ମାଲକାନଗିରିରେ ମୃଦୁ ଭୂମିକମ୍ପ, ବହୁ କୋଠାଘରର କାନ୍ଥରେ ଫାଟ, ଲୋକେ ଆତଙ୍କିତ

ମାଲକାନଗିରି: ମାଲକାନଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ ହେବା ଫଳରେ ଲୋକେ ଭୟରେ ଆତଙ୍କିତ ହୋଇପଡ଼ିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ୍ ସମୟରେ ମାଲକାନଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୪.୨ ଥିବା ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରାୟ ୨ରୁ ୩ ସେକେଣ୍ଡ ଯାଏଁ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଏହା ଜାଣିବାମାତ୍ରେ ଘରୁ ଲୋକେ ବାହାରି ରାସ୍ତା ଉପରକୁ ଚାଲି ଆସିଥିଲେ।

ଏହି ଭୂମିକମ୍ପର ପ୍ରଭାବ ମାଲକାନଗିରି ଜିଲ୍ଲାର ଖଇରପୁଟ, ମାତିଲି ଏବଂ କୋରକୋଣ୍ଡା ଅଞ୍ଚଳରେ ପରିଲକ୍ଷିତ ହୋଇଛି। ଏହାଛଡ଼ା କୋରାପୁଟ ଜିଲ୍ଲାର ବୈପାରିଗୁଡ଼ାରେ ବି ଏହାର କୁପ୍ରଭାବ ଦେଖିବାକୁ ମିଳିଛି। ଏହି ଭୂମିକମ୍ପର ପ୍ରଭାବରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ସହରର ସାଇମନ୍ଦିରର କାନ୍ଥରେ ଫାଟ ହୋଇଥିବାର ଦେଖିବାକୁ ମିଳିଛି। ଏହାଛଡ଼ା ନିକଟସ୍ଥ ପଦ୍ମଗିରି ଗାଁରେ ବି ବହୁ ଘରର କାନ୍ଥ ଫାଟିଥିବାର ସୂଚନା ମିଳିଛି। ଏହି ସମୟରେ ମାଲକାନଗିରି ମେଡିକାଲରେ କୋକୁଆ ପରିଲକ୍ଷିତ ହୋଇଥିଲା। ସାତ ମହଲା ବିଶିଷ୍ଟ ଏହି ଡାକ୍ତରଖାନାରୁ ରୋଗୀ ଏବଂ ସେମାନଙ୍କର ସଂପର୍କୀୟମାନେ ବାହାରକୁ ବାହାରି ଆସିଥିଲେ।

ସମ୍ବନ୍ଧିତ ଖବର