ବାଲେଶ୍ବର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍‌ ଓ ଆଇପିଏସ୍‌ ସ୍ତରରେ ଅଦଳବଦଳ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଆଜି ପୁଣି ଆଇପିଏସ୍‌ ସ୍ତରରେ ଏକ ଛୋଟଧରଣର ଅଦଳବଦଳ ହୋଇଥିବା ଜଣାପଡ଼ିଛି। ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତି ଅନୁସାରେ, ଉତ୍ତର ପୂର୍ବାଞ୍ଚଳ(ତାଳଚେର) ଆଇଜି ଭାବେ କାର୍ଯ୍ୟ କରୁଥିବା ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ଡ. ଦୀପକ କୁମାରଙ୍କୁ ପୂର୍ବାଞ୍ଚଳ(ବାଲେଶ୍ବର) ଆଇଜି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।

Advertisment

ଅନ୍ୟପଟେ ପୂର୍ବାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରୁଥିବା ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ସତ୍ୟବ୍ରତ ଭୋଇଙ୍କୁ ଉତ୍ତର ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ଏଥି ସହିତ ଆଇପିଏସ୍‌ ସତ୍ୟବ୍ରତ ଭୋଇଙ୍କୁ ପୁଲିସ ଟ୍ରେନିଂ ସେଣ୍ଟର(ଅନୁଗୁଳ)ର ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସୂଚନା ଥାଉକି, ଆଇଜି ଶ୍ରୀ ଭୋଇ ଗତ ଜାନୁଆରି ୨୪ ତାରିଖରେ ବାଲେଶ୍ବରକୁ ବଦଳି ହୋଇଥିବା ବେଳେ ଫେବ୍ରୁଆରି ୧ ତାରିଖରେ ପୂର୍ବାଞ୍ଚଳ ଆଇଜି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଦାୟିତ୍ବ ଗ୍ରହଣ କରିବାର ମାସେ ନ ପୂରୁଣୁ ତାଙ୍କୁ ପୁଣି ଏଠାରୁ ବଦଳି କରାଯିବା ଚର୍ଚ୍ଚାର ବିଷୟ ହୋଇଛି।