୫ ଜିଲ୍ଲାରେ ଭୂମିକମ୍ପ : କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୬ ରହିଥିଲା। ଆଜି ଭୋର ୩ଟା ୩ ମିନିଟ୍‌ ୫୨ ସେକେଣ୍ଡରେ ଏହା ଅନୁଭୂତ ହୋଇଥିଲା। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଭୂମିକମ୍ପର କେନ୍ଦ୍ର ସ୍ଥଳ ଅନୁଗୁଳ ଜିଲ୍ଲା ରହିଥିଲା। ଏହାର ପ୍ରଭାବ ଅନୁଗୁଳ ସମେତ କଟକ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼ ଜିଲ୍ଲା ଉପରେ ପଡ଼ିଥିଲା। ବିଶେଷକରି ଆଠଗଡ଼, ନୟାଗଡ଼, ବାଙ୍କୀ, ଶରଣକୂଳ, ରଣପୁର, ଦଶପଲ୍ଲା, ଗଣିଆ, ଓଡ଼ଗାଁ, ଆଠମଲ୍ଲିକ, ପାଲଲହଡ଼ା, ତାଳଚେର, କଣିଆ ଆଦି ସ୍ଥାନରେ ଏହାର ହାଲକା ପ୍ରଭାବ ଅନୁଭୂତ ହୋଇଥିଲା। ଭୋର ସମୟ ହୋଇଥିବାରୁ ଲୋକେ ସେତେଟା ଜାଣିପାରି ନ ଥିଲେ। ଯେଉଁମାନେ ଭୋର ସମୟରେ ଚେଇଁଥିଲେ ସେମାନେ କିଛିଟା ଜାଣିପାରି ଘର ବାହାକୁ ଚାଲି ଆସିଥିଲେ। ତେବେ ଏନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଭୋର ସମୟରେ ମୃଦୁ ଭୂମିକମ୍ପ ହୋଇଥିବା ବେଳେ ଅପରାହ୍‌ଣରେ ଏହାକୁ ନେଇ ଗୁଜବ ବ୍ୟାପୀ ଯାଇଥିଲା। ଲୋକେ ଭୟଭୀତ ହୋଇ ଘରୁ ପଦାକୁ ଚାଲି ଆସିଥିଲେ। ଉପରୋକ୍ତ ୫ଟି ଜିଲ୍ଲାରେ ଏକପ୍ରକାର ଆତଙ୍କ ଖେଳିଯାଇଥିଲା। ହେଲେ ଅଳ୍ପ କିଛି ସମୟରେ ପରେ ଲୋକେ ପ୍ରକୃତ ଘଟଣା ଜାଣିବା ପରେ ଆଶ୍ୱସ୍ତି ପାଇଥିଲେ। ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର