ଭୁବନେଶ୍ବର: ବଲାଙ୍ଗୀର ସ୍ଥିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ କଟି ସାରିଛି ଉଭୟ ସଂରକ୍ଷିତ ଏବଂ ଗ୍ରାମ୍ୟ ଜଙ୍ଗଲର ପ୍ରାୟ ୧ ଲକ୍ଷ ମୂଲ୍ୟବାନ ଗଛ। ଆହୁରି ୫୦ ହଜାର ସମେତ ସମୁଦାୟ ଦେଢ଼ ଲକ୍ଷ ଗଛ କଟିବା ନେଇ ଜଙ୍ଗଲ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଜରିଆରେ ବଲାଙ୍ଗୀରର ୫୯ ଗାଁ, ଲୋଇସିଂହାର ୧୯୨ ଗାଁ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୨୪ଟି ଗାଁର ସମୁଦାୟ ୪୦ ହଜାର ହେକ୍ଟର ଜମିରେ ଜଳସେଚନ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୧୪.୫ ହେକ୍ଟରର ସଂରକ୍ଷିତ ଜଙ୍ଗଲ ଏବଂ ୬୨୩.୧୮ ହେକ୍ଟର ଜଙ୍ଗଲ ଜମିକୁ ବଳିଦାନ ଦିଆଯାଉଛି। ଏଥିରେ ସାଗୁଆନ, ଚନ୍ଦନ, ଖଇର, ଶିଶୁ, କେନ୍ଦୁ, ନିମ, ମହୁଲ, ଚାର, ହରିଡ଼ା, ବାହାଡ଼ା, ଆମ୍ବ, ଲିଚି, ପିଜୁଳି, ଲେମ୍ବୁ, ଗୁଆ, ତେନ୍ତୁଳି, ପଣସ ସମେତ ବିଭିନ୍ନ ପ୍ରକାର ଗଛ ରହିଛି। ଗଡ଼ସଙ୍କରଡୁଙ୍ଗୁରିପାଲି, ବନଛୋରପାଲି, ଭୁମିଆପାଲି, ଅନ୍ତପାଲି ସମେତ ବିଭିନ୍ନ ରାସ୍ତାରେ କିଛି ମାସ ହେଲା ଅନେକ ମୂଲ୍ୟବାନ ଗଛର କଟିପଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଯାହା ସ୍ଥାନୀୟ ଅଧିବାସୀଙ୍କ ସମେତ ସେହି ସ୍ଥାନ ଦେଇ ଯାତାୟାତ କରୁଥିବା ଲୋକଙ୍କୁ ବିସ୍ମିତ କରୁଛି। ଏଥିସହିତ ୨୯ ବିସ୍ଥାପିତ ଗାଁରୁ ମଧ୍ୟ ବ୍ୟକ୍ତିଗତ ଭାବରେ ଲୋକେ ଲଗାଇଥିବା ଗଛଗୁଡ଼ିକ ବୁଡ଼ିବାରେ ଲାଗିଛି।
ନିମ୍ନ ସୁକତେଲ ପାଇଁ
ବଳି ପଡ଼ିଲାଣି ୧ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟବାନ ଗଛ
ସଂରକ୍ଷିତ ଜଙ୍ଗଲ, ଔଷଧୀୟ ବୃକ୍ଷ ବି ସ୍ବାହା
୧୪% ଆୟ ଦେଉଥିବା ଜୀବିକା ପ୍ରଭାବିତ
ପୁନଃବନୀକରଣର ୧୮ ବର୍ଷ ପରେ କଟିଲା ଗଛ
ପରିବେଶ ସହିତ ଜୀବିକା ପାଇଁ ମଧ୍ୟ ଏହି ଜଙ୍ଗଲ ଉପରେ ସ୍ଥାନୀୟ ଅଧିବାସୀ ନିର୍ଭରଶୀଳ। ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ୨୦୦୮ ମସିହାରେ ଆଇଏଏସ ଅନୀତ ଅଗନିହୋତ୍ରୀ ପ୍ରସ୍ତୁତ ଲୋୟର ସୁକତେଲର ସାମାଜିକ ପ୍ରଭାବ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳବାସୀଙ୍କ ୧୪.୧୮ ପ୍ରତିଶତ ଆୟ ଏହି ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି ଜରିଆରେ ହୁଏ। ଯାହାକି ଚାଷ ପରେ ଦ୍ବିତୀୟ ସର୍ବାଧିକ ବ୍ୟକ୍ତି ନିର୍ଭର କରୁଥିବା ଜୀବିକା ଅଟେ। ଏଠାରୁ କେନ୍ଦୁପତ୍ର,
ମହୁ, ଚାର, ହରିଡ଼ା, ବାହାଡ଼ା, ଅଁଳା, କରଞ୍ଜିଆ ଭଳି ଔଷଧୀୟ ଗୁଣଯୁକ୍ତ ଗଛ ସଂଗ୍ରହ କରିଥାଆନ୍ତି। ନିଜେ ବ୍ୟବହାର ସହିତ ବଜାରରେ ଏହାର ବିକ୍ରି ହୁଏ। ଔଷଧୀୟ ଗୁଣ ଥିବା ଏହି ଗଛଗୁଡ଼ିକର ଚାହିଦା ଅନେକ ଔଷଧ କମ୍ପାନି ପାଖରେ ମଧ୍ୟ ରହିଛି। ସୂଚନା ଅନୁଯାୟୀ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ୨୦୦୮ ମସିହାରେ ଆଇଏଏସ ଅନୀତ ଅଗନିହୋତ୍ରୀ ପ୍ରସ୍ତୁତ ଲୋୟର ସୁକତେଲର ସାମାଜିକ ପ୍ରଭାବ ରିପୋର୍ଟରେ ଏହି ପ୍ରକଳ୍ପ ଯୋଗୁଁ ୧୫୭୫.୧୫ ହେକ୍ଟର ଜଙ୍ଗଲ ଜମି ବୁଡ଼ିବ ବୋଲି ଦର୍ଶାଯାଇଥିଲା। ବର୍ତ୍ତମାନ ଜଙ୍ଗଲ ବିଭାଗର ପ୍ରସ୍ତୁତ ରିପୋର୍ଟ ଅନୁସାରେ, ବୁଡ଼ିବାକୁ ଥିବା ଜଙ୍ଗଲ ଜମିର ପରିମାଣ ଏହାଠାରୁ କମ ବୋଲି ଦର୍ଶାଯାଇଛି। ଜଙ୍ଗଲ ବିଭାଗ ଅନୁସାରେ, ୯୦ ଦଶକରୁ ଲୋୟରସୁକତେଲ ପ୍ରକଳ୍ପ ପାଇଁ ଜଙ୍ଗଲ କାଟିବା ପାଇଁ କ୍ଲିୟରେନ୍ସ ମିଳିଯାଇଥିଲା। ତେଣୁ ୨୦୦୫ ମସିହାରୁ ୮୦୩ ହେକ୍ଟରରେ ବନୀକରଣ କରାଯିବା ଆରମ୍ଭ ହୋଇଥିଲା। ଲଣ୍ଡାପଥର, ଡୁମେରଜୋର, ରେଙ୍ଗାଲବାହାଲ ଏବଂ ଲମକାନିରେ ଯେଉଁ ଅନେକ ବର୍ଷ ହେଲା ବିଭିନ୍ନ କାରଣରୁ ଜଙ୍ଗଲ ଧ୍ବଂସ ହୋଇଥିଲା ସେଠି ଅନେକ ମୂଲ୍ୟବାନ ଗଛ ଲଗାଯାଇଛି। ଯାହା ବର୍ତ୍ତମାନ ମଧ୍ୟ ସୁରକ୍ଷିତ ରହିଥିବା ଜଙ୍ଗଲ ବିଭାଗ କହିଛି।