ଅନୁଗୁଳ : ବିଜେଡିର ଗଡ଼ ହୋଇ ରହିଛି ଅନୁଗୁଳ ଜିଲ୍ଲା। ୨୦୧୪ ଓ ୧୦୧୯ ନିର୍ବାଚନରେ ଜିଲ୍ଲାର ସମସ୍ତ ୫ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜିତିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଏକତରଫା ଜିତିଥିଲାବେଳେ ଜିଲ୍ଲାର ସମସ୍ତ ସହରରେ ଦଳ ନଗରପାଳ ଆସନ ଜିତିଛି। ହେଲେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିକୁ ସହଜରେ ବାଟ ଛାଡ଼ିବା ମୁଡ୍ରେ ନାହିଁ ବିଜେପି। ଏଣୁ ଏଥିପାଇଁ ଏବେଠାରୁ କ୍ଷେତ୍ର ପ୍ରସ୍ତୁତ ଆରମ୍ଭ କରିଦେଲାଣି। ଜିଲ୍ଲାର ସମସ୍ତ ବିଧାନସଭା କ୍ଷେତ୍ରରେ ଏ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଲେଖାଏଁ ସଭା କରି କେନ୍ଦ୍ର ସରକାରଙ୍କ ସଫଳତା ବଖାଣିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଏପଟେ ବିଜେଡି ବି ଦୁର୍ଗ ରକ୍ଷା କରିବା ପାଇଁ ଜୋର୍ଦାର ପ୍ରସ୍ତୁତି ଚଳାଇଛି। ଏ ଭିତରେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଅନୁଗୁଳ ଆସି ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଘରକୁ ଘର ଯାଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେବା ସହ ସଂଗଠନ ମଜଭୁତ କରିବାକୁ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଦୁଇ ପ୍ରମୁଖ ରାଜନୈତିକ ଦଳର ଏମିତି ମାରାଥନ କାର୍ଯ୍ୟକ୍ରମ ଅନୁଗୁଳରେ ଆଗୁଆ ନିର୍ବାଚନର ଉଷ୍ମତା ଭରିଛି।
ବିଜେଡି ଅନୁଗୁଳ ପର୍ଯ୍ୟବେକ୍ଷକ ବବି ଜୁନ୍ ୧୮ରେ ଅନୁଗୁଳ ସଭାଘରେ ଦଳୀୟ କର୍ମୀଙ୍କ ସମାବେଶରେ ଯୋଗ ଦେଇଥିଲେ। ଏଥିରେ ଦଳର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଗୋଷ୍ଠୀ ବିବାଦ ଛାଡ଼ି ଦଳ ପାଇଁ କାମ କରିବାକୁ ସେ ଚେତାବନୀ ଦେଇଥିଲେ। ପୁଣି ଅନୁଗୁଳ ଜିଲ୍ଲାର କଣ ସମସ୍ୟା ରହିଛି ଓ କାହା ଉପରେ ଫୋକସ୍ କଲେ ଦଳକୁ ଫାଇଦା ମିଳିବ ସେଥିନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଜନପ୍ରତିନିଧିଙ୍କୁ କୁହାଯାଇଛି। ପରେ ସେ ଦଳର ସାଂସଦ, ବିଧାୟକ ଓ ତୁଙ୍ଗ ନେତାଙ୍କ ସହ ନିର୍ବାଚନ ନେଇ କବାଟକିଳା ଆଲୋଚନା କରିଥିଲେ। ଏଥିନେଇ ଦଳୀୟ ଟିକେଟ ପାଇବା ନେଇ କିଛି ନେତାଙ୍କୁ ପରୋକ୍ଷ ସୂଚନା ଦିଆଯାଇଥିବା ଜଣାପଡ଼ିଛି। ପ୍ରଣବଙ୍କ ଏହି ଗସ୍ତ ପରେ ବିଜେଡି ଶିବିର ଚଳଚଞ୍ଚଳ ହୋଇପଡ଼ିଥିଲାବେଳେ ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଅନୁଗୁଳ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ କିଛି ନୂଆ ପ୍ରକଳ୍ପ ଘୋଷଣା ହେବାର ସମ୍ଭାବନା ଥିବାରୁ ଏହା ବିଜେଡି ପ୍ରସ୍ତୁତିକୁ ଅଧିକ ବଳ ଦେବ ବୋଲି ଦଳୀୟ ନେତାମାନେ ଆଶା ରଖିଛନ୍ତି।
ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଦିନିଆ ଅନୁଗୁଳ ଗସ୍ତରେ ଆସି ଏହାକୁ କାଉଣ୍ଟର୍ କରିବାକୁ ଚେଷ୍ଟା କରିଛନ୍ତି। ଧର୍ମେନ୍ଦ୍ରଙ୍କ ଏହି ଗସ୍ତ କାଳରେ ସେ ରାଜ୍ୟ ସରକାରଙ୍କୁ ଅପାରଗ କହିବା ସହ ଦୁର୍ନୀତିଗ୍ରସ୍ତ ବୋଲି ଦର୍ଶାଇଛନ୍ତି। ଏପରିକି ସ୍ଥାଣୁ ସରକାରର ଚେର ଉପାଡ଼ି ଡବଲ ଇଞ୍ଜିନ ସରକାର କରିବାକୁ ଆହ୍ବାନ ଦେଇଛନ୍ତି। ଅନୁଗୁଳ, ତାଳଚେର, କଣିହାଁ, ପାଳଲହଡ଼ା ଓ ଛେଣ୍ଡିପଦାରେ ବିଭିନ୍ନ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ଯୋଗ ଦେବା ସହ ବିଭିନ୍ନ ମନ୍ଦିରକୁ ଯାଇ ଠାକୁରଙ୍କ ଦର୍ଶନ କରିଛନ୍ତି। ଅନୁଗୁଳ ପାଇଁ କେନ୍ଦ୍ର ସରକାରଙ୍କ ଅବଦାନର ହିସାବ ବି ଦେଇଛନ୍ତି। ଧର୍ମେନ୍ଦ୍ର ଆଗରୁ ଆଠମଲ୍ଲିକରେ ଏକ ବଡ଼ ସମାବେଶ କରିଥିଲାବେଳେ ଏବେ ଅନ୍ୟ ୪ ନିର୍ବାଚନମଣ୍ଡଳୀରେ ଗୋଟିଏ ଲେଖାଏଁ ସଭା କରି ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରିଛନ୍ତି। ଆଉ ଧର୍ମେନ୍ଦ୍ରଙ୍କ ଗସ୍ତ ପରେ ବିଜେପି ଶିବିରକୁ ବଳ ମିଳିଛି।
ଅନୁଗୁଳ ଜିଲ୍ଲାରେ ରାଜନୈତିକ ବାତାବରଣ ଗରମ ହେଲାଣି। ଉଭୟ ଦଳର ନେତାମାନେ ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତି ଆକ୍ଷେପ ଏହି ଗରମକୁ ଅଧିକ ତାଜା କରିଛି। ଦଳବଦଳ ରାଜନୀତି ବି ଆରମ୍ଭ ହୋଇଗଲାଣି। ନିର୍ବାଚନ ବାକି ଥିଲେ ମଧ୍ୟ ରଜ ପରେ ଦୁଇ ଦଳର କାର୍ଯ୍ୟକ୍ରମ ଜିଲ୍ଲାରେ ଆଗୁଆ ନିର୍ବାଚନର ଭ୍ରମ ସୃଷ୍ଟି କରିଛି। କିନ୍ତୁ ଏହି ତୁଳନାରେ ପଛରେ ପଡ଼ି ଯାଇଛି କଂଗ୍ରେସ। ଦଳକୁ ଏହି ମାସରେ ନୂଆ ସଭାପତି ମିଳିଥିଲେ ମଧ୍ୟ ଦଳ ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିନି। ଲୋକଙ୍କ ପାଖକୁ ଯିବା ପାଇଁ ସେମିତି ବଡ଼ ଧରଣର ଯୋଜନା ମଧ୍ୟ ନାହିଁ। ଦଳ ପକେଟ୍ ଭୋଟ୍ ଉପରେ ଭରସା କରିଥିବାରୁ ଏହା ପରୋକ୍ଷରେ ବିଜେଡି ଓ ବିଜେପିକୁ ସୁହାଇବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।