ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ବର : ଭାରତୀୟ ରେଳପଥରେ ପୂର୍ବତଟ ରେଳପଥ ଚଳିତ ୨୦୨୨-୨୩ର ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହା ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ୨୪୧.୫୧ ନିୟୁତ ଟନ୍ ପଣ୍ୟ ପରିବହନ କରିଛି। ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ପ୍ରଥମ ଜୋନ୍ ଭାବେ ଭାରତୀୟ ରେଳରେ ଇତିହାସ ସୃଷ୍ଟି କରିଛି।

ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ପୂର୍ବତଟ ରେଳପଥ ୯.୩୭ ନିୟୁତ ଟନ୍ ଅଧିକ ପଣ୍ୟ ପରିବହନ କରିଛି। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୨୩୨.୧୩ ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା।

ପୂର୍ବତଟ ରେଳପଥ ହେଉଛି ଭାରତୀୟ ରେଳର ଏକମାତ୍ର ରେଳପଥ ଯାହା ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ୨୨୦ ନିୟୁତ ଟନ୍‌, ୨୩୦ ନିୟୁତ ଟନ୍ ଏବଂ ୨୪୦ ନିୟୁତ ଟନ୍ ପଣ୍ୟ ପରିବହନର ମାଇଲଷ୍ଟୋନକୁ ଅତିକ୍ରମ କରିଛି। ଭାରତୀୟ ରେଳ ମନ୍ତ୍ରଣାଳୟ ପୂର୍ବତଟ ପାଇଁ ୨୪୦.୬୦ ନିୟୁତ ଟନ୍ ପଣ୍ୟ ପରିବହନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ସଫଳତାର ସହ ହାସଲ ହୋଇଛି।

ଭାରତର ୬୮ଟି ଡିଭିଜନ ମଧ୍ୟରୁ ଖୋର୍ଦ୍ଧା ରୋଡ୍ ଡିଭିଜିନ ଏବଂ ୱାଲ୍ଟିୟର ଡିଭିଜନ ପଣ୍ୟ ପରିବହନରେ ଯଥାକ୍ରମେ ତୃତୀୟ ଏବଂ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ଖୋର୍ଦ୍ଧା ରୋଡ୍ ଡିଭିଜନରେ ୧୫୫.୩୪ନିୟୁତ ଟନ୍‌, ୱାଲ୍ଟିୟର ଡିଭିଜନରେ ୬୯.୬୩ ନିୟୁତ ଟନ୍ ଏବଂ ସମ୍ବଲପୁର ଡିଭିଜନରେ ୧୬.୫୪ ନିୟୁତ ଟନ୍ ପଣ୍ୟ ପରିବହନ କରାଯାଇଛି, ଯାହାଦ୍ୱାରା ଏହି ରେକର୍ଡ ସମ୍ଭବପର ହୋଇପାରିଛି।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ୩ଟି ଡିଭିଜନର ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଏହି ସଫଳତା ପାଇଁ ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି।

ସମ୍ବନ୍ଧିତ ଖବର