ବାରିପଦା: ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବଭାରତ ଅନ୍ତଃବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଛି। ବାଲେଶ୍ବର ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିବାବେଳେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। କୁଳସଚିବ ସହଦେବ ସମାଧିଆ ସ୍ୱାଗତ ଭାଷଣ ଏବଂ କ୍ରୀଡ଼ା ପରିଷଦ ସଂପାଦକ ଡ.ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ଆଜିଠୁ ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପୂର୍ବ ଭାରତର ୪୫ ବିଶ୍ୱବିଦ୍ୟାଳୟରୁ ୭୫୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ପ୍ରଥମ ଦିନ ସିଏସ୍.ଭି ଟେକ୍ ବିଶ୍ୱବିଦ୍ୟାଳୟ ଭିଲାଇ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟକୁ ୪୪-୧୧, ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ୫୬-୧୪, ଉତ୍କଳ ବିଶ୍ୱବିଦ୍ୟାଳୟ ମଣିପୁର ବିଶ୍ୱବିଦ୍ୟାଳୟକୁ ୪୨-୩୬, ଏବିଭି ବିଶ୍ୱବିଦ୍ୟାଳୟ ବିଳାସପୁର ବୁରଦ୍ୱାନ୍ ବିଶ୍ୱବିଦ୍ୟାଳୟକୁ ୩୮-୩୬, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ୩୬-୩୩, ଏସ୍ଜିଜି ବିଶ୍ୱବିଦ୍ୟାଳୟ ସରଗୁଜା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ୪୪-୨୯, ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ୫୭-୧୯, ରବିଶଙ୍କର ବିଶ୍ୱବିଦ୍ୟାଳୟ ରାଇପୁର ଏକେଏସ୍ ବିଶ୍ୱବିଦ୍ୟାଳୟ ସତନାକୁ ୩୯-୨ ପଏଣ୍ଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ଓ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକମାନେ ପ୍ରତିଯୋଗିତା ପରିଚାଳନା କରିଥିଲେ।