ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ପୂର୍ବତଟ ରେଳପଥ ଆଗରେ

ଭୁବନେଶ୍ୱର : ସ୍କ୍ରାପ ଅପସାରଣ କ୍ଷେତ୍ରରେ ସକ୍ରିୟ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ। ଲକ୍‌ଡାଉନ ଉଠିବା ପରେ ଅର୍ଥାତ୍‌ ଜୁନରେ ପୂର୍ବତଟ ରେଳପଥ ଦ୍ୱାରା ସ୍କ୍ରାପ୍ ଅପସାରଣ ପ୍ରକ୍ରିୟା ଇ-ନିଲାମ ମାଧ୍ୟମରେ ପୁନଃ ଆରମ୍ଭ କରାଯାଇଛି। ପୂର୍ବତଟ ରେଳପଥ ଦ୍ୱାରା ସମସ୍ତ ଡିଭିଜନରେ ସମୁଦାୟ ୧୧ଟି ଇ-ନିଲାମ ଅନୁଷ୍ଠିତ ହୋଇଛି। ଜୁଲାଇରେ ମଧ୍ୟ ଏବେ ସୁଦ୍ଧା ୬ଟି ଇ-ନିଲାମ ଅନୁଷ୍ଠିତ ହୋଇସାରିଛି।

ଇ-ନିଲାମ ପ୍ରକ୍ରିୟା ସମ୍ପୂର୍ଣ ରୂପେ ଅନ୍‌ଲାଇନ ପଦ୍ଧତିରେ କରାଯାଏ। ୨୦୦୨ରୁ ପୂର୍ବତଟ ରେଳପଥର ସାମଗ୍ରୀ ପରିଚାଳନା ବିଭାଗ ଦ୍ୱାରା ଏହାର ଉତ୍ସର୍ଗୀକୃତ ଆଇଆରଇପିଏସ୍‌(ଭାରତୀୟ ରେଳ ଇ-ପ୍ରୋକରମେଣ୍ଟ ସିଷ୍ଟମ) ପୋର୍ଟାଲ ମାଧ୍ୟମରେ ଇ-ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେଇ ଆସୁଛି। ଯାହାକି ସ୍କ୍ରାପ ସାମଗ୍ରୀ ଅପସାରଣ କରିବାର ଏକ ସ୍ୱଚ୍ଛ ପ୍ରଣାଳୀ। ଏହାଦ୍ୱାରା ଏକ ନିର୍ମଳ ପଦ୍ଧତି ତଥା କୌଣସି ବ୍ୟକ୍ତିଗତ ହସ୍ତକ୍ଷେପ ବିନା ସମସ୍ତ ବିଡର ସମାନ ଭାବେ ସୁଯୋଗ ପାଇ ପାରନ୍ତି। ଏହି ପୋର୍ଟାଲରେ ଏପର୍ଯ୍ୟନ୍ତ ୩୭୦୦ରୁ ଅଧିକ ଭେଣ୍ଡର ରେଜିଷ୍ଟ୍ରିଭୁକ୍ତ ହେଇ ସାରିଛନ୍ତି। ଇ-ନିଲାମ ପ୍ରଣାଳୀରେ ଆଇଆରଇପିଏସ୍‌ ପ୍ଲାଟଫର୍ମରେ ଅନ୍‌ଲାଇନ ମାଧ୍ୟମରେ ଲଟ୍‌ଗୁଡିକର ବିବରଣୀ ପ୍ରକାଶିତ କରାଯାଇଥାଏ ଏବଂ ବିଡରଙ୍କୁ ଅନ୍‌ଲାଇନ ମାଧ୍ୟମରେ ବିଡ୍‌ କରିବା ପାଇଁ ଅନୁମତି ମିଳେ। ଗତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ କରିଥିବା ସ୍କ୍ରାପ୍ ଅପସାରଣର ପରିମାଣ, ଭାରତୀୟ ରେଳ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଠାରୁ ୩୪% ଅଧିକ ରହିଛି। ଏହି ପ୍ରକ୍ରିୟା ଚଳିତବର୍ଷ ମଧ୍ୟ ସମୁଚିତ ରୂପେ ଜାରି ରଖାଯିବ।

ସମ୍ବନ୍ଧିତ ଖବର