ବାଲେଶ୍ବର: ଫକୀରମୋହନ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଆଜି ପୂର୍ବାଞ୍ଚଳ ଆନ୍ତଃବିଶ୍ଵବିଦ୍ୟାଳୟ ପୁରୁଷ ବର୍ଗ ଖୋଖୋ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଖେଳ ଉଭୟ ଖେଳାଳି ଓ ଦର୍ଶକଙ୍କର ଚିତ୍ତଲୋକରେ ଆହ୍ଲାଦ ଆଣି ଦେଉଥିବାରୁ କ୍ରୀଡ଼ା କେଉଁ କାଳରୁ ଭାରତୀୟ ସାଂସ୍କୃତିକ ପରମ୍ପରାର ଅବିଛେଦ୍ୟ ଅଙ୍ଗ ହୋଇ ରହିଛି ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଥିଲେ।
ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଜାତୀୟ ଜୀବନରେ ଖୋଖୋ ଖେଳର ପ୍ରାସଙ୍ଗିକତା ଓ ବ୍ୟକ୍ତିଗତ ଜୀବନରେ ତା’ର ଉପକାରିତା ସମ୍ପର୍କରେ ମତ ରଖିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଆନ୍ତଃବିଶ୍ଵବିଦ୍ୟାଳୟସ୍ତରୀୟ ଖୋଖୋ ଖେଳ ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ କହିଥିଲେ। କ୍ରୀଡ଼ା କମିଟି ନିର୍ଦ୍ଦେଶକ ଡ. ଭାସ୍କର ବେହେରା ତିନିଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ଖେଳର ବିବରଣୀ ଉପସ୍ଥାପନ କରିଥିଲେ।
କ୍ରୀଡ଼ା ଅଧିକାରୀ ସଂଗ୍ରାମ କିଶୋର ବିଶୋଇ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ କ୍ରୀଡ଼ାଦଳ ଓ ସଞ୍ଚାଳକଙ୍କୁ ଶୃଙ୍ଖଳିତ କ୍ରୀଡ଼ା ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇବା ସହିତ ଧନ୍ୟବାଦ ଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ଷଡ଼ଙ୍ଗୀ ଓ କୁଳପତି ପ୍ରଫେସର ତ୍ରିପାଠୀ ଯଥାକ୍ରମେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପତାକା ଓ ଫକୀରମୋହନ ବିଶ୍ଵବିଦ୍ୟାଳୟର କ୍ରୀଡ଼ା ପତାକା ଉତ୍ତୋଳନ କରିବା ପରେ ପର୍ଯ୍ୟାୟକ୍ରମେ ଖୋ ଖୋ ଖେଳ ଆରମ୍ଭ ହୋଇଥିଲା।
ପୂର୍ବ ଭାରତର ୩୮ଟି ବିଶ୍ୱବିଦ୍ୟାଳୟ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପଞ୍ଜୀକରଣ କରିଥିବା ବେଳେ ୩୨ଟି ବିଶ୍ବବିଦ୍ୟାଳୟର ଖେଳାଳି ଅଂଶଗ୍ରହଣ କରିଥିବା ଜଣାଯାଇଛି। ସମ୍ବଲପୁର, ବନାରସ ହିନ୍ଦୁ, ତ୍ରିପୁରା, ବର୍ଦ୍ଧମାନ, ଦିନଦୟାଲ ଉପାଧ୍ୟାୟ, ନର୍ଥ ବେଙ୍ଗଲ, କଲ୍ୟାଣୀ, ସିଦ୍ଧ କାନୋ ବିର୍ସା, ଲଳିତ ନାରାୟଣ ମୈଥିଳୀ, ପିଟି ରବିଶଙ୍କର ଶୁକ୍ଳା, ରାଞ୍ଚି, ବିଶ୍ଵଭାରତୀ ସ୍ପୋର୍ଟସ ବୋର୍ଡ, ସେଞ୍ଚୁରିଆନ୍, ମଗଧ, ବୀର ବାହାଦୂର ସିଂହ, ଆୱାଦେଶ ପ୍ରତାପ ସିଂହ, ପାଟଳିପୁତ୍ର, ଗଙ୍ଗାଧର ମେହେର, ଗୁରୁ ଘାସି ଦାସ, ଉତ୍କଳ, ନ୍ୟାସନାଲ ସ୍ପୋର୍ଟସ, ଆମ୍ବେଦକର, ଟିଏମ୍ ଭାଗଲପୁର, ସହିଦ ନନ୍ଦ କୁମାର ପଟେଲ, ଧାନମଞ୍ଜୁରୀ, କାଲକାଟା, ଯୋଧପୁର, ହେମଚନ୍ଦ୍, ଅଟଳ ବିହାରୀ ବାଜପେୟୀ, ଏମକେ କାଶୀ ବିଦ୍ୟାପୀଠ, କିଟ୍, ସହିଦ୍ ମହେନ୍ଦ୍ର କୁମାର ବିଶ୍ଵବିଦ୍ୟାଳୟର କ୍ରୀଡ଼ାବିତ୍ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି।