କରୋନା ମୁକାବିଲା ପାଇଁ ପୂର୍ବତଟ ରେଳପଥର ପ୍ରସ୍ତୁତି : ୨୬୧ କୋଚ୍ ହେବ କ୍ୱାରାଣ୍ଟିନ୍ ଓ ଆଇସୋଲେସନ୍‌ ରୁମ୍‌

ଭୁବନେଶ୍ୱର : ଭାରତୀୟ ରେଳପଥ ପକ୍ଷରୁ ଟ୍ରେନ୍‌ର କୋଚ୍‌ଗୁଡ଼ିକୁ କୋଭିଡ୍-୧୯ ସଂକ୍ରମିତ ରୋଗୀଙ୍କ ପାଇଁ ଆଇସୋଲେସନ ତଥା କ୍ୱାରାଣ୍ଟିନ୍ କୋଚ୍ ଭାବେ ବ୍ୟବହାର କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍ କୋଚ୍‌ଗୁଡ଼ିକରେ କ୍ୱାରାଣ୍ଟିନ୍ ଓ ଆଇସୋଲେସନ୍‌ ସୁବିଧା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ପୂର୍ବତଟ ରେଳପଥର ୨୬୧ଟି କୋଚ୍‌ରେ ଏହି ସୁବିଧା ଉପଲବ୍ଧ କରାଯିବ। ପୂର୍ବତଟ ରେଳପଥ ଅଧୀନରେ ଥିବା ବିଭିନ୍ନ କୋଚିଂ ଡିପୋ ଓ ଓ୍ବାର୍କସପ୍‌ରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ରୂପାନ୍ତରଣ କାର୍ଯ୍ୟ କରାଯିବ। ମଞ୍ଚେଶ୍ୱରସ୍ଥିତ ଓ୍ବାର୍କସପ୍‌ର ୫୧ଟି କୋଚ୍‌କୁ କ୍ୱାରାଣ୍ଟିନ୍ ଓ ଆଇସୋଲେସନ୍‌ ରୁମରେ ପରିଣତ କରାଯିବାକୁ ଥିବା ବେଳେ ପୁରୀ କୋଚିଂ ଡିପୋରେ ୩୯ଟି, ଭୁବନେଶ୍ୱରରେ ୪୬ଟି, ସମ୍ବଲପୁରରେ ୩୨ଟି, ବିଶାଖାପାଟଣାରେ ୬୦ଟି ଓ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍‌ରେ ୩୩ଟି କୋଚ୍‌ରେ ଏହି ବ୍ୟବସ୍ଥା ଉପଲବ୍ଧ କରାଯିବ।

ଏପ୍ରିଲ୍ ୨ ତଥା ଆଜି ସୁଦ୍ଧା ୨୩ଟି କୋଚ୍‌ର ରୂପାନ୍ତରଣ କାମ ସମ୍ପୂର୍ଣ୍ଣ ହୋଇସାରିଛି। ମଞ୍ଚେଶ୍ୱର ଓ ଖୋର୍ଦ୍ଧାରୋଡ୍‌ର ଗୋଟିଏ ଲେଖାଏ, ପୁରୀରେ ୫ଟି, ଭୁବନେଶ୍ୱର ଓ ସମ୍ବଲପୁରରେ ୬ଟି ଲେଖାଏ ଏବଂ ବିଶାଖାପାଟଣାରେ ୪ଟି କୋଚର କାମ ଶେଷ ହୋଇଛି। ଜଣେ ବ୍ୟକ୍ତିଙ୍କ ରହିବା ଲାଗି ଆବଶ୍ୟକ ସମସ୍ତ ସୁବିଧା ଏଠାରେ ଉପଲବ୍ଧ କରାଯାଇଛି। ଝରକାଗୁଡ଼ିକରେ ମଶାରୀ ଲଗା ଯାଇଥିବା ବେଳେ ପ୍ରତ୍ୟେକ କୋଚ୍‌ରେ ଗୋଟିଏ ବାଥରୁମ୍ ଓ ୩ଟି ଶୌଚାଳୟ, ଲିକୁଇଡ୍ ସୋପ୍ ଡିସ୍ପେନ୍ସର, ଡଷ୍ଟବିନ୍, ଚାର୍ଜିଂ ପଏଣ୍ଟ, ବେଡ୍ସିଟ୍ ଓ ତକିଆ, ପ୍ଲାଷ୍ଟିକ୍ କର୍ଟନ ଭଳି ବିଭିନ୍ନ ସୁବିଧା ଉପଲବ୍ଧ କରାଯାଇଛି। ଏହାବ୍ୟତୀତ ଅକ୍ସିଜେନ୍ ସିଲିଣ୍ଡର ଓ ଆବଶ୍ୟକ ସମସ୍ତ ମେଡିକାଲ ସୁବିଧା ମଧ୍ୟ ଉପଲବ୍ଧ କରାଯିବ। ପ୍ରତ୍ୟେକ କୋଚ୍‌ର ପ୍ରଥମ କ୍ୟାବିନକୁ ପାରାମେଡିକାଲ ଅଞ୍ଚଳ ଭାବେ ବ୍ୟବହାର କରାଯିବ। ବାକି ସମସ୍ତ କ୍ୟାବିନ୍‌ରେ ରୋଗୀ ରହିବେ। ରୂପାନ୍ତରଣ କାମ ସମ୍ପୂର୍ଣ୍ଣ ହେବା ପରେ ଏହାକୁ ଟ୍ରେନ୍ ଇଞ୍ଜିନ ସହ ଯୋଡ଼ାଯାଇ ବିଭିନ୍ନ ଷ୍ଟେସନ୍‌ରେ ରଖାଯିବ। କୋଭିଡ୍-୧୯ ରୋଗୀଙ୍କ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ଚିକିତ୍ସା ସେବା ଉପଲବ୍ଧ ହେବ।

ଭୁବନେଶ୍ୱରରେ ୩ଟି, ଖୋର୍ଦ୍ଧାରୋଡ୍‌ରେ ୨ଟି, ସମ୍ବଲପୁରରେ ୨ଟି, ଟିଟିଲାଗଡ଼ରେ ଗୋଟିଏ, ବିଶାଖାପାଟଣାରେ ୩ଟି, କଟକ ଓ ବିଜୟନଗରମ୍‌ରେ ଗୋଟିଏ ଲେଖାଏଁ ଏବଂ ପୁରୀ ଷ୍ଟେସନ୍‌ରେ ୨ଟି ଟ୍ରେନ୍‌ ରହିବ। ଏପ୍ରିଲ ୧୫ସୁଦ୍ଧା ସମସ୍ତ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର