ପୂର୍ବ ଭାରତର ପ୍ରଥମ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ୍ ଲୋକାର୍ପିତ, ଟିକସ ସ୍ୱଚ୍ଛତା ଆଡ଼କୁ ଦେଶ ଅଗ୍ରସର ହେଉଛି: ପ୍ରଧାନମନ୍ତ୍ରୀ

ବିଜୁଙ୍କୁ ମୋଦୀ, ନବୀନଙ୍କୁ ପ୍ରଶଂସା କଲେ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ/କଟକ: କଟକ ସିଡିଏରେ ପ୍ରତିଷ୍ଠା ହୋଇଥିବା ଦେଶର ତୃତୀୟ ତଥା ପୂର୍ବ ଭାରତର ପ୍ରଥମ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)କୁ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଇଟିଏଟିର ଏହି ଅତ୍ୟାଧୁନିକ କାର୍ଯ୍ୟାଳୟ ଆୟକର ମାମଲା ଗୁଡ଼ିକର ତ୍ବରିତ ସମାଧାନ ଦିଗରେ ବିଶେଷ ସହାୟକ ହୋଇପାରିବ। ବିଚାର ପାଇଁ ପଡ଼ିରହିଥିବା ସମସ୍ତ ମାମଲା ଗୁଡ଼ିକର ମଧ୍ୟ ଶୀଘ୍ର ସମାଧାନ ସମ୍ଭବ ହେବ। ପୂର୍ବ, ଉତ୍ତରପୂର୍ବ ଭାରତର ସବୁ କରଦାତାଙ୍କୁ ଏହି ଟ୍ରିବ୍ୟୁନାଲ ଅତ୍ୟାଧୁନିକ ସୁବିଧା ଯୋଗାଇବ। ଆଇଟିଏଟିର ସମସ୍ତ ଶାଖା ଗୁଡ଼ିକୁ ଭର୍ଚୁଆଲ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଉଥିବା ବେଳେ ନ୍ୟାୟିକ ବ୍ୟବସ୍ଥାରେ ଆଧୁନିକ ଟେକ୍ନୋଲଜିର ଆବଶ୍ୟକତା ବର୍ତ୍ତମାନ ପରିସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବା ସହିତ ଏହି ବେଞ୍ଚ୍‌ ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିକାଶମୂଳକ କାର୍ଯ୍ୟ ପାଇଁ ଟିକସରୁ ହିଁ ଅର୍ଥ ମିଳିଥାଏ। ବର୍ତ୍ତମାନ ଦେଶ ଟିକସ ‘ ଟିକସ ଆତଙ୍କବାଦ’ରୁ ‘ ଟିକସ ସ୍ୱଚ୍ଛତା’ ଆଡ଼କୁ ଅଗ୍ରସର ହୋଇଛି। ବିକାଶର ଗତି ତ୍ବରିତ କରିବାକୁ ଔଦ୍ୟୋଗିକ ଟିକସକୁ କମ୍ କରାଯାଇଛି। ଜିଏସ୍‌ଟି ଆସିବା ପରେ ବହୁ ସାମଗ୍ରୀ ଉପରୁ ଟିକସ ହ୍ରାସ ପାଇଛି। ଅନେକ ସାମଗ୍ରୀରୁ ଟିକସ ଛାଡ଼ ହୋଇଛି। ଏ କ୍ଷେତ୍ରରେ ସଂସ୍କାର ଓ ବ୍ୟବସ୍ଥାରେ ପରିବର୍ତ୍ତନ ଯୋଗୁଁ ଲୋକଙ୍କ ଉପରୁ ଟିକସ ଚାପ କମିଛି। ଦେଶରେ ୯୯.୭୫ ପ୍ରତିଶତ ଟିକସକୁ ନେଇ ଏବେ କୌଣସି ଆପତ୍ତି ରହୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଦୀପାବଳିରେ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ପାଇଁ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କଟକରେ ଆଇଟିଏଟିର ଅତ୍ୟାଧୁନିକ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତାର ସହ ଜମି ପ୍ରଦାନ କରିଥିଲେ ବୋଲି କହିଥିଲେ। ୨୦୧୭ରେ ଏହାର ଶିଳାନ୍ୟାସ ହୋଇଥିବା ବେଳେ ଖୁବ୍‌ଶୀଘ୍ର କାମ ସାରିବାର ଶ୍ରେୟ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ।

କଟକରେ ଦେଶର ତୃତୀୟ ଓ ପୂର୍ବ ଭାରତରେ ଆଇଟିଏଟିର ଏଭଳି ପ୍ରଥମ କାର୍ଯ୍ୟାଳୟ ଉଦ୍‌ଘାଟନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହିତ ଓଡ଼ିଶା ବ୍ୟତୀତ ରାଞ୍ଚି, ପାଟନା ଓ ଗୌହାଟୀ ବେଞ୍ଚର କେସ୍ ଏଠାରେ ସମାଧାନ ହୋଇପାରିବ ବୋଲି କହିଥିଲେ। କଟକରେ ୧୯୭୦ ମସିହାରୁ ଭଡ଼ା ଘରେ ଆଇଟିଏଟି ଚାଲୁ ରହିଥିଲା। ଆଜିର ଅତ୍ୟାଧୁନିକ କାର୍ଯ୍ୟାଳୟର ଉଦ୍‌ଘାଟନରେ ବିଜୁ ବାବୁଙ୍କର ସ୍ୱପ୍ନ ପୂରଣ ହୋଇପାରିଛି ବୋଲି ନବୀନ ପଟ୍ଟନାୟକ କହିଥିଲେ। ଆଇଟିଏଟି ଅଧ୍ୟକ୍ଷ ବିଚାରପତି ପି ପି ଭଟ୍ଟ ଅତ୍ୟାଧୁନିକ କାର୍ଯ୍ୟାଳୟ ଓ ଆବାସିକ ପରିସରର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ। ଉଦ୍‌ଘାଟନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଅନ୍ୟ ବିଚାରପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଟିଏଟି ସଂପର୍କିତ ଏକ ଇ-କଫି ଟେବୁଲ୍ ପୁସ୍ତିକାର ଉନ୍ମୋଚନ କରିଥିଲେ।
ସୂଚନାଯୋଗ୍ୟ ଯେ ଏହି ଆଇଟିଏଟି ଓଡ଼ିଶାର ସର୍ବୋଚ୍ଚ ପ୍ରାଧିକରଣ ରୂପେ କାର୍ଯ୍ୟ କରିବ। ଏହା ଦ୍ୱାରା ସହଜରେ ଆୟକର ନେଇ ରାଜ୍ୟ ଭିତରେ ଉପୁଜୁଥିବା ବିବାଦର ଶୀଘ୍ର ସମାଧାନ ହୋଇପାରିବ।

ସମ୍ବନ୍ଧିତ ଖବର