ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବି-ମାନ୍(ବିଲ୍ଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଏଭିଏସନ୍‌ ଆସେଟ୍ସ ଆଣ୍ଡ ନେଟ୍‌ୱର୍କ) ଅଧୀନରେ କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଓଡ଼ିଶାର ଆଦିବାସୀ ଝିଅମାନଙ୍କୁ ପାଇଲଟ୍‌ ହେବାକୁ ସ୍ୱତନ୍ତ୍ର ତାଲିମ ଦିଆଯିବ ବୋଲି ଭୁବନେଶ୍ବରଠାରେ ବେସାମରିକ ବିମାନ ଚଳାଚଳ ଉପରେ ଆୟୋଜିତ ପୂର୍ବାଞ୍ଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କହିଲେ, ଗତ ୧୪ ମାସ ମଧ୍ୟରେ ଓଡ଼ିଶା ବିମାନବନ୍ଦର ସହ ଦେଶର ୧୫ଟି ନୂଆ ଗନ୍ତବ୍ୟସ୍ଥଳକୁ ଯୋଡ଼ାଯାଇଛି। ପୁରୀରେ ହେଉଥିବା ବିଶ୍ୱସ୍ତରୀୟ ଆନ୍ତର୍ଜାତିକ ବିମାନବନ୍ଦର ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ। ଝାରସୁଗୁଡ଼ା ବିମାନବନ୍ଦରର ବିସ୍ତାର ପାଇଁ ଜମି ବ୍ୟବସ୍ଥା ହୋଇଛି। ଢେଙ୍କାନାଳ ଜିଲ୍ଲାର ବୀରାଶୋଳଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି। ଭୁବନେଶ୍ୱରଠାରେ ରକ୍ଷାଣବେକ୍ଷଣ, ମରାମତି, ପୁନଃନିର୍ମାଣ କେନ୍ଦ୍ର ସ୍ଥାପନ କରୁଛୁ। ଏଥିସହ ରାଜ୍ୟର ବିମାନବନ୍ଦରଗୁଡ଼ିକ ପାଇଁ ସରକାର ଏକ ପ୍ରୋଗ୍ରେସିଭ୍‌ ଲ୍ୟାଣ୍ଡ ଆଲଟ୍‌ମେଣ୍ଟ ପଲିସି ଆଣିବାକୁ ଯାଉଛନ୍ତି। ଯେଉଁଥିରେ ବିମାନବନ୍ଦର ଭିତରେ ଫ୍ଲାଇଂ ପ୍ରଶିକ୍ଷଣ, ୟୁଏଭି ପ୍ରଶିକ୍ଷଣ ଓ ବିମାନ କ୍ରୀଡ଼ା କାର୍ଯ୍ୟକଳାପ ସମ୍ଭବ ହେବ। ରାଜ୍ୟରେ ଯେତେ ସବୁ ଅବ୍ୟବହୃତ ‘ଏୟାରଷ୍ଟ୍ରିପ୍‌’ ରହିଛି, ସେଗୁଡ଼ିକୁ ବିମାନବନ୍ଦର ଭାବେ ବିକଶିତ କରାଯାଉଛି। ଏଭଳି ୧୪ଟି ବିମାନବନ୍ଦର ହେବ ଏବଂ ଯେଉଁ ଜିଲ୍ଲାରେ ବିମାନବନ୍ଦର ନାହିଁ ସେଠାରେ ୧୫ଟି ହେଲିପୋର୍ଟ ସ୍ଥାପନ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଏଭିଏସନ୍ କେବଳ ବିମାନବନ୍ଦର ଓ ବିମାନସେବାରେ ସୀମିତ ନୁହେଁ, ଏହା ଲୋକଙ୍କର ସ୍ୱପ୍ନକୁ ସୁଯୋଗ ସହିତ ଯୋଡ଼ିବା, ଅର୍ଥନୀତିକୁ ସଶକ୍ତ କରିବା ଓ ବିକଶିତ ଭାରତ-୨୦୪୭ର ସ୍ୱପ୍ନ ସାକାର କରିବାର ଏକ ଅନନ୍ୟ ପ୍ରୟାସ ବୋଲି ସେ କହିଥିଲେ।

ବି-ମାନ୍ ଅଧୀନ କ୍ୟାଡେଟ୍‌ ପାଇଲଟ୍‌ ପ୍ରୋଗ୍ରାମରେ ମିଳିବ ତାଲିମ
ଭୁବନେଶ୍ୱର ବିମାନବନ୍ଦରରେ ପ୍ରତିଷ୍ଠା ହେବ ଏମ୍‌ଆର୍‌ଓ
୧୪ ମାସରେ ୧୫ଟି ନୂଆ ସ୍ଥାନ ସହ ଯୋଡ଼ି ହୋଇଛି ଓଡ଼ିଶା
ଢେଙ୍କାନାଳ ଜିଲ୍ଲାରେ ହେବ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରପୁ କହିଲେ, ଗତ ୧୧ ବର୍ଷ ମଧ୍ୟରେ ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବହୁ ଗୁଣା ଅଭିବୃଦ୍ଧି ଘଟିଛି। ୨୦୧୪ରେ ଦେଶରେ ମାତ୍ର ୭୪ଟି ବିମାନବନ୍ଦର ଥିବା ବେଳେ ବର୍ତ୍ତମାନ ୧୬୨ରେ ପହଞ୍ଚିଛି। ଏକ ଦଶନ୍ଧି ମଧ୍ୟରେ ଦେଶରେ ୮୮ଟି ବିମାନବନ୍ଦର ପ୍ରତିଷ୍ଠା ହୋଇଛି, ଅର୍ଥାତ୍ ପ୍ରତି ୪୫ ଦିନରେ ହାରାହାରି ଗୋଟିଏ ନୂଆ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି। ୨୦୨୪ରେ ଦେଶରେ ୨୪ କୋଟି ଯାତ୍ରୀ ବିମାନ ଯାତ୍ରା କରିଥିଲେ, ଯାହାକି ଗତ ୬୫ ବର୍ଷ ଧରି ବିମାନ ଯାତ୍ରା କରିଥିବା ଘରୋଇ ଯାତ୍ରୀଙ୍କ ସଂଖ୍ୟାଠାରୁ ଢେର ଅଧିକ। ସେହିପରି ୨୦୧୪ରେ ଦେଶରେ ବିମାନଗୁଡ଼ିକର ସଂଖ୍ୟା ୪୦୦ ଥିବା ବେଳେ ବର୍ତ୍ତମାନ ୮୦୦ରୁ ଅଧିକରେ ପହଞ୍ଚିଛି। ‘ଉଡାଣ’ ଯୋଜନାରେ ଏବେ ସୁଦ୍ଧା ଦେଶର ୯୨ଟି ବିମାନବନ୍ଦରକୁ ସାମିଲ କରାଯିବା ସହ ୬୩୨ଟି ବିମାନ ଚଳାଚଳ ମାର୍ଗକୁ କାର୍ଯ୍ୟକ୍ଷମ କରାଯାଇଛି। ୨୦୩୦ରେ ଦେଶର ବାର୍ଷିକ ବିମାନ ଯାତ୍ରୀଙ୍କ ସଂଖ୍ୟା ୫୦ କୋଟିକୁ ଟପିବ ବୋଲି ସେ କହିବା ସହ ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲ, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମେତ ଓଡ଼ିଶା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ପରିବହନ ମନ୍ତ୍ରୀ, ଉଭୟ ସରକାରଙ୍କ ଅଧିକାରୀମାନେ ଭାଗ ନେଇଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ସମୀର ସିହ୍ନା ସ୍ବାଗତ ଭାଷଣ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ରାଜ୍ୟ ସରକାର ଆଜି ଦେଶର ପ୍ରମୁଖ ବିମାନ ଏମ୍‌ଆର୍‌ଓ(ରକ୍ଷଣାବେକ୍ଷଣ, ମରାମତି ଏବଂ ନବୀକରଣ) ସେବାଦାତା ‘ଏୟାରୱାର୍କସ୍’ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହା ଦ୍ବାରା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ଏମ୍‌ଆର୍‌ଓ ସୁବିଧା ପ୍ରତିଷ୍ଠା କରାଯିବ।