ପୂର୍ବ ଭାରତ ଆଞ୍ଚଳିକ ଚକ୍ଷୁ ବିଶେଷଜ୍ଞ ସମ୍ମିଳନୀ: ନେତ୍ରଦାନ ବ୍ୟାପକ ହେଲେ ଓଡ଼ିଶା ଦୃଷ୍ଟିହୀନ ମୁକ୍ତ ହେବ

ପୁରୀ : ପୂର୍ବ ଭାରତ ଆଞ୍ଚଳିକ ଚକ୍ଷୁ ବିଶେଷଜ୍ଞଙ୍କ ୩୪ତମ ବାର୍ଷିକ ସମ୍ମିଳନୀ ହଲିଡେ ରିସୋର୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶାରେ ଏବେ ବି ୩ଲକ୍ଷରୁ ଅଧିକ ଲୋକେ ଦୃଷ୍ଟିହୀନ ଜୀବନ ବଞ୍ଚୁଛନ୍ତି। ନେତ୍ରଦାନ ପୁଣ୍ୟକର୍ମ ହୋଇଥିଲେ ହେଁ ସଚେତନତା ଅଭାବରୁ ଏଥିରେ ସଫଳ ହୋଇପାରିନାହୁଁ। ବ୍ୟାପକ ନେତ୍ରଦାନ ହିଁ ଓଡ଼ିଶାକୁ ଦୃଷ୍ଟିହୀନ ମୁକ୍ତ ରାଜ୍ୟରେ ପରିଣତ କରିପାରିବ ବୋଲି ସେ କହିଛନ୍ତି। ଏଥିସହ ଓଡ଼ିଶାରେ ସୁନେତ୍ର ଯୋଜନାରେ ଚକ୍ଷୁର ଚିକିତ୍ସା ପାଇଁ ବଜେଟ୍‌ରେ ୬୮୦ କୋଟିର ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ ଜରିଆରେ ଉପଲବ୍ଧ ଚିକିତ୍ସା ସୁବିଧା ସମ୍ପର୍କରେ ସେ ଆଲୋକପାତ କରିଥିଲେ।

‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଡାଏବେଟିସ ରେଟିନୋପାଥି ଓ ଗ୍ଲୁକୋମା ବହୁଳ ପରିମାଣରେ ଦେଖିବାକୁ ମିଳୁଛି। ରାଜ୍ୟ ସରକାର ସ୍ବାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ବ ଦେଉଥିବା ବ‌େଳେ ଏ ଦିଗରେ ଗୁରୁତ୍ବ ଦେବା ନିମନ୍ତେ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ କିଛି ଲୋକ ଆଖି ନଥିବାରୁ ଦେଖିପାରୁନାହାନ୍ତି। କିନ୍ତୁ ଆଖି ଥାଇ ବି ବହୁତ ଲୋକ ଅନ୍ଧ। ଶିକ୍ଷା ଓ ଅନୁଭବ ଥିବା ଲୋକେ କିଛି କରିବା ବଦଳରେ ଭାବୁଛନ୍ତି ନେତାମାନେ ହିଁ ସବୁକିଛି କରିବେ। ତେଣୁ ଏହି ଶିକ୍ଷିତ ଓ ଅନୁଭବୀ ବ୍ୟକ୍ତିବିଶେଷଙ୍କ ସଂଗଠନ ଅନ୍ତତଃ ‌ସମାଜକୁ କିଛି ଫେରାଇବା ସହ ଲୋକଙ୍କ ତୃତୀୟ ନୟନ ଖୋଲି ଦେଇ ଦେଶର ମଙ୍ଗଳ ପାଇଁ ଭାବିବାକୁ ବାଧ୍ୟ କରନ୍ତୁ ବୋଲି ସେ କହିଥିଲେ।

ଆଇଜକ(ଇଷ୍ଟର୍ଣ୍ଣ ଜୋନାଲ୍ ଅପ୍‌ଥାଲ୍‌ମୋଲୋଜିକାଲ କଂଗ୍ରେସ) ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବ ଅବସରରେ ପୂର୍ବାଞ୍ଚଳ ଜୋନ୍‌ର ପୂର୍ବତନ ସଭାପତି ଡାକ୍ତର ଅଭିଜିତ ଘୋଷ ନୂତନ ସଭାପତି ଡାକ୍ତର ଆର୍‌.ସି ମେହେରଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ। ସାଂଗଠନିକ କମିଟି ଅଧ୍ୟକ୍ଷ ଡାକ୍ତର ବିଏନ୍‌ଆର୍‌ ସୁବୁଦ୍ଧି ଅତିଥି ପରିଚୟ ଦେବା ସହିତ କହିଥିଲେ ସଂପ୍ରତି ଦେଶର ୭୭ ମିଲିୟନ ଲୋକେ ମଧୁମେହରେ ପୀଡ଼ିତ। ଏହା ନିରବରେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର କ୍ଷତି ସାଧନ କରିଥାଏ। ତେଣୁ ମଧୁମେହ ରୋଗୀମାନେ ଅନ୍ତତଃ ବର୍ଷକୁ ଥରେ ଆଖି ପରୀକ୍ଷା କରାଇନେବା ଆବଶ୍ୟକ। ଏ ଦିଗରେ ସରକାରୀ ସ୍ତରରେ ସଚେତନତା ଆବଶ୍ୟକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ର‌ମ ଅବସରରେ ଡାକ୍ତର ବରେନ ଚନ୍ଦ୍ର ପଟ୍ଟନାୟକ ଓ ଡାକ୍ତର ବିରାଜ ଜ୍ୟୋତି ଗୋସ୍ବାମୀଙ୍କୁ ଜୀବନବ୍ୟାପୀ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଡାକ୍ତର ନାରାୟଣ ବର୍‌ଦୋଲୋଇଙ୍କୁ ଆଇଜକ୍‌ ଲୁମିନାରି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ଡାକ୍ତର ସୁନିଲ ସୁରାନା, ଡାକ୍ତର ସୁଚେତା ପରିଜା, ଡାକ୍ତର ମଳୟ ବର୍ମା, ଡାକ୍ତର ବିଭୂତି ପି. ସିହ୍ନା, ଡାକ୍ତର ରୁମା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଡାକ୍ତର ପ୍ରଣବ ରଂଜନ, ସାଂଗଠନିକ କମିଟି ସମ୍ପାଦକ ଅଶୋକ ନନ୍ଦ, ପୂର୍ବତନ ‌ବୈଜ୍ଞାନିକ କମିଟି ଅଧ୍ୟକ୍ଷ ଡାକ୍ତର ଦେବାଶିଷ ଦାସ, ସଭାପତି ଡାକ୍ତର ସବ୍ୟସାଚୀ ପଟ୍ଟନାୟକ, ଅଧିବେଶନ କମିଟି ଅଧ୍ୟକ୍ଷ ଡାକ୍ତର ଏସ୍‌.ସି ଦାସ, ଡାକ୍ତର ନଗେନ୍ଦ୍ର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର