ପୂର୍ବତଟ ରେଳପଥର ଉତ୍କୃଷ୍ଟ ପ୍ରଦର୍ଶନ: ୩ୟ ଥର ପାଇଁ ପାଇବ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ପୁରସ୍କାର

ଭୁବନେଶ୍ୱର: ସବୁ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥକୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସମ୍ମାନଜନକ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି। ମାଲ ପରିବହନ, ଲେଖା ଏବଂ ଆର୍ଥିକ ପରିଚାଳନା ଏବଂ ବିକ୍ରୟ ପରିଚାଳନା ପାଇଁ ମଧ୍ୟ ପୂର୍ବତଟ ରେଳପଥକୁ ରାଷ୍ଟ୍ରୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯିବ।

ଭାରତୀୟ ରେଳବାଇର ସମସ୍ତ ଜୋନ୍‌ ମଧ୍ୟରେ ସମସ୍ତ ପ୍ରକାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୂର୍ବ ତଟ ରେଳପଥ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସମ୍ମାନଜନକ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍‌ଡ -୨୦୨୦ ଗ୍ରହଣ କରିବ। ଯେକୌଣସି ଜୋନାଲ ରେଳବାଇ ପାଇଁ ଏହା ଅତ୍ୟନ୍ତ ସମ୍ମାନଜନକ ଏବଂ ପୂର୍ବ ତଟ ରେଳବାଇ ତୃତୀୟ ଥର ପାଇଁ ଏହି ସମ୍ମାନରେ ସମ୍ମାନିତ ହେବାପାଇଁ ମନୋନୀତ ହୋଇଛି। ଏହାପୂର୍ବରୁ ପୂର୍ବତଟ ରେଳପଥ ୨୦୦୮-୦୯ ଏବଂ ୨୦୧୫-୧୬ରେ ଅଲ ରାଉଣ୍ଡ ପ୍ରଦର୍ଶନ ପାଇଁ ସମ୍ମାନଜନକ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍‌ଡ ଗ୍ରହଣ କରିଥିଲା ।

ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ନାମରେ ପ୍ରତିଷ୍ଠିତ ଏହି ପୁରସ୍କାର ପ୍ରତିବର୍ଷ ଜୋନାଲ ରେଳବାଇକୁ ଦିଆଯାଇ ଥାଏ, ଯାହାର ପ୍ରଦର୍ଶନ ସମସ୍ତ ଜୋନାଲ ରେଳବାଇ ମଧ୍ୟରେ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ପୁରସ୍କାରକୁ ପୂର୍ବତଟ ରେଳବାଇକୁ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ପ୍ରଦାନ କରିବେ।

ରାଜସ୍ୱ ଏବଂ ରୋଜଗାର, ସାମଗ୍ରୀ ଟ୍ରାଫିକ୍‌, ଟ୍ରେନର ସମୟାନୁବର୍ତ୍ତୀତା, ଯାତ୍ରୀବାହୀ ଯାତାୟାତ, ପ୍ରତି ମିଲିୟନ୍‌ ଟ୍ରେନ୍‌ କିଲୋମିଟର ପ୍ରତି ଟ୍ରେନ୍‌ ଦୁର୍ଘଟଣା, ମରାମତି କର୍ମଶାଳାର କ୍ଷମତାର ଉପଯୋଗ, କୋଚ୍‌ ପ୍ରଦର୍ଶନ, ଶକ୍ତି ବ୍ୟବହାର, ରେଳ ଷ୍ଟକ୍‌ ବ୍ୟବହାର, ଅପରେଟିଂ ଅନୁପାତ, ମାନବ ଶକ୍ତିରେ ଅର୍ଥନୀତି, ସିଗନାଲ୍‌ / ଟେଲିକମ୍‌ ଉପକରଣର କାର୍ଯ୍ୟ, ଟ୍ରାକ୍‌ ନବୀକରଣର ଅଗ୍ରଗତି, ଷ୍ଟକ୍‌ ବ୍ୟବହାର, ଟ୍ରାକ୍‌ ମେସିନର କାର୍ଯ୍ୟଦକ୍ଷତା, ଟିକେଟ୍‌ ଯାଞ୍ଚ, ପ୍ରମୁଖ କାର୍ଯ୍ୟଗୁଡ଼ିକର ଠିକ୍‌ ସମୟରେ ସମାପ୍ତି, ରୋଜଗାର ଏବଂ ସ୍କ୍ରାପ୍‌ ନିଷ୍କାସନ ଇତ୍ୟାଦି ଆଧାରରେ ଏହି ପୁରସ୍କାର ଚୟନ ମାନଦଣ୍ଡ ଉପରେ ଆଧାରିତ।

୨୦୧୯-୨୦୨୦ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୨୦୦.୮୫ ନିୟୁତ ଟନ୍‌ ମାଲ ପରିବହନ କରିଥିଲା, ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୪.୭୩ ଶତକଡା ବୃଦ୍ଧି ଘଟିଥିଲା। ଏହା ବ୍ୟତୀତ ପୂର୍ବ ତଟ ରେଳପଥ ମଧ୍ୟ ରାଷ୍ଟ୍ରୀୟ ରେଳବାଇ ପୁରସ୍କାର ବିତରଣ ସମାରୋହରେ ଟ୍ରାଫିକ୍‌ ପରିବହନ ସିଲ୍‌ଡ, ଆକାଉଣ୍ଟସ୍‌ ଏବଂ ଫାଇନାନ୍‌ସିଆଲ୍‌ ମ୍ୟାନେଜମେଣ୍ଟ ସିଲ୍‌ଡ ଏବଂ ସେଲ୍‌ସ ମ୍ୟାନେଜମେଣ୍ଟ ସିଲ୍‌ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି।

ସମ୍ବନ୍ଧିତ ଖବର