ଭୁବନେଶ୍ବର : ଡିଜିଟାଲ ତଥ୍ୟ ପ୍ରମାଣ ସଂଗ୍ରହ ଓ ସାଇବର ଅନୁସନ୍ଧାନ ପ୍ରଣାଳୀର ପ୍ରୟୋଗ ନିମନ୍ତେ ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ ସାଇବର ସେଲ୍‌ ଉଦଘାଟିତ ହୋଇଛି। ଏଥିପାଇଁ ଉଚ୍ଚ ଗୁଣବତ୍ତା ହାର୍ଡଓୟାର ଓ ସଫ୍ଟଓୟାର ସ୍ଥାପିତ କରାଯାଇଛି। ରେଳ ସୁରକ୍ଷା ବଳର ଏହି ସେଲରେ ନିୟୋଜିତ ହୋଇଥିବା କର୍ମଚାରୀ ଉଚ୍ଚ ପ୍ରଶିକ୍ଷିତ ଅଟନ୍ତି। ସାଇବର ସେଲ୍‌ ହାଇଟେକ୍‌ ପଦ୍ଧତି ଓ ଆଇଟି ସିଷ୍ଟମ ମାଧ୍ୟମରେ ଭଦ୍ର ମୁଖାଧାରୀ ଅପରାଧୀଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଅପରାଧକୁ ଠାବ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସହାୟକ ହେବ। ବୃଦ୍ଧି ପାଉଥିବା ଅନ୍‌ଲାଇନ ଠକେଇକୁ ଧରିବା ପାଇଁ ସୁରକ୍ଷା କର୍ମଚାରୀଙ୍କୁ ଅଧିକ ବୈଷୟିକ ତାଲିମ ଦେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଉଦ୍‌ଘାଟନ ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ କହିଛନ୍ତି।

Advertisment

ଅନଧିକୃତ ସଫ୍ଟଓୟାର/ଆପ୍ଲିକେସନ୍ ଦ୍ୱାରା ସଂରକ୍ଷଣ ପ୍ରଣାଳୀକୁ ବାଇପାସ୍‌ କରି ଅଗ୍ରିମ ସଂରକ୍ଷଣ ବର୍ଥ କରବାରରେ ସମ୍ପୃକ୍ତ ଅନୈତିକ ଲୋକଙ୍କୁ ଠାବ କରିବାରେ ଏହା ଫଳପ୍ରଦ ହେବ। ଏହି ସେଲ୍‌ ରେଳ ପରିସରରୁ ରେଳବାଇ ସାମଗ୍ରୀ ଚୋରି, ରେଳ ଫାଟକ ଇତ୍ୟାଦି ଭାଙ୍ଗି ପଳାଇ ଯାଉଥିବା ଅପରାଧୀଙ୍କୁ ଧରିବାରେ ସହାୟକ ହେବ। ମହିଳା ଓ ଶିଶୁଙ୍କ ମାନଙ୍କ ପ୍ରତି ଘଟୁଥିବା ଅପରାଧ, ନିଶା କାରବାର, ରେଲୱେ ଷ୍ଟେସନ, ଟ୍ରେନ ଓ ରେଳ ପରିସରରେ ଘଟିଥିବା ଜଙ୍ଗଲଜାତ ଦ୍ରବ୍ୟର ଚୋରା କରବାର ଇତ୍ୟାଦି ଅପରାଧର ତଥ୍ୟ ଅନ୍ୟାନ୍ୟ ଆଇନ ପ୍ରବର୍ତ୍ତନ ସଂସ୍ଥାଙ୍କୁ ମଧ୍ୟ ଅର୍ପଣ କରି ଦିଆଯିବ। ଏହି ପଦକ୍ଷେପ ରେଳପଥରେ ଅପରାଧ ଘଟିବା ହ୍ରାସ କରି ଯାତ୍ରୀଙ୍କୁ ଅଧିକ ସୁରକ୍ଷିତ ରେଳ ଯାତ୍ରାର ବାତାବରଣ ଉପଲବ୍ଧ କରାଇବା ସହିତ ରେଳବାଇ ସମ୍ପତ୍ତିକୁ ଉନ୍ନତ ନିରାପତ୍ତା ପ୍ରଦାନ କରିବ। ଉଦ୍‌ଘାଟନୀ ଉତ୍ସବରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ପ୍ରମୁଖ ମୁଖ୍ୟ ନିରାପତ୍ତା କମିଶନର ରାଜାରାମ, ବିଭାଗୀୟ ପ୍ରମୁଖ, ଡିଆରଏମ, ଖୋର୍ଦ୍ଧାରୋଡ ଶଶିକାନ୍ତ ସିଂହ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।