ଭୁବନେଶ୍ବର: ରଥଯାତ୍ରା ସମୟରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ତୀର୍ଥଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ରେଳ ଦ୍ୱାରା ପୁରୀକୁ ଆସୁଥିବା ଭକ୍ତଙ୍କୁ ଅଧିକ ଯାତ୍ରା ଅଭିଜ୍ଞତା ଉପଲବ୍ଧ କରାଯିବ। ରଥଯାତ୍ରା ସମୟରେ ସ୍ୱତନ୍ତ୍ର ଟ୍ରେନର ସୁରକ୍ଷା, ନିରାପତ୍ତା ଓ ସମୟାନୁବର୍ତ୍ତୀତା ଯୋଗାଇଦେବା ସହ ଜନସମାଗମକୁ ଦୃଷ୍ଟିରେ ରଖି ଷ୍ଟେସନ ପରିସରର ପରିମଳ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱାରୋପ କରାଯାଇଛି। ଯାତ୍ରୀଙ୍କ ସମସ୍ୟା ତଥା ଟ୍ରେନ୍ ଚଳାଚଳ ସୁଗମ କରିବାକୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ଷ୍ଟେସନରେ ରେଳବାଇ ସୂଚନା ସମ୍ବନ୍ଧରେ ପ୍ରଭାବଶାଳୀ ଘୋଷଣା ଓ ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ମାଧ୍ୟମରେ ସହଜ ଭାବେ ଟିକେଟ୍ ଉପଲବ୍ଧ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ଟ୍ରାଫିକ୍ ଓ ଅନ୍ୟାନ୍ୟ ସୁବିଧା ପ୍ରତି ଧ୍ୟାନ ଦେବାକୁ ରେଳବାଇ ଯୋଜନା କରିଛି।
ଭିଡ ଏଡ଼ାଇବା(କ୍ରାଉଡ୍ ମ୍ୟାନେଜମେଣ୍ଟ), ଟ୍ରେନ୍ ସୂଚନା ବ୍ୟବସ୍ଥା/ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, ୟୁଟିଏସ୍ ମୋବାଇଲ୍ ଆପ୍, ୨୫ ହଜାରରୁ ଅଧିକ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ମେଲା ସେଡ୍ ଓ ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର/ସେଡ୍, ଟିକେଟ୍ ବୁକିଂ କାଉଣ୍ଟର ଓ ମୋବାଇଲ୍ ଟିକେଟ୍ କାଉଣ୍ଟର, ମେଲା ସେଡ୍, ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ଓ ଆତିଥ୍ୟ, ମେଡିକାଲ୍ ସୁବିଧା, ଆମ୍ବୁଲାନ୍ସ ସେବା, ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସ୍ୱଚ୍ଛତା, ସୁରକ୍ଷା, ପାନୀୟ ଜଳ, ପର୍ଯ୍ୟାପ୍ତ ଶୌଚାଳୟ ଆଦିର ବନ୍ଦୋବସ୍ତ କରାଯାଇଛି। ଚଳିତବର୍ଷ ରେଳବାଇ ୧୫ ଲକ୍ଷ ଯାତ୍ରୀଙ୍କୁ ପୁରୀକୁ ଓ ପୁରୀଠାରୁ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଏହାବ୍ୟତୀତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଆଧାରିତ କାର୍ଯ୍ୟଶୀଳ ସିଡ୍ୟୁଲିଙ୍ଗ ସିଷ୍ଟମ୍ ବ୍ୟବହାର କରି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ବ୍ୟବସ୍ଥା କରାଯାଉଛି। ଟ୍ରେନ ଗୁଡିକର ସୁପରିଚାଳନା, ଅତିରିକ୍ତ ଟିକେଟ କାଉଣ୍ଟର, ଯାତ୍ରୀ ସହାୟତା ଓ ଅତିରିକ୍ତ ସୂଚନା କେନ୍ଦ୍ର, ଟ୍ରେନ ସମୟ ସାରଣୀର ସୂଚନା ପ୍ରଦର୍ଶନ, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା, ଆଲୋକୀକରଣ, ଏଲ୍ସି ଗେଟ୍ ପରିଚାଳନା, ମନ୍ଦିର ପ୍ରଶାସନକୁ ସହାୟତା, ସିସିଟିଭି ଦ୍ୱାରା ନିରୀକ୍ଷଣ ଇତ୍ୟାଦି ପ୍ରତି ବିଶେଷ ଧ୍ୟାନ ଦିଆଯାଇ ଯାତ୍ରୀ ସୁବିଧା ଯୋଗାଇ ଦେବାକୁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି।