ମାଲକାନଗିରିରେ ଭୂକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୪.୨, ୩ ସେକେଣ୍ଡରେ ଘର କାନ୍ଥ ଫାଟିଲା

ମାଲକାନଗିରି : ୩ ସେକେଣ୍ଡ ପାଇଁ ପାଦ ତଳୁ ମାଟି ଖିସିଲା। ଛାତ ଖସିବା ଏବଂ କାନ୍ଥ ଗୋଟିଏ ପଟକୁ ଅଣେଇ ହୋଇ ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହେଲା। ଲୋକେ କିଛି ବୁଝିବା ପୂର୍ବରୁ ସବୁ କିଛି ପୁଣି ସ୍ବାଭାବିକ ଅବସ୍ଥାକୁ ଫେରି ଆସିଲା। ସୌଭାଗ୍ୟବଶତଃ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। କିନ୍ତୁ ଅନେକ କୋଠାରେ ବଡ଼ବଡ଼ ଫାଟ ସବୁ ସୃଷ୍ଟି ହୋଇଛି। ଆଜି ସକାଳେ ମାଲକାନଗିରି ଜିଲ୍ଲାରେ ଭୂକମ୍ପର ଏମିତି ପ୍ରଭାବ ଦେଖିବାକୁ ମିଳିଛି।

ସକାଳ ପ୍ରାୟ ୧୧ଟା ୧୫ମିନିଟରେ ହଠାତ୍ ମାଟି ଥରିବା ଆରମ୍ଭ ହୋଇଥିଲା। ଘରଦ୍ବାରା ସବୁ ଖସି ପଡ଼ିବା ଭଳି ଲାଗିବାରୁ ଲୋକେ ଘର ବାହାରକୁ ଦୌଡ଼ି ଆସିଥିଲେ। ଚାହୁଁଚାହୁଁ ଦୋକାନ ବଜାର ଛାଡ଼ି ବି ଲୋକେ ବାହାରି ଆସିଥିଲେ। କିନ୍ତୁ କାହିଁକି ଏବଂ କଣ ପାଇଁ ଏମିତି ହେଲା ଜଣାପଡ଼ିଲା ନାହିଁ। କରୋନା ଚିନ୍ତାରେ ଥିବା ଲୋକ ଏଭଳି କମ୍ପନ ପଛର କାରଣ ଖୋଜିବା ଆରମ୍ଭ କରିଥିଲେ।

ତେବେ ମଧ୍ୟାହ୍ନ ବେଳକୁ ଏଭଳି କମ୍ପନ ସଂପର୍କରେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଥିଲା। ନିଜେ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଭୂକମ୍ପ ହୋଇଥିବା ନେଇ ପ୍ରକାଶ କରିଥିଲେ। ପଡ଼ୋଶୀ ଛତିଶଗଡ଼ର ଜଗଦଲପୁର ଏବଂ ଓଡ଼ିଶାର ମାଲକାନଗିରି ମଧ୍ୟରେ ଏହି ଭୂକମ୍ପର କେନ୍ଦ୍ର ରହିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ମେଗ୍ନିଟୁଡ୍ ରହିଥିବା ବେଳେ ପ୍ରାୟ ୩ସେକେଣ୍ଡ ଧରି କମ୍ପନକୁ ଅନୁଭୂତ କରାଯାଇଥିବା ସୂଚନା ମିଳିଛି। କମ୍ପନ ସେତେଟା ଶକ୍ତିଶାଳୀ ହୋଇ ନଥିଲେ ସୁଦ୍ଧା ବହୁ ଲୋକଙ୍କ ଘର କାନ୍ଥ ଫାଟିଥିବା ନେଇ ସୂଚନା ମିଳିଛି। ଏପରିକି ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅନେକ କାନ୍ଥ ଏବଂ ଛାତରେ ବେଶି ଫାଟ ସୃଷ୍ଟି ହୋଇଛି। ଏହି ସମୟରେ ନିଜେ ଏସ୍‌ପି ଏବଂ ବହୁ କର୍ମଚାରୀ କାର୍ଯ୍ୟାଳୟରେ ଭିତରେ ହିଁ ରହିଥିଲେ। ମାଟି ଥରିବାରୁ ସମସ୍ତେ ସତର୍କ ହୋଇ ବାହାରକୁ ଚାଲି ଆସିଥିଲେ। ଏହାବ୍ୟତୀତ ଜିଲ୍ଲାର ମାଥିଲି, ଖଇରପୁଟ, କୋରକୋଣ୍ଡା ବ୍ଲକରେ ମଧ୍ୟ ଲୋକେ ଏହି ଭୂକମ୍ପକୁ ଅନୁଭବ କରିଥିବା ଖବର ମିଳିଛି। ଜିଲ୍ଲାର ସବୁଠାରୁ ବଡ଼ କୋଠା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଭାବ ପଡ଼ିଥିବା ବେଳେ ବହୁ ରୋଗୀ ଏବଂ ସେମାନଙ୍କ ସଂପର୍କୀୟ ବାହାରକୁ ଚାଲି ଆସିଥିଲେ ବୋଲି ସୂଚନା ମିଳିଛି। ଏପରିକି ବହୁ ସମୟ ପରେ ବି ଲୋକେ ଡାକ୍ତରଖାନା ଭିତରକୁ ନଯାଇ ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ମାଲକାନଗିରି ଜିଲ୍ଲାରେ ଏଭଳି ଘଟଣା ପ୍ରଥମ ଘଟିଥିବା କୁହାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିରେ ବିବ୍ରତ ନହେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର