ଭୂକମ୍ପରେ ଥରିଲା ରାୟଗଡ଼ା, ରିକ୍ଟର ‌ସ୍କେଲ୍‌ରେ ତୀବ୍ରତା ୩.୬

ରାୟଗଡ଼ା/କାଶୀପୁର : ଭୂକମ୍ପରେ ଥରିଲା ରାୟଗଡ଼ା ଜିଲ୍ଲାର ଅଧିକାଂଶ ଅଞ୍ଚଳ। ଆଜି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। କାଶୀପୁର ବ୍ଲକରେ ସର୍ବାଧିକ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୬ ରହିଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି। ସ୍ବଳ୍ପ ସମୟ ପାଇଁ ଅନୁଭୂତ ହୋଇଥିବା ଭୂକମ୍ପ ପାଇଁ ଲୋକେ ଭୟଭୀତ ହେବା ସହ ଘରୁ ବାହାରକୁ ଚାଲି ଆସିଥିଲେ।

ଅପରାହ୍ନ ୪ଟା ୪୦ ମିନିଟରେ ହଠାତ୍ ଥରି ଉଠିଥିଲା ଭୂମି। କାଶୀପୁର ବ୍ଲକର କାଶୀପୁର ସଦର ମହକୁମା ସମେତ ଖୁରିଗାଁ, ଗତିଗୁଡ଼ା, କୁପାଖାଲ, ମାଇକଞ୍ଚ, ଡଙ୍ଗାସିଲ୍, ତଳଝିରି, ସୁଙ୍ଗେର, ରେଙ୍ଗା, ଗୋରଖପୁର, ମାଣ୍ଡିବିଶି, ସିରିପାଇ, ରୁଚିବାଲି ଅଞ୍ଚଳର ଲୋକ ଭୂକମ୍ପ ଅନୁଭବ କରିଛନ୍ତି। ତେବେ ଏହି ଭୂକମ୍ପର କେନ୍ଦ୍ର ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ପ୍ରଭାବରେ ଗତିଗୁଡ଼ା ଗ୍ରାମର ୫ଟି ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଗ୍ରାମର ଧର୍ନୁଜୟ ନାଇକ, ଭାବେନ୍ଦ୍ର ସାହୁ, କ୍ଷୀରମଣି ଝୋଡ଼ିଆ, କୁମ୍ଭାରସିଲା ଗାଁର ବଟକୃଷ୍ଣ ନାଏକଙ୍କ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଭୂକମ୍ପରେ ଘର ଥରିବା ପରେ ଏହି ସବୁ ଅଞ୍ଚଳର ଲୋକ ଘର ବାହାରକୁ ପଳାଇ ଆସିଥିଲେ। ଉତ୍କଳ ଆଲୁମିନା ଖଣି ଅଞ୍ଚ‌ଳରେ ମଧ୍ୟ ଭୂକମ୍ପର ପ୍ରଭାବ ପଡ଼ିଛି। ସେହିପରି ଭୂକମ୍ପର ପ୍ରଭାବ ପଡୋଶୀ ବ୍ଲକ୍ କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡ଼ା, ଅମ୍ବାଦଳା ସମେତ ରାୟଗଡ଼ା ସହରରେ ମଧ୍ୟ ଅନୁଭୂତ ହୋଇଛି। କେତେ କଣ କ୍ଷୟକ୍ଷତି ହୋଇଛି ସେ ନେଇ ସବିଶେଷ ତଥ୍ୟ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର