ମୌସୁମୀ ପୂର୍ବରୁ ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା : ସମ୍ବେଦନଶୀଳ ସ୍ଥାନରେ ରହିବେ ଜଗୁଆଳି, ରେଳ ଟ୍ରାକ୍‌ ସୁରକ୍ଷା ପାଇଁ ନିୟୋଜିତ ହେବେ ଗ୍ୟାଙ୍ଗମ୍ୟାନ୍‌

ଡ୍ରେନ୍‌ ଓ ପୋଲଗୁଡ଼ିକରୁ ପଙ୍କ, ଅଳିଆ ସଫା

ଭୁବନେଶ୍ବର : ଆସୁଛି ମୌସୁମୀ। ଜୁନ୍‌ ତୃତୀୟ ସପ୍ତାହରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବର୍ଷାଜନିତ ବନ୍ୟା ପରିସ୍ଥିତି ସମୟରେ ରେଳ ଚଳାଚଳରେ ବାଧା ଉପୁଜିପାରେ। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସାବଧାନତା ଓ ସୁରକ୍ଷିତ ପଦକ୍ଷେପ ଗ୍ରହଣ କରାଯାଇଛି। ରେଳ ପୋଲ, ଟ୍ରାକ୍‌, ୟାର୍ଡ ଓ ସାଙ୍କେତିକ ପ୍ରଣାଳୀ କିଭଳି କ୍ଷତିଗ୍ରସ୍ତ ନ ହେବ, ସେଥିପ୍ରତି ଗୁରୁତ୍ବ ଦିଆଯାଇଛି।

ରେଳବ୍ରିଜ୍‌ ଓ ରେଳଧାରଣା ପ୍ରତି ସତର୍କ ଦୃଷ୍ଟି ରଖି କାର୍ଯ୍ୟ କରିବାକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରେଳପଥ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୌସୁମୀକୁ ଦୃଷ୍ଟିରେ ରଖି ପାଣି ଧରି ରଖୁଥିବା ଓ ପାର୍ଶ୍ବ ଡ୍ରେନ୍‌ଗୁଡ଼ିକରୁ ପଙ୍କ, ଅଳିଆ ଓ ଅନ୍ୟ ଆବର୍ଜନାକୁ ସଫା କରାଯାଉଛି। ପାଣି ଜମା ହୋଇ ନ ରହିବା ପାଇଁ ପୋଲଗୁଡ଼ିକ ପାଖରୁ ଅଳିଆ ପରିଷ୍କାର କରାଯିବା ସହ ପଙ୍କ କଢ଼ାଯାଇଛି। ୨୪ ଘଣ୍ଟା ଖୋଲା ରହୁଥିବା ପୂର୍ବତଟ ରେଳପଥ କାର୍ଯ୍ୟାଳୟର ଅଧିକାରୀମାନେ କ୍ରମାଗତ ଭାବେ ପାଣିପାଗ ବିଭାଗ, ଆପଦ ପ୍ରବନ୍ଧନ କକ୍ଷ ଓ ବନ୍ୟାପ୍ରବଣ ଅଞ୍ଚଳରେ ନିଯୁକ୍ତ ଥିବା କର୍ମଚାରୀମାନଙ୍କ ସହ ସମ୍ପର୍କରେ ରହି ନିରନ୍ତର ଭାବେ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି। ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ସହ ସମନ୍ବୟ ରକ୍ଷା କରାଯାଉଛି। ପୋଲଗୁଡ଼ିକର ପିଲର୍‌ରେ ବିପଦ ସଙ୍କେତ ଚିହ୍ନକୁ ମଧ୍ୟ ନାଲି ଉଜ୍ଜ୍ବଳ ସାଂକେତିକ ବ୍ୟବସ୍ଥା କରାଯାଇଛି। ଯେପରି ରେଳବାଇ ପ୍ରହରୀ ଓ କର୍ମଚାରୀମାନେ ଏହାକୁ ଠିକ ଭାବେ ଦେଖିପାରିବେ। ରେଳଧାରଣା ଉପରେ ପାଣି ଜମା ହୋଇ ନ ରହିବା ପାଇଁ ଷ୍ଟେସନର ୟାର୍ଡ, ଡ୍ରେନ୍‌ଗୁଡ଼ିକୁ ମଧ୍ୟ ସ‌‌‌ଫେଇ କରାଯାଇଛି। ବର୍ଷା ସମୟରେ ରେଳଧାରଣା ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପ୍ରହରୀ ବା ଜଗୁଆଳି ବ୍ୟବସ୍ଥା କରାଯାଇଛି। କୌଣସି ବିପଦ ନଜରକୁ ଆସିଲେ, ସେମାନେ ଟ୍ରେନ୍‌କୁ ଅଟକାଇ ଯାତ୍ରୀମାନଙ୍କର ଜୀବନକୁ ସୁରକ୍ଷା ଦେଇପାରିବେ। ସମ୍ବେଦନଶୀଳ ଅଞ୍ଚଳରେ ପ୍ରହରୀ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରବଳ ବର୍ଷା ସମୟରେ ରେଳ ସେକ୍ସନର ଗ୍ୟାଙ୍ଗ୍‌ମ୍ୟାନ୍‌ମାନେ ରେଳବ୍ରିଜ୍‌ ଓ ରେଳ ଧାରଣା ପ୍ରତି ସଜାଗ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ଫଳରେ ରେଳ ଚଳାଚଳକୁ ସ୍ବାଭାବିକ କରାଯିବା ସହ ଯାତ୍ରୀମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇପାରିବ। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବାଲାଷ୍ଟ/ପଥର, ବାଲିବସ୍ତା, ପାଉଁଶ ବସ୍ତା, ଖଣିଗୁଡ଼ିକରେ ଅବ୍ୟବହୃତ ମାଟି ଇତ୍ୟାଦି ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ମାତ୍ରାରେ ଗଚ୍ଛିତ କରାଯାଉଛି। ଇଞ୍ଜିନିୟରିଂ ରିଲିଫ ଭ୍ୟାନ୍‌ ସହ ସାମଗ୍ରୀକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି। ଏହାବ୍ୟତୀତ ପୂର୍ବତଟ ରେଳପଥ ଭାରତୀୟ ପାଣିପାଗ ବିଭାଗ ସହ ମଧ୍ୟ ସଂପର୍କରେ ରହିଛି। ସୂଚନା ମିଳିବା କ୍ଷଣି କର୍ମଚାରୀଙ୍କୁ ପରିସ୍ଥିତିକୁ ସାମ୍ନା କରିବା ପାଇଁ ନିୟୋଜିତ କରାଯାଇପାରିବ।

ସମ୍ବନ୍ଧିତ ଖବର