ହରିଦାସପୁର-ପାରାଦୀପ ରେଳପଥରେ ପରୀକ୍ଷାମୂଳକ ମାଲବାହୀ ଟ୍ରେନ୍ ଚଳାଚଳ ନିମନ୍ତେ ପୂର୍ବତଟ ରେଳପଥର ନିବେଦନ

ଭୁବନେଶ୍ୱର : ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଜୁଲାଇ ୩୧ରୁ ପରୀକ୍ଷାମୂଳକ ମାଲବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ପାସେଞ୍ଜର(ଯାତ୍ରୀବାହୀ) ଟ୍ରେନ୍ ଚଳାଚଳ ନିମନ୍ତେ ଏହି ରେଳପଥର ଆଖପାଖ ଅଞ୍ଚଳର ଲୋକଙ୍କ ଉଚ୍ଚାଭିଳାଷକୁ ପୂର୍ବତଟ ରେଳପଥ ପ୍ରଶଂସା କରିଛି। ତେବେ ରେଳପଥ ପକ୍ଷରୁ ନିବେଦନ କରାଯାଇଛି ଯେ ଏହି ରେଳପଥରେ ନିରାପଦ ଟ୍ରେନ୍ ଚଳାଚଳ କରିବାକୁ ହେଲେ ମାଲବାହୀ ଟ୍ରେନ୍‌ର ପରୀକ୍ଷାମୂଳକ ଚଳାଚଳ ବା ଟ୍ରାଏଲ୍ ରନ୍ ଏକାନ୍ତ ଆବଶ୍ୟକ। ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ନିମନ୍ତେ ବହୁ ନିରାପତ୍ତା ଭିତ୍ତିକ କାର୍ଯ୍ୟର ଆବଶ୍ୟକତା ରହିଛି। ଯାତ୍ରୀ ସୁବିଧା ଯୋଗାଣ କାର୍ଯ୍ୟ ମଧ୍ୟ କରାଯିବା ଆବଶ୍ୟକ। ପରୀକ୍ଷାମୂଳକ ମାଲ୍‌ବାହୀ ଟ୍ରେନ୍ ଚଳାଚଳ ହେଉଛି, ପାସେଞ୍ଜର ଟ୍ରେନ୍ ଚଳାଚଳ କରିବା ନିମନ୍ତେ ପ୍ରାଥମିକ ପଦକ୍ଷେପ ଏବଂ ଏଥିପାଇଁ ଅତ୍ୟାବଶ୍ୟକ ନିରାପତ୍ତା କାର୍ଯ୍ୟ ଶେଷ କରିବା ସହ ଯାତ୍ରୀ ସୁବିଧା ଉପଲବ୍ଧ କରାଇବା। ଜୁଲାଇ ୩୧ ପରି ମାଲବାହୀ ଟ୍ରେନ୍‌ର ଟ୍ରାଏଲ୍ ରନ୍‌କୁ ବାଧାପ୍ରାପ୍ତ କଲା ଭଳି କାର୍ଯ୍ୟ ଯଦି କରାଯାଏ, ତେବେ ଏହି ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଫିଟ୍ ବା ଉପଯୁକ୍ତ କରାଯିବାର ସମସ୍ତ ପ୍ରଣାଳୀ ଭବିଷ୍ୟତରେ ଆହୁରି ବିଳମ୍ବ ହେବ। ତେଣୁ ନିକଟ ଭବିଷ୍ୟତରେ ଚଳାଚଳ କରିବାକୁ ଥିବା ପାସେଞ୍ଜର୍ ଟ୍ରେନ୍ ପାଇଁ ଏହି ରେଳପଥକୁ ଫିଟ୍ ବା ଉପଯୁକ୍ତ କରିବା ନିମନ୍ତେ ମାଲବାହୀ ଟ୍ରେନ୍‌ର ପରୀକ୍ଷାମୂଳକ ଚଳାଚଳକୁ ବାଧାପ୍ରାପ୍ତ ନକରି ସୁରୁଖୁରୁରେ ଯାତ୍ରା କରିବାକୁ ଦିଆଯିବାକୁ ପୂର୍ବତଟ ରେଳପଥ ଲୋକଙ୍କୁ ନିବେଦନ କରିଛି।

ସମ୍ବନ୍ଧିତ ଖବର