କରୋନା ପ୍ରଭାବ: ପୂର୍ବତଟ ରେଳର ୧ଲକ୍ଷରୁ ଅଧିକ ଟିକେଟ ବାତିଲ୍ ; ୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ବାତିଲ

ଭୁବନେଶ୍ୱର: ସଂପ୍ରତି କରୋନା ଭାଇରସ୍‌କୁ କେନ୍ଦ୍ର କରି ଦେଶ ଓ ରାଜ୍ୟରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। କରୋନାକୁ ନେଇ ଆତଙ୍କିତ ଜନତା ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ସେମାନଙ୍କର ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଅଧିକ ନିରାପଦ ମଣୁଛନ୍ତି। ଫଳରେ ଏହାର ସିଧାସଳଖ ପ୍ରଭାବ ଏବେ ପୂର୍ବତଟ ରେଳ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ବିଗତ ମାତ୍ର ୬ଦିନ ମଧ୍ୟରେ ପୂର୍ବତଟ ରେଳ ଅଧୀନରେ ଚଳାଚଳ କରୁଥିବା ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକ ପାଇଁ ପୂର୍ବରୁ ବୁକ୍‌ ହୋଇଥିବା ପ୍ରାୟ ୧ ଲକ୍ଷରୁ ଅଧିକ ଟିକେଟକୁ ବାତିଲ୍ (କ୍ୟାନସଲ୍‌) କରି ଦେଇଛନ୍ତି। ଯାହାକି ବିଗତ ବର୍ଷ ଏହି ସମୟ ମଧ୍ୟରେ ହୋଇଥିବା ଟିକେଟ ବାତିଲ୍  ତୁଳନାରେ ୬୭ ପ୍ରତିଶତ ଅଧିକ ଥିବା ଜାଣିବାକୁ ମିଳିଛି। ଏ ପ୍ରକାର ସ୍ଥିତି ଯେ କେବଳ ମାତ୍ର ଓଡ଼ିଶାରେ ଦେଖିବା ପାଇଁ ମିଳିଛି, ତାହା ନୁହେଁ ସମଗ୍ର ଦେଶରେ ଏବେ ଟିକେଟ ବାତିଲ୍ ବୃଦ୍ଧି ପାଇ ୮୦ ପ୍ରତିଶତରେ ପହଞ୍ଚିଛି।

ଅନ୍ୟପକ୍ଷରେ, ଯାତ୍ରୀ ସଂଖ୍ୟା ହ୍ରାସକୁ ଦେଖି ପୂର୍ବତଟ ରେଳ କର୍ତ୍ତୃପକ୍ଷ ୫ ଯୋଡା (୧୦ଟି) ସ୍ୱତନ୍ତ୍ର ଟ୍ରେନ୍‌ର ଚଳଚଳକୁ ବର୍ତ୍ତମାନ ପାଇଁ ବନ୍ଦ କରି ଦେଇଛନ୍ତି। ଯଦି ଆବଶ୍ୟକ ପଡ଼େ ତେବେ, ଯାତ୍ରୀଙ୍କ ଟିକେଟ ବାତିଲକୁ ଦୃଷ୍ଟିରେ ରଖି ଅଧିକ ଟ୍ରେନ୍‌ର ଚଳାଚଳକୁ ମଧ୍ୟ ବାତିଲ ବା ରଦ୍ଦ କରିଦିଆ ଯାଇପାରେ ବୋଲି ଇଷ୍ଟକୋଷ୍ଟ ରେଲେଓ୍ଵ ପକ୍ଷରୁ ଜାରି ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି। ସେହିପରି କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ସାମୟିକ କାଳ ପାଇଁ ଭୁବେନେଶ୍ୱର, ପୁରୀ, ସମ୍ବଲପୁର ଏବଂ ବିଶାଖାପାଟନମ୍‌ରୁ ଚଳାଚଳ କରୁଥିବା ଟ୍ରେନ୍‌ ଗୁଡ଼ିକରେ ଯାତ୍ରୀମାନଙ୍କୁ ଯାତ୍ରା କାଳରେ ଚଦର, କମ୍ବଳ କିମ୍ବା ଟାୱେଲ୍ ଦିଆଯାଉନାହିଁ ଏବଂ ନିଜର ବିଛଣା ନିଜେ ଆଣିବାକୁ ପରାମର୍ଶ ଦିଆଯାଇଛି।

ଯାତ୍ରା ରଦ୍ଦ କରା ଯାଇଥିବା ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକର ତାଲିକା:

-୦୮୫୦୧/ ୦୮୫୦୨
ବିଶାଖାପାଟନମ୍‌- ସିକନ୍ଦରାବାଦ୍‌- ବିଶାଖାପାଟନମ୍‌ (ସ୍ୱତନ୍ତ୍ର)
– ୦୮୫୭୩/ ୦୮୫୭୪
ବିଶାଖାପାଟନମ୍‌- ତିରୁପତି- ବିଶାଖାପାଟନମ୍‌ (ସ୍ୱତନ୍ତ୍ର)
– ୦୮୩୦୧/୦୮୩୦୨
ସମ୍ବଲପୁର- ବଂଶଓ୍ଵାଡ଼ି- ସମ୍ବଲପୁର (ସ୍ୱତନ୍ତ୍ର)
– ୦୮୪୦୭/୦୮୪୦୮
ଭୁବନେଶ୍ୱର- ସିକନ୍ଦରାବାଦ- ଭୁବନେଶ୍ୱର (ସ୍ୱତନ୍ତ୍ର)
– ୦୮୪୦୩/ ୦୮୪୦୪
ପୁରୀ- ସନ୍ତ୍ରାଗାଚ୍ଛି- ପୁରୀ (ସ୍ୱତନ୍ତ୍ର)

ସମ୍ବନ୍ଧିତ ଖବର