କୋରାପୁଟ / ରାୟଗଡ଼ା : କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଦିନ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୮ ଥିବା ଜଣାପଡ଼ିଛି। ଭୂମିକମ୍ପ ପ୍ରଭାବରେ ନାରାୟଣପାଟଣାରେ ଗୋଟିଏ ଅର୍ଦ୍ଧନିର୍ମିତ ଘରର ତାଜା ଭାଙ୍ଗି ଇଟା ପଡ଼ିଯିବାରୁ ବାପା, ପୁଅ ସାମାନ୍ୟ ଆହତ ହୋଇଛନ୍ତି। ଏଥିସହ ଗୋଟିଏ ଅର୍ଦ୍ଧନିର୍ମିତ ଘରର କାନ୍ଥ ଭାଙ୍ଗିଯାଇଛି। କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

Advertisment

ଶୁକ୍ରବାର ଭୋର୍‌ ପ୍ରାୟ ୫ଟା ୫ ମିନିଟ୍‌ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। କୋରାପୁଟ ଜିଲ୍ଲା ମୁଖ୍ୟାଳୟଠାରୁ ୫୨ କିମି ଦୂରରେ ଏହାର ଉତ୍ପତ୍ତିସ୍ଥଳ ଚିହ୍ନଟ ହୋଇଥିଲା। ଭୂମିକମ୍ପ ଅନୁଭୂତ ହେବାପରେ ଲୋକେ ଭୟଭୀତ ହୋଇ ଘରବାହାରକୁ ଚାଲି ଯାଇଥିଲେ। ଭୂମିକମ୍ପରେ ସେଭଳି ବଡ଼ଧରଣର କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ନାରାୟଣପାଟଣା ବ୍ଲକ ସଦରର ଖଣ୍ଡିଆ ସାହିରେ ରୁକ୍ମଣୀ ହିକକାଙ୍କ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା।

ସେହିପରି, ନାରାୟଣପାଟଣା ହରିଜନ ସାହି ବୁଟକି ଗାଣ୍ଠାଙ୍କ ଏକ ଅର୍ଦ୍ଧନିର୍ମିତ ଘରର କାନ୍ଥ ଭାଙ୍ଗି ପଡ଼ିବା ସହିତ ଏହି ସାହିର ମମତା ରାଉଳଙ୍କ ଅର୍ଦ୍ଧନିର୍ମିତ ଘରର ତାଜା ଭାଙ୍ଗି ଖସି ପଡ଼ିଥିଲା। ଏଥିଯୋଗୁଁ ବୁଟକି ଗାଣ୍ଠା ଓ ତାଙ୍କ ପୁଅ ଉପରେ ଇଟା ପଡ଼ିଯିବାରୁ ଉଭୟେ ସାମାନ୍ୟ ଆହତ ହୋଇଥିଲା। ଉଭୟଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର, ଦଶମନ୍ତପୁର, ବନ୍ଧୁଗାଁ, ଦାମନଯୋଡ଼ି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେହିଭଳି, ରାୟଗଡ଼ା ଜିଲ୍ଲାର କୋଲନରା, କଲ୍ୟାଣସିଂହପୁର ଓ କାଶୀପୁର ବ୍ଲକ୍‌ରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଉଲ୍ଲେଖ‌ଯୋଗ୍ୟ ଯେ ପ୍ରାୟ ୧୨ ବର୍ଷ ତଳେ କାଶୀପୁର ଓ ଲକ୍ଷ୍ମୀପୁର ବ୍ଲକରେ ଭୂମିକମ୍ପର ଅନୁଭୂତ ହୋଇଥିଲା।