ବ୍ରହ୍ମପୁର : ଦୀର୍ଘଦିନ ପରେ ଟ୍ରାକ୍କୁ ଫେରିଛି କେନ୍ଦ୍ର ସରକାରଙ୍କ ମେଗା ରେଳ ପ୍ରକଳ୍ପ ପୂର୍ବତଟ ରେଳ କରିଡ଼ର୍। ସ୍ବତନ୍ତ୍ର ଭାବେ ମାଲବାହୀ ଟ୍ରେନ୍ ଯାତାୟାତ ନିମନ୍ତେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ୨୦୧୯ ନିଷ୍ପତ୍ତି ନେଇଥିଲେ। ଏହି ରେଳଲାଇନ୍ ବିଛାଇବା ପାଇଁ ଏବେ ମୃତ୍ତିକା ପରୀକ୍ଷା ଆରମ୍ଭ ହୋଇଛି। ରେଳ ବିଭାଗ ତରଫରୁ ଖଲ୍ଲିକୋଟ ବ୍ଲକ୍ ତୁଳସୀପୁର ଠାରେ ମୃତ୍ତିକା ପରୀକ୍ଷା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଖଡ଼ଗପୁରରୁ ବିଜୟୱାଡ଼ା ପର୍ଯ୍ୟନ୍ତ ଏହି ରେଳ କରିଡର୍ର ଦୈର୍ଘ୍ୟ ପ୍ରାୟ ୧୧୧୫ କିମି ରହିବ ବୋଲି ପ୍ରାଥମିକ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ରେଳଲାଇନ୍ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ଦେଇ ଯିବ।
ଏହି ସବୁ ଜିଲ୍ଲା ଦେଇ ଯିବାକୁ ଥିବା ରେଳ ଲାଇନ୍ ପାଇଁ ୯ଟି ନୂତନ ରେଳ ଷ୍ଟେସନ୍ ତିଆରି କରାଯିବାକୁ ପ୍ରସ୍ତାବ ରହିଛି। ସେଗୁଡ଼ିକ ହେଲା ନୂତନ ଅର୍ମଦା ରୋଡ଼, ନୂତନ ବାଲେଶ୍ବର, ନୂତନ ଭଦ୍ରକ ନର୍ଥ, ନୂତନ ଭଦ୍ରକ ସାଉଥ୍, ନୂତନ ଜଖପୁରା, ନୂତନ ହରିଦାସପୁର, ନୂତନ ରାଜଆଠଗଡ଼, ନୂତନ କୁହୁଡ଼ି ଓ ନୂତନ ବ୍ରହ୍ମପୁର/ଦୟାପଲ୍ଲୀ ରେଳ ଷ୍ଟେସନ୍ ହେବ ବୋଲି ସୂଚନା ଅଧିକାର କର୍ମୀ ଶ୍ରୀ ପାତ୍ରଙ୍କ ତଥ୍ୟରୁ ଜଣାପଡ଼ିଛି। ରେଳ ବିଭାଗର ଉଦ୍ୟୋଗ ଡେଡିକେଟେଡ୍ ଫ୍ରେଟ୍ କରିଡ଼ର୍ କର୍ପୋରେସନ୍(ଡିଏଫ୍ସିସି) ତରଫରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅନୁମତି କ୍ରମେ ଇଷ୍ଟ୍କୋଷ୍ଟ ରେଳ କରିଡ଼ର୍ ପାଇଁ ଗତବର୍ଷ ଗଞ୍ଜାମରେ ଏରିଅଲ୍ ସର୍ଭେ ହୋଇଥିଲା। ଏରିଅଲ୍ ସର୍ଭେ ସରିବା ପରେ ଲୋକେସନ୍ ସର୍ଭେ କାମ ସମାପ୍ତ ହୋଇଛି।
ଏହି ନୂତନ ରେଳ କରିଡ଼ର୍ରେ ଓଡ଼ିଶାରେ ନୂତନ ଭାବେ ୯ଟି ରେଳଷ୍ଟେସନ୍ ତିଆରି କରିବାକୁ ପ୍ରସ୍ତାବ ରହିଥିବା ସୂଚନା ଅଧିକାର କର୍ମୀ ତଥା କବିସୂର୍ଯ୍ୟନଗରର ଆଇନଜୀବୀ ବି.ଶଙ୍କର ପାତ୍ର ପାଇଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଛି। ଏହି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ମାଲ ପରିବହନରେ ବେଶ ସୁବିଧା ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଏହି ମେଗା ପ୍ରକଳ୍ପ ପାଇଁ ଡିପିଆର୍ (ଡିଟେଲ୍ ପ୍ରୋଜେକ୍ଟ୍ ରିପୋର୍ଟ) ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ରେଳ ପ୍ରକଳ୍ପ ଦ୍ବାରା ଜଙ୍ଗଲ, ପରିବେଶ, ବୃହତ ଜଳାଶୟ ଓ ଜନବସତି ଯେପରି ଅଧିକ ପ୍ରଭାବିତ ନହେବ, ସେଥିପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯାଇଛି। ଏହି ପ୍ରକଳ୍ପ ଆଦିବାସୀ ଅଞ୍ଚଳକୁ ଛୁଇଁବ ନାହିଁ। ଶିମିଳିପାଳ, କପିଳାସ ଓ ଚନ୍ଦକା ଜଙ୍ଗଲ ଠାରୁ ଏହା ଦୂରରେ ରହିଛି। ମୁଖ୍ୟ ଉପକୂଳବର୍ତ୍ତୀ ସହର ଭୁବନେଶ୍ବର, କଟକ ଓ ବ୍ରହ୍ମପୁରର ଜନବସତି ଠାରୁ ମଧ୍ୟ ଏହି ପ୍ରକଳ୍ପର ରେଳଲାଇନ୍ ଢେର୍ ଦୂର ଦେଇ ଯିବ। ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାରେ ରହିଥିବା ବଡ଼ ବଡ଼ ଶିଳ୍ପାଞ୍ଚଳ, ବନ୍ଦର ଓ ଖଣି ଅଞ୍ଚଳର ମାଲ୍ ପରିବହନରେ ସୁବିଧା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।
ଏହି ନୂତନ ମାଲବାହୀ ରେଳ କରିଡର୍ ପାଇଁ ସମ୍ପୂର୍ଣ୍ଣ ଭାବେ ନୂତନ ରେଳପଥ ତିଆରି ହେବ। ବର୍ତ୍ତମାନ ରହିଥିବା ରେଳପଥ ସହିତ ଏହାର କୌଣସି ସଂଯୋଗ ରହିବ ନାହିଁ। ପ୍ରାଥମିକ ପର୍ଯ୍ୟାୟରେ କେବଳ ମାଲବାହୀ ଟ୍ରେନ୍ ଯିବା ପାଇଁ ପୂର୍ବତଟ ମାଲବାହୀ ରେଳ କରିଡର୍ ତିଆରି କରିବାକୁ ଯୋଜନା କରାଯାଇଛି। ସେହିପରି ବ୍ରହ୍ମପୁର(ଗୋପାଳପୁର)-ସମ୍ବଲପୁର ପ୍ରସ୍ତାବିତ ନୂତନ ରେଳ ଲାଇନ୍ ହିଂଜିଳିକାଟୁ ବ୍ଲକ୍ର ଦୟାପଲ୍ଲୀ ନିକଟରେ ରେଳ କରିଡର୍କୁ ଛୁଇଁବ ବୋଲି ପ୍ରସ୍ତାବ ରହିଛି।