ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ସଫଳତା : ସେପ୍ଟେମ୍ବରରେ ୧୬.୧୬ ନିୟୁତ ଟନ୍‌ ପରିବହନ

ଭୁବନେଶ୍ୱର : ଅଧିକ ପଣ୍ୟ ପରିବହନର ଲକ୍ଷ୍ୟ ସାଧନରେ ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏହି ମାସରେ ଭାରତୀୟ ରେଳବାଇ ୧୦୨.୧୨ ନିୟୁତ ଟନ୍ ପଣ୍ୟ ପରିବହନ କରିଛି, ଯାହାକି ୨୦୧୯ର ସେପ୍ଟେମ୍ବର ମାସ ପଣ୍ୟ ପରିବହନଠାରୁ ୧୩.୫୯ ନିୟୁତ ଟନ୍ ତଥା ୧୫.୩୫ ପ୍ରତିଶତ ଅଧିକ। ୨୦୧୯ ସେପ୍ଟେମ୍ବରରେ ୮୮.୫୩ ନିୟୁତ ଟନ୍ ପଣ୍ୟ ପରିବହନ କରାଯାଇଥିଲା।

ଦେଶରେ ସେପ୍ଟେମ୍ବର ମାସର ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ଏକ ପ୍ରମୁଖ ଅଂଶ ପ୍ରଦାନ କରିଛି। ଏଥର ପୂର୍ବତଟ ରେଳପଥ ୧୬.୧୬ ନିୟୁତ ଟନ୍ ପଣ୍ୟ ପରିବହନ କରିଛି, ଯାହାକି ୨୦୧୯ ସେପ୍ଟେମ୍ବରଠାରୁ ୧.୫୮ ନିୟୁତ ଟନ୍ ଅଧିକ। କୋଭିଡ୍‌-୧୯ ନିୟମାବଳୀ ପାଳନ କରି ଲକ୍‌ଡାଉନ୍‌ ସମୟରେ ପୂର୍ବତଟ ରେଳ ପରିସୀମାରେ ଥିବା ଶିଳ୍ପ ଓ ଖଣିଜ ୟୁନିଟ୍‌ଗୁଡ଼ିକରେ ତାଲା ପଡ଼ିବା ସହ କାର୍ଯ୍ୟ ବନ୍ଦ ଏବଂ କମ୍ କର୍ମଜୀବୀ କାର୍ଯ୍ୟ କରିବା ସତ୍ତ୍ବେ ପୂର୍ବତଟ ରେଳପଥ ଏହି ସଫଳତାକୁ ହାସଲ କରିଛି। ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ପୂର୍ବତଟ ରେଳପଥ ସେପ୍ଟେମ୍ବରରେ ଦୈନିକ ୮୧୧୪ଟି ୱାଗନ୍ ବ୍ୟବହାର କରିଛି। ଏହା ୨୦୧୯ ସେପ୍ଟେମ୍ବର ତୁଳନାରେ ୭୬୩ଟି ଅଧିକ।

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କ ନେତୃତ୍ୱରେ ବ୍ୟବସାୟ ବିକାଶ ୟୁନିଟ୍ ମାଧ୍ୟମରେ ମାଲ ପରିବହନ କାର୍ଯ୍ୟର ସମୀକ୍ଷା, ଲଜିଷ୍ଟିକ୍ କ୍ଷେତ୍ରରେ ସ୍ଥିରତା ଓ ନିଶ୍ଚିତତା ସହ ଅଭିନବ ନୀତି ପ୍ରସ୍ତୁତ, ରେଳରୁ ମୋଡାଲ୍ ଗମନାଗମନ ପାଇଁ ନୂତନ ମାର୍ଗକୁ ଆକର୍ଷିତ କରିବା ଆଦି ଯୋଗୁଁ ପଣ୍ୟ ବୋଝେଇ କ୍ଷେତ୍ରରେ ଏହି ସଫଳତା ମିଳି ପାରିଛି। ରେଳପଥର ୩ଟି ରେଳମଣ୍ଡଳର ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କ ପାଇଁ ଏହି ସଫଳତା ମିଳିଛି।

ସମ୍ବନ୍ଧିତ ଖବର