ଡିଏମ୍‌ୟୁରୁ ହଟିବ ଶୌଚାଳୟବିହୀନ କୋଚ୍‌

ଯାତ୍ରୀଙ୍କ ସୁବିଧା ଓ ସ୍ୱଚ୍ଛତାକୁ ପ୍ରାଧାନ୍ୟ

ଚନ୍ଦ୍ରଶେଖରପୁର : ଯାତ୍ରୀମାନଙ୍କର ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ନଭେମ୍ବର ପହିଲାରୁ ବିଶାଖାପାଟଣା-ବିଜୟନଗରମ୍‌-ପଲାସା-ବ୍ରହ୍ମପୁର-ଭୁବନେଶ୍ୱର-କଟକ-ପାରାଦୀପ-ବିଶାଖାପାଟଣା ମଧ୍ୟରେ ଚଳାଚଳ କରୁଥିବା ଡିଏମ୍‌ୟୁ ଟ୍ରେନ୍‌ଗୁଡ଼ିକରେ ଶୌଚାଳୟ ନଥିବା କୋଚ୍‌ଗୁଡ଼ିକୁ ହଟାଇ ଦିଆଯିବ। ଏହା ବଦଳରେ ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍‌ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ରେଳଯାତ୍ରାରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ତଥା ଶୌଚାଳୟ ବିହୀନ କୋଚ୍‌ରେ ଯାତ୍ରୀମାନେ ଭୋଗୁଥିବା ଅସୁବିଧାକୁ ଦୂର କରିବା ନିମନ୍ତେ ଏପରି ପଦକ୍ଷେପ ନିଆଯାଇଥିବା ପ୍ରକାଶ।

ଏହସହିତ ପରିଚାଳନାଗତ ସୁବିଧାକୁ ନଜରରେ ରଖି ରେଳପଥ ପକ୍ଷରୁ ଏହି ଟ୍ରେନ୍‌ଗୁଡ଼ିକର ନମ୍ବରରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବିଶାଖାପାଟଣା-ବିଜୟନଗରମ୍‌-ପଲାସା ପାସେଞ୍ଜର୍‌ ଟ୍ରେନ୍‌କୁ ୫୮୫୩୨ ବିଶାଖାପାଟଣା-ପଲାସା ପାସେଞ୍ଜରରେ ପରିବର୍ତ୍ତନ କରାଯିବ। ସେହିପରି ପଲାସା-ବିଜୟନଗରମ୍‌-ବିଶାଖାପାଟଣାକୁ ୫୮୫୩୧ ପଲାସା-ବିଶାଖାପାଟଣା ପାସେଞ୍ଜରରେ ପରିବର୍ତ୍ତନ କରାଯିବ। ପଲାସା-ବ୍ରହ୍ମପୁର-ଭୁବନେଶ୍ୱର-କଟକ ପାସେଞ୍ଜରକୁ ୫୮୫୩୪ ପଲାସା-କଟକରେ ଏବଂ କଟକ-ଭୁବନେଶ୍ୱର-ବ୍ରହ୍ମପୁର-ପଲାସା ପାସେଞ୍ଜରକୁ ୫୮୫୩୩ କଟକ-ପଲାସାରେ ରୂପାନ୍ତରିତ କରାଯିବ। ସେହିପରି କଟକ-ପାରାଦୀପ ପାସେଞ୍ଜରକୁ ୫୮୫୩୫ ଓ ପାରାଦୀପ-କଟକ ପାସେଞ୍ଜରକୁ ୫୮୫୨୬ରେ ପରିବର୍ତ୍ତନ କରାଯିବାନେଇ ସୂଚନା ମିଳିଛି।

ଏହାସହିତ ଅନେକ ଷ୍ଟେସନ୍‌ରେ ଉପରୋକ୍ତ ଟ୍ରେନ୍‌ଗୁଡ଼ିକ ପାଇଁ ନଭେମ୍ବର ପହିଲାରୁ ସମୟ ସାରଣୀରେ ମଧ୍ୟ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ନୂତନ ସମୟ ସାରଣୀର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଯାତ୍ରୀମାନେ ଉପରୋକ୍ତ ଟ୍ରେନ୍‌ଗୁଡ଼ିକ ପାଇଁ ସେମାନଙ୍କର ଯାତ୍ରା ନିଶ୍ଚିତ କରିବାକୁ ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର