ବ୍ରହ୍ମପୁର/ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଖେଳପଡ଼ିଆରେ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ମହିଳା କବାଡ଼ି ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୋଟ ୩୭ଟି ବିଶ୍ବବିଦ୍ୟାଳୟ ଅଂଶଗ୍ରହଣ କରିଛନ୍ତି। ଉଦ୍ଘାଟନୀ ମ୍ୟାଚ୍ରେ ଦରଭଙ୍ଗାର ଏଲ୍.ଏନ୍. ମିଥିଳା ବିଶ୍ବବିଦ୍ୟାଳୟ ୪୮-୧୬ ପଏଣ୍ଟରେ ରାଞ୍ଚି ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା। ପରବର୍ତ୍ତୀ ମ୍ୟଚ୍ରେ ୱାକ୍ଓଭର ପାଇଥିଲା। ଦ୍ବିତୀୟ ମ୍ୟାଚ୍ରେ ଭି.ବିଏସ୍. ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ଜଉନପୁର ୩୭-୧୬ ପଏଣ୍ଟରେ ବିହାରର ପାଟଣା ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା।
ଭୁବନେଶ୍ବର ଓୟୁଏଟି ବିପକ୍ଷରେ ୪୨-୦୫ପଏଣ୍ଟରେ ବିଜୟୀ ହୋଇଥିଲା। ସେହିପରି ରମାଦେବୀ ବିଶ୍ବବିଦ୍ୟାଳୟ ୩୭-୧୫ପଏଣ୍ଟରେ ରାଇଗଡ଼ ବିଶ୍ବବିଦ୍ୟାଳୟକୁ ଏବଂ ୩୨-୩ପଏଣ୍ଟରେ ଧାନବାଦ୍କୁ ପରାସ୍ତ କରିଛି। କାଲାକାଟା ବିଶ୍ବବିଦ୍ୟାଳୟ ୪୭-୧୭ପଏଣ୍ଟରେ ମୁଜଫରନଗର ବିଶ୍ବବିଦ୍ୟାଳୟକୁ, ୨୭-୨୨ପଏଣ୍ଟରେ ରେୱାକୁ ପରାସ୍ତ କରିଛି। ଭାଗଲପୁର ବିଶ୍ବବିଦ୍ୟାଳୟ ୩୭-୧୧ପଏଣ୍ଟରେ ବାରିପଦାକୁ, ରାଞ୍ଚିର ଡ.ଏସ୍.ପି.ଏମ୍. ବିଶ୍ବବିଦ୍ୟାଳୟ ୨୮-୨୫ପଏଣ୍ଟରେ ବସ୍ତରର ଏସ୍ଏମ୍କେ ବିଶ୍ବବିଦ୍ୟାଳୟକୁ, ବିଳାସପୁର ବିଶ୍ବବିଦ୍ୟାଳୟ ୪୦-୧ପଏଣ୍ଟରେ ଡୁମ୍କାକୁ, ରାୟପୁରର ପିଏଲ୍ଆର୍ଏସ୍ଏସ୍. ବିଶ୍ବବିଦ୍ୟାଳୟ ୩୭-୨୭ପଏଣ୍ଟରେ କଲ୍ୟାଣୀ ବିଶ୍ବବିଦ୍ୟାଳୟକୁ, ଭାଗଲପୁର ବିଶ୍ବବିଦ୍ୟାଳୟ ୩୮-୧୬ପଏଣ୍ଟରେ କଟକର ରେଭେନ୍ସାକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।
ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଦଳକୁ ନେଇ ଦୁଇଟି ଗ୍ରୁପ୍ କରାଯାଇଛି। ଦୁଇ ଗ୍ରୁପ୍ର ବିଜେତାଙ୍କ ମଧ୍ୟରେ ଫାଇନାଲ୍ ମୁକାବିଲା ହୋଇ ଆସନ୍ତା ୨୭ତାରିଖ ପଏହି ପ୍ରତିଯୋଗିତା ଉଦ୍ଯାପିତ ହେବ। ଆଜିର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆୟୋଜକ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ବିଶ୍ବବିଦ୍ୟାଳୟର ଅନ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଭଂଜବିହାର କ୍ରୀଡ଼ା ପରିଷଦର କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।