ବାମନଘାଟୀ ଅଞ୍ଚଳରେ ମୃଦୁ ଭୂମିକମ୍ପ : ଷଢ଼େଇକଳା ଭୂକମ୍ପର ନାଭିକେନ୍ଦ୍ର, ୪.୪ ରିକ୍ଟର ସ୍କେଲର ଝଟ୍‌କା

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳ‌ରେ ଆଜି ସକାଳ ପ୍ରାୟ ୬ଟା ୨୦ ମି.ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାଫଳରେ ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ସହର ସମେତ ବିଶୋଇ, ବହଳଦା, ଝରାଡିହି, ଗୋରୁମହିଷାଣୀ ଆଦି ଅଞ୍ଚଳ ଥରି ଉଠିଥିଲା। ଘର ଦ୍ବାରରେ କମ୍ପନ ସୃଷ୍ଟି ହେବା ସହ ପକ୍କା ଗୃହରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଭୂକମ୍ପ ଝଟ୍‌କା ଅନୁଭୂତ ହେବା ପରେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଭୂମିକମ୍ପର ନାଭିକେନ୍ଦ୍ର ଝାଡ଼ଖଣ୍ଡ ରାଜ୍ୟର ଷଢ଼େଇକଳା ଅଞ୍ଚଳ ଥିଲା ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପାଣିପାଗ ବିଭାଗର ସୂଚନା ମୁତାବକ ୪.୪ ରିକ୍ଟର ସ୍କେଲରେ ମୃଦୁ ଭୂକମ୍ପର ଝଟକା ହୋଇଥିଲା। ସେହିପରି ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ପଟକା, ରାଜନଗର, ଘାଟଶିଳା ଓ ମୂଷାବଣି ଓ ଷଢ଼େଇକଳା, ଖରସୁଆଁ ଜିଲ୍ଲାରେ ଭୂକମ୍ପର ଜୋରରେ ଝଟ୍‌କା ଅନୁଭୂତ ହୋଇଥିଲା। ପ୍ରଥମ ଝଟକାର କିଛି ସମୟ‌ ପରେ ଝାଡ଼ଖଣ୍ଡର ହାତା ଓ ରାଜନଗର ଅଞ୍ଚଳରେ ପୁଣି କମ୍ପନ ହୋଇଥିବା ସୂଚନା ମିଳିଛି। ତେବେ ଏହି ଭୂମିକମ୍ପରେ କୌଣସି ସ୍ଥାନରେ ବଡ଼ଧରଣର କ୍ଷୟକ୍ଷତି ଘଟି ନଥିବା ସୂଚନା ମିଳିଛି। ଛୋଟନାଗପୁର ମାଳଭୂମି ଅଞ୍ଚଳରେ ଭୂଚଳନ ହେତୁ ଏହି ଭୂମିକମ୍ପ ସଂଗଠିତ ହୋଇଥିବା ବେଳେ ପାହାଡ଼ ପର୍ବତ ଘେରା ଅଂଚଳରେ ଏହାର ବିଶେଷ ପ୍ରଭାବ ପଡ଼ିଥିଲା।

ସମ୍ବନ୍ଧିତ ଖବର