ବିଜ୍ଞପ୍ତି ଜାରି କଲା ପୂର୍ବତଟ ରେଳପଥ : ଠକଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ବର : ରେଲ୍‌ୱେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ)ର ମହାନିର୍ଦ୍ଦେଶାଳୟ ଦ୍ବାରା ସବ୍‌ଇନ୍ସପେକ୍ଟର ଚୟନ ପ୍ରକ୍ରିୟା ଚାଲିଛି। ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି ଅସାଧୁ ବ୍ୟକ୍ତି। ରେଳ ମନ୍ତ୍ରୀଙ୍କ କୋଟାରେ ଚାକିରି ମିଳିବ କହି ଆଶାୟୀ ପ୍ରାର୍ଥୀମାନଙ୍କୁ ଠକିବାକୁ ଉଦ୍ୟମ କରାଯାଉଛି। ବିଭିନ୍ନ ପ୍ରକ‌ାର ପ୍ରଲୋଭନ ଦେଖାଉଥିବା ନଜରକୁ ଆସିବା ପରେ ପୂର୍ବତଟ ରେଳପଥ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ପ୍ରାର୍ଥୀମାନେ କୌଣସି ବ୍ୟକ୍ତିଙ୍କ କଥାରେ କିମ୍ବା ଏଣୁ‌ତେଣୁ ବିଜ୍ଞାପନରେ ପ୍ରଭାବିତ ନ ହେବାକୁ ପରାମର୍ଶ ଦିଆଯାଇଛି।

‌ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ଆଦର୍ଶ ଉପାୟରେ ନିୟମ ଅନୁଯାୟୀ ପରିଚାଳିତ ହୋଉଛି। ଏଥର ଚୟନ ପରୀକ୍ଷାଟି କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ହେବ। ଏହି ପରୀକ୍ଷାଗୁଡ଼ିକ ସର୍ବଭାରତୀୟସ୍ତରରେ ମନୋନୀତ ପରୀକ୍ଷା କେନ୍ଦ୍ରରେ କରାଯିବ। କେନ୍ଦ୍ରଗୁଡ଼ିକରେ ସିସିଟିଭି, ସୁରକ୍ଷିତ ଇଣ୍ଟରନେଟ୍‌ ସ˚ଯୋଗ ହୋଇଛି। ରେଳପଥ ପକ୍ଷରୁ ଏହି ଚୟନ ପ୍ରକ୍ରିୟା ପରିଚାଳନା ପାଇଁ କୌଣସି ଏଜେଣ୍ଟ, କୋଚି˚ ସେଣ୍ଟର୍‌, ମଧୢବର୍ତ୍ତୀ ସ˚ସ୍ଥା କିମ୍ବା ଅନ୍ୟ କୌଣସି ବ୍ୟକ୍ତି/ପ୍ରତିଷ୍ଠାନକୁ ନିୟୋଜନ କରାଯାଇ ନାହିଁ। ତେଣୁ ଯଦି ସେପରି କୌଣସି ବ୍ୟକ୍ତି/ଅନୁଷ୍ଠାନ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରୁଥିବା ଜାଣିବାକୁ ପାଆନ୍ତି ତେବେ ତୁରନ୍ତ ନିକଟବର୍ତ୍ତୀ ଥାନା ଏବଂ ଭାରତୀୟ ରେଳପଥକୁ ଜଣାଇବାକୁ କୁହାଯାଇଛି। ମୁଖ୍ୟ ସତର୍କତା ଅଧିକାରୀ, ପୂର୍ବତଟ ରେଳପଥ, ରେଳ ସଦନ, ଚନ୍ଦ୍ରଶେଖରପୁର, ଭୁବନେଶ୍ବର, ଠିକଣା ନ ହେଲେ ଫୋନ ନମ୍ବର: ୮୪୫୫୮୮୫୦୩୧, ୦୬୭୪- ୨୩୦୦୨୩୦ ରେ ଜଣାଇବାକୁ କୁହାଯାଇଛି।

ରେଲ୍‌ୱେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ)ର କେନ୍ଦ୍ରୀୟ ଚୟନ କମିଟି ଆର‌୍‌ପିଏଫ୍‌/ଆର‌୍‌ପିଏସଏଫ୍‌ରେ ସବ୍‌ଇନ୍‌ସ୍ପେକ୍ଟର ଚୟନ ପାଇଁ ସିବିଟି ନିମନ୍ତେ ଅରପିଏଫ୍‌ର ତାରିଖ ସୂଚୀ ଘୋଷଣା କରିଛି। ‘ଇ’ ଓ ‘ଏଫ’ ଗ୍ରୁପ୍‌ ପାଇଁ ଡିସେମ୍ବର ୧୯, ‘ଏ’ ଓ ‘ବି’ ଗ୍ରୁପ୍‌ ପାଇଁ ୨୦୧୯ ଜାନୁଆରି ୫, ଗ୍ରୁପ୍‌ ‘ସି’ ଓ ‘ଡି’ର ପ୍ରାର୍ଥୀମାନଙ୍କ ପାଇଁ ଜାନୁଆରି ୯ରେ ପରୀକ୍ଷା ହେବ। ପରୀକ୍ଷା ତାରିଖ, ପରୀକ୍ଷା କେନ୍ଦ୍ର, ସମୟ ଓ ସବିଶେଷ ସୂଚନାକୁ ପ୍ରାର୍ଥିମାନେ ପରୀକ୍ଷା ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ଭାରତୀୟ ରେଳପଥର ୱେବ୍‌ସାଇଟରୁ ଡାଉନଲୋଡ କରିପାରିବେ ବୋଳି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର