ୟତୀତ ମେଦ ବହୁଳତା, ମଦ୍ୟପାନ, ଧୂମପାନ, କମ୍‌ ଶାରୀରିକ ପରିଶ୍ରମ, ଅତ୍ୟଧିକ ଚର୍ବି ଜାତୀୟ ଖାଦ୍ୟ ଆଦି ଅଭ୍ୟାସଗତ କାରଣ ଯୋଗୁଁ ମଧ୍ୟ ଏହି କର୍କଟ ହେବାର ଆଶଙ୍କା ବଢ଼ିଥାଏ। ପ୍ରାୟ ୫ରୁ ୧୦% ସ୍ତନ କର୍କଟ ବଂଶାନୁକ୍ରମିକ ହୋଇଥାଏ। ଏହା ପ୍ରାୟତଃ ୨୦ରୁ ୪୦ ବର୍ଷ ମହିଳାମାନଙ୍କଠାରେ ବେଶି ଦେଖାଯାଏ।

ସ୍ତନରେ ଆବୁ ବା ଗେଟା, ସ୍ତନାଗ୍ରରୁ ରକ୍ତକ୍ଷରଣ, ସ୍ତନର ଆକୃତି ଓ ଆକାରରେ ପରିବର୍ତନ, ସ୍ତନାଗ୍ରଭିତରକୁ ପଶିଯିବା, ସ୍ତନ ଚର୍ମରେ ପରିବର୍ତନ ଓ କାଖରେ ଲସିକା ଗ୍ରନ୍ଥି (Lymph node) ବୃଦ୍ଧିହେବା ଆଦି ଏହି ରୋଗର ମୁଖ୍ୟ ଲକ୍ଷଣ। ରୋଗ ନିରୂପଣ ପାଇଁ ମାମୋଗ୍ରାଫି, ସୋନୋଗ୍ରାଫି ଓ ମାଂସ ପରୀକ୍ଷା (Biopsy) କରାଯାଇଥାଏ। ରୋଗର ଷ୍ଟେଜିଙ୍ଗ ପାଇଁ ସିଟିସ୍କାନ୍‌, ବୋନ୍‌ସ୍କାନ ଓ ପେଟ୍‌ସ୍କାନ ପରୀକ୍ଷା କରାଯାଏ। ଏହି କର୍କଟରେ ଶଲ୍ୟ ଚିକିତ୍ସା କେମୋଥେରାପି ଓ ବିକିରଣ ଚିକିତ୍ସା ହରମୋନ୍ ଥେରାପି ଓ ଟାର୍ଗେଟେଡ୍‌ ଥେରାପି ଆଦି ପଦ୍ଧତି ବ୍ୟବହୃତ ହୋଇଥାଏ।

ପାଶ୍ଚାତ୍ୟ ଦେଶମାନଙ୍କରେ ସ୍କ୍ରିନିଙ୍ଗ ପ୍ରଣାଳୀର ବ୍ୟବହାର ଯୋଗୁଁ ଅଧିକାଂଶ ରୋଗୀ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇଥାନ୍ତି। ଏହି ସ୍କ୍ରିନିଙ୍ଗ ପ୍ରଣାଳୀଗୁଡ଼ିକ ହେଲା, ମାମୋଗ୍ରାଫି, ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ସ୍ତନ ପରୀକ୍ଷା ଏବଂ ନିଜ ଦ୍ୱାରା ନିଜ ସ୍ତନ ପରୀକ୍ଷା। ସ୍କ୍ରିନଂମାମୋଗ୍ରାଫି ୪୦ ବର୍ଷରୁ ଅଧିକ ମହିଳାଙ୍କ ପାଇଁ ବର୍ଷେରୁ ୨ ବର୍ଷରେ ଥରେ କରାଯାଇଥାଏ। ନିଜ ଦ୍ୱାରା ସ୍ତନ ପରୀକ୍ଷା ଏକ ସହଜ ଓ ବ୍ୟୟସାପେକ୍ଷ ସ୍କ୍ରିନିଂ ପ୍ରଣାଳୀ; ଯାହାକି ଆମ ଦେଶରେ ସବୁ ମହିଳା କରିପାରିବେ। ଏଥିରେ ପ୍ରତ୍ୟେକ ତରୁଣୀ ବା ମହିଳା ୨୦ ବର୍ଷ ପରେ ମାସକୁ ଥରେ ନିଜର ସ୍ତନ ନିଜେ ପରୀକ୍ଷା କରିଥାନ୍ତି। ଏହା ଋତୁସ୍ରାବର ୫ ରୁ ୧୦ ଦିନ ମଧ୍ୟରେ କରାଯାଇଥାଏ। ଯେଉଁ ମହିଳାମାନଙ୍କର ଋତୁସ୍ରାବ ବନ୍ଦ ହୋଇଯାଇଥାଏ, ସେମାନେ ମାସର ଏକ ନିର୍ଦ୍ଦିଷ୍ଟ ଦିନରେ ଏହି ପରୀକ୍ଷା କରିବା ଉଚିତ୍।

-ମେଡିକାଲ ଅଙ୍କୋଲୋଜିଷ୍ଟ