ଭୁବନେଶ୍ବର: ଯାତ୍ରୀ ଟ୍ରେନ୍‌ରେ ଫ‌ଟକା ପରିବହନ ଉପରେ କଟକଣା ଜାରି ହୋଇଛି। ଏଥିସହ ଗ୍ୟାସ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରୋସିନ ପରି ଦହନଶୀଳ ସାମଗ୍ରୀ ମଧ୍ୟ ନିଆଯାଇପାରିବ ନାହିଁ। ରେଳବାଇ ଅଧିନିୟମ ୧୯୮୯ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। କୌଣସି ବ୍ୟକ୍ତିବିଶେଷ କିମ୍ବା ଯାତ୍ରୀ ଯଦି ପରିବହନ କରୁଥିବା ନଜରକୁ ଆସନ୍ତି ତାହା ହେଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ। ଦୀପାବଳିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବେଆଇନ ପରିବହନ ଉପରେ ସ୍ୱତନ୍ତ୍ର ଅଭିଯାନ ସହ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏଭଳି ପ୍ରୟାସ କରାଯାଇଛି।

Advertisment

ଟ୍ରେନ୍‌ ଯାତ୍ରୀମାନଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ କୁହାଯିବା ସହ ସେମାନଙ୍କ ଯାତ୍ରା ସମୟରେ କୌଣସି ଜ୍ୱଳନ୍ତ କିମ୍ବା ବିସ୍ଫୋରକ ସାମଗ୍ରୀ ନ ନେବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି। ସହ-ଯାତ୍ରୀମାନେ ମଧ୍ୟ ଏଥିପ୍ରତି ସଜାଗ ରହିବାକୁ କୁହାଯାଇଛି। ରେଳବାଇ ସୁରକ୍ଷା ବଳ(ଆରପିଏଫ୍‌) କର୍ମଚାରୀ, ସରକାରୀ ରେଳ ପୁଲିସ(ଜିଆରପି), ଟିଟିଇ, କୋଚ୍‌ ସେବକ, ଷ୍ଟେସନ୍‌ ପରିଚାଳକଙ୍କ ସମେତ ଅନ୍‌ବୋର୍ଡ କର୍ମଚାରୀଙ୍କୁ ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବତଟ ରେଳପଥ ଅନ୍ତର୍ଗତ ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଓ ୱାଲଟିୟରକୁ ଏହି ସ୍ୱତନ୍ତ୍ର ନିରାପତ୍ତା/ସୁରକ୍ଷା ଅଭିଯାନ କରି ଯାତ୍ରୀବାହୀ, ମେଲ/ଏକ୍ସପ୍ରେସ ଟ୍ରେନ୍‌ରେ କଡ଼ା ଯାଞ୍ଚ ସହ ନିରନ୍ତର ନଜର ରଖିବାକୁ କୁହାଯାଇଛି। ରେଳବାଇ ହେଲ୍ପ ଲାଇନ ନମ୍ବର ୧୩୯କୁ ଫୋନ୍‌ କରି ଜ୍ୱଳନ୍ତ ସାମଗ୍ରୀ ପରିବହନ କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ତୁରନ୍ତ ରିପୋର୍ଟ କରିବାକୁ ଯାତ୍ରୀମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି।

ଏହି ସୁରକ୍ଷା ବ୍ୟବସ୍ଥା ସହ ପୂର୍ବତଟ ରେଳପଥ ରେଳ ଷ୍ଟେସନଗୁଡ଼ିକରେ ସର୍ବସାଧାରଣ ଘୋଷଣା ମାଧ୍ୟମରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି ଯାତ୍ରୀମାନଙ୍କୁ ଅଗ୍ନି ବିପଦ ବିଷୟରେ ସଚେତନ କରାଯାଉଛି। ପାର୍ସଲ ଭ୍ୟାନରେ ଲୋଡ୍ ହୋଇଥିବା ପାର୍ସଲ ଓ ଲଗେଜ୍‌ଗୁଡ଼ିକର ନିରାପଦ ପରିଚାଳନାକୁ ସୁନିଶ୍ଚିତ କରିବା ଉପରେ ମଧ୍ୟ ସ୍ୱତନ୍ତ୍ର ଦଳ ଧ୍ୟାନ ଦେଉଛି। ପାର୍ବଣ ସମୟରେ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ପ୍ରତିଶ୍ରୁତିବଦ୍ଧ। ଏହି ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରି ସମସ୍ତଙ୍କୁ ସହଯୋଗ କରିବାକୁ ରେଳପଥ ଅନୁରୋଧ କରିଛି।