ପିଓକେରେ ଭୂକମ୍ପ ୨୬ ମୃତ, ଉତ୍ତର ଭାରତରେ ଝଟ୍‌କା

ତୀବ୍ରତା ୬.୩, ବ୍ୟାପକ କ୍ଷତି ୩୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଆଜି ଭୂମିକମ୍ପ ଯୋଗୁଁ ୨୬ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ଅପରାହ୍ନ ୪ଟା ୩୩ରେ ଭୂମିକମ୍ପର ବଡ଼ ଝଟ୍‌କା ଅନୁଭୂତ ହୋଇଥିଲା ଏବଂ ପିଓକେର ଜାଟ୍‌ଲାନରେ ଏହାର ନାଭିକେନ୍ଦ୍ର ରହିଥିଲା। ୬.୩ ତୀବ୍ରତାର ଏହି ଭୂମିକଂପ ଯୋଗୁଁ ପାକିସ୍ତାନର ରାୱଲପିଣ୍ଡି, ଲାହୋର ଏବଂ ଅଧିକୃତ କଶ୍ମୀରରେ ବ୍ୟାପକ କ୍ଷତି ହୋଇଛି। ଦିଲ୍ଳୀ ସମେତ ସମଗ୍ର ଉତ୍ତର ଭାରତରେ ମଧ୍ୟ ଏହାର ଝଟ୍‌କା ଅନୁଭୂତ ହୋଇଛି। ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ ଓ ହରିୟାଣାରେ ଭୂମିକମ୍ପ ଝଟ୍‌କା ଯୋଗୁଁ ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ଏହି ଭୂମିକମ୍ପରେ ଭାରତରେ କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ଅଂଚଳରେ ରାସ୍ତା ଧସି ଯିବା ସହ ଶତାଧିକ ଘର ଭୁଶୁଡ଼ି ପଡ଼ିଛି। ଜମ୍ମୁ କଶ୍ମୀର ପୁଲିସ୍‌ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଛନ୍ତି ଯେ ଭୂକମ୍ପ ଯୋଗୁଁ କଶ୍ମୀରରେ କ୍ଷୟକ୍ଷତି ସଂକ୍ରାନ୍ତ କୌଣସି ରିପୋର୍ଟ ମିଳିନାହିଁ। ଭାରତୀୟ ସେନା ମଧ୍ୟ ଏହି ଭୂକମ୍ପ ଯୋଗୁଁ କଶ୍ମୀରରେ କୌଣସି କ୍ଷୟକ୍ଷତି ଘଟିନଥିବା କହିଛି।

ଝେଲମ୍‌ ନଦୀର ଉତ୍ତର ପାର୍ଶ୍ବସ୍ଥ ୨୩ କି‌ଲୋମିଟର ଦୂରରେ ଜାଟଲାନରେ ଭୂକମ୍ପର କେନ୍ଦ୍ର ରହିଥିଲା। ଲାହୋରଠାରୁ ଏହା ୧୭୩ କିମି ଦୂର ବୋଲି ଜଣାପଡ଼ିଛି। ୮ରୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ପିଓକେର ମୀରପୁର ଅଂଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ରାସ୍ତାଗୁଡିକ ଫାଟି ଯାଇଛି ଏବଂ ଅନେକ ସ୍ଥାନରେ ରାସ୍ତା ମଝିରେ ବିରାଟ ଗର୍ତ ସୃଷ୍ଟି ହୋଇଛି। କେତେକ ସ୍ଥାନରେ କାର ସବୁ ଓଲଟି ପଡ଼ିଥିବ‌ାର ଦେଖାଯାଇଛି। ସୂଚନାଯୋଗ୍ୟ, ଗତ ୯ ତାରିଖରେ ମଧ୍ୟ ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ଲଗାତାର ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଥିଲା। ୨୦୦୫ରେ ଜମ୍ମୁ କଶ୍ମୀରରେ ବଡ଼ ଧରଣର ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେତେବେଳେ ଏହାର ତୀବ୍ରତା ଥିଲା ୭.୬ ।

ସମ୍ବନ୍ଧିତ ଖବର