ରଦ୍ଦିକାଗଜରୁ ‌ରୋଜଗାର: ୧୫ ମହିଳା ଆତ୍ମନର୍ଭରଶୀଳ

ରାମଚନ୍ଦ୍ରପୁର: କାଗଜ ମଣ୍ତରେ ଭଳିକି ଭଳି ଆକର୍ଷଣୀୟ  ଦେବଦେବୀ ମୂର୍ତ୍ତି, ଫୁଲକୁଣ୍ତ, ପେନଷ୍ଟାଣ୍ଡ ସହ ଅନେକ  କଳାକୃତି ତିଆରି କରି  ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ୧୫  ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି  ଘସିପୁରା ବ୍ଲକର ଶିଳ୍ପୀ ଗ୍ରାମ ଭାବେ ପରିଚିତ ଅଳତିର ମିନତି ସାହୁ।

ମିତତି  ରାଜ୍ୟ ହସ୍ତ ଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ  ଜିଲ୍ଲା  ସହକାରୀ ହସ୍ତଶିଳ୍ପ ନର୍ଦ୍ଦେଶକଙ୍କ ସଂଯୋଜନାରେ ୬ ମାସିଆ ପ୍ରଶିକ୍ଷଣ ନେଛନ୍ତି। ପ୍ରଶିକ୍ଷଣରୁ ଯାହା ଶିକ୍ଷାଲାଭ କରିଛନ୍ତି ତାହାକୁ ସେ ବ୍ୟର୍ଥ ହେବାକୁ ଦେଇ ନାହାନ୍ତି। ବରଂ ‌ସେଇ ଜ୍ଞାନକୌଶଳକୁ ବ୍ୟବହାର କରି ସେ ନିଜେ କିଛି ରୋଜଗାର କରିବା ସହିତ ଅନ୍ୟକୁ ରୋଜଗାର ପାଇଁ ବାଟ ଦେଖାଇପାରିଛନ୍ତି। ଅଦରକାରୀ କାଗଜରୁ ମଣ୍ଡ ତିଆରି ‌କରି ସେଥିରେ ବିଭିନ୍ନ ଦେବଦେବୀଙ୍କ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି। କେବଳେ ଦେବଦେବୀ ମୂର୍ତ୍ତି ନୁହେଁ ବିଭିନ୍ନ ପ୍ରକାର ମୁଖା, ଫୁଲକୁଣ୍ଡ, ପେନଷ୍ଟାଣ୍ଡ ଆଦି ତିଆରି କରି ବେଶ୍ ଦି’ପଇସା ରୋଜଗାର କରିପାରୁଛନ୍ତି।

ଏହି କାର୍ଯ୍ୟ ପରିଚାଳନାରେ ସରକାରଙ୍କ ତରଫରୁ  ନିପୁଣ ଶିଳ୍ପୀ ସଂଜୟକୁମାର ଓଝାଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷକ ଭାବେ ନିୟୋଜିତ କରାଯାଇଛି। ପ୍ରତ୍ୟେକ ମହିଳା ସଦସ୍ୟଙ୍କୁ ମାସିକ ଏକ ହଜାର ଟଙ୍କା ଲେଖାଏଁ ସରକାରୀ ପ୍ରୋତ୍ସାହନ ରାଶି ମଧ୍ୟ ଯୋଗାଇ ଦିଆଯାଉଛି। ଘରେ ରୋଷେଇବାସ କାମ ସାରିବା ପରେ ଅଳ୍ପ ପରିଶ୍ରମରେ ଏହି କାମ କରି ଏଥିରୁ ଦି’ପଇସା ରୋଜଗାର କରିହେବ ବୋଲି ତାଲିମ ପ୍ରାପ୍ତ ମହିଳା  ପ୍ରକାଶ କରିଛନ୍ତି।  ଜିନିଷ ବିକ୍ରିବଟା କରିବାକୁ ଗ୍ରାମାଞ୍ଚଳରେ ସେମିତି ବଜାର ସୁବିଧା ନଥିବାରୁ ଜିଲ୍ଲା ହସ୍ତ ଶିଳ୍ପ ସଂସ୍ଥା ଏହାର ବିକ୍ରିବଟା ଦାୟିତ୍ବ ନେଲେ ସେମାନେ ଆହୁରି ଆଗକୁ ବଢି ପାରନ୍ତେ ବୋଲି  ଲିପ୍ତିମୟୀ ସାହୁ, ଜୟନ୍ତୀ ସାହୁ, ରଶ୍ମିତା ସାହୁ, ତାରାରାଣୀ ସେଠୀ, ଉର୍ମିଳା ସେଠୀ, ଲିଲିବାଳା ସେଠୀ, ମାନସୀ ମହାଳିକ, ପ୍ରମିଳା ସାହୁ, ଗୀତା ଦାସ, ଜେମାମଣି ସାହୁ, ରୀନାରାଣୀ ସାହୁ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର