ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଆଜି ଦ୍ୱିଦିବସୀୟ ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ହରପ୍ରସାଦ ଦାସ ଭାରତୀୟ ସାହିତ୍ୟର ମୌଳିକ ଧାରା ଓ ତତ୍ତ୍ବ ସଂପର୍କରେ କହିଥିଲେ। ପାଶ୍ଚାତ୍ୟ ସାହିତ୍ୟଠୁ ଭାରତୀୟ ସାହିତ୍ୟ ଅଧିକ ଗୁରୁତ୍ବ ବହନ କରେ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଅଧିବେଶନରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଅକାଦେମିର ସଭାପତି କବି ମାଧବ କୌଶିକ। ନିଜ ବକ୍ତବ୍ୟରେ ସେ କହିଥିଲେ, ଭାରତର ପୂର୍ବାଞ୍ଚଳ ହେଉଛି ସାହିତ୍ୟର ଗନ୍ତାଘର। ଏହି ଅଞ୍ଚଳ ଅନେକ ପ୍ରସିଦ୍ଧ ସାହିତ୍ୟ ସାଧକଙ୍କୁ ଜନ୍ମ ଦେଇଛି।
ସାଂପ୍ରତିକ ସମୟର ସାହିତ୍ୟ ସମ୍ପର୍କରେ ସେ କହିଥିଲେ, ଏବେ ପ୍ରଯୁକ୍ତିବିଦ୍ୟା ବଳରେ ଲୋକ ସାହିତ୍ୟ ତଥା ଲୁକ୍କାୟିତ ସାରସ୍ବତ ସମ୍ପଦର ସୁରକ୍ଷା ତଥା ପ୍ରସାର କରିପାରିବା। କିନ୍ତୁ ଏହା ଯେମିତି ଆମକୁ ଦାସ କରି ନ ଦିଏ ବୋଲି ସେ ସତର୍କ କରିଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ। ସେ ସମ୍ମିଳନୀ ଆୟୋଜନର ଗୁରୁତ୍ୱ ଓ ପୂର୍ବାଞ୍ଚଳ ସାହିତ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସାହିତ୍ୟ ଅକାଦେମିର ପୂର୍ବାଞ୍ଚଳୀୟ ଉପଦେଷ୍ଟା ପରିଷଦର ଆବାହକ ଗୌରହରି ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସେ ଓଡ଼ିଶାରେ ଏଭଳି ବହୁଭାଷୀ କାର୍ଯ୍ୟକ୍ରମ ଆୟୋଜନ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାହିତ୍ୟ ଅକାଦେମି ଦ୍ୱାରା ପ୍ରକାଶିତ ପୁସ୍ତକ ଦୟାଲାଲ ଯୋଶୀ (ଓଡ଼ିଆ), ଶୂନ୍ୟରେ ହସ୍ତାକ୍ଷର (ଓଡ଼ିଆ), ଅବୋଥିରା (ବୋଡ଼ୋ), ଟୋଟୋଦେର ଉପକଥା (ବଙ୍ଗଳା), ଅତିକ୍ରମ (ଅହମିଆ) ଓ ଆନ୍ ଇଣ୍ଟ୍ରୋଡକ୍ସନ୍ ଟୁ ନାଗା ଫୋକ୍ ସଙ୍ଗ (ଇଂରାଜୀ) ଉନ୍ମୋଚିତ ହୋଇଥିଲା।
ପ୍ରଥମ ଅଧିବେଶନରେ ଅହମିଆ ଉପଦେଷ୍ଟା ପରିଷଦର ଆବାହକ ଦିଗନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ବର୍ଣ୍ଣାଳୀ ବୋରଗୋହେନ (ଅହମିଆ), ଅର୍ଣ୍ଣବ ସାହା (ବଙ୍ଗଳା), କୃଷ୍ଣମୋହନ ଝା (ମୈଥିଳୀ), ମୋହନ ସୁବେଦି (ନେପାଳୀ), ଅପର୍ଣ୍ଣା ମହାନ୍ତି (ଓଡ଼ିଆ) ଓ ଆନ୍ପା ମାର୍ଣ୍ଡି (ସାନ୍ତାଳୀ) ପ୍ରମୁଖ ଏଥିରେ କବିତା ପାଠ କରିଥିଲେ। ଶ୍ରୀ ବିଶ୍ୱଶର୍ମା ଭାରତୀୟ କବିତାର ବୈଶିଷ୍ଟ୍ୟ ଓ ସୌନ୍ଦର୍ଯ୍ୟବୋଧ ସଂପର୍କରେ ମତାମତ ଦେଇଥିଲେ।
ଦ୍ୱିତୀୟ ଅଧିବେଶନରେ ସଭାପତିତ୍ୱ କରିଥିଲେ ଗାଳ୍ପିକ ଅଧ୍ୟାପକ ବିଶ୍ୱରଞ୍ଜନ। ବିନାୟକ ବନ୍ଦୋପାଧ୍ୟାୟ (ବଙ୍ଗଳା), ସାଧନା ବ୍ରହ୍ମ (ବୋଡ଼ୋ), ଅଶୋକ (ମୈଥିଳୀ) ଓ ଦେବପ୍ରସାଦ ଦାଶ (ଓଡ଼ିଆ) ପ୍ରମୁଖ ଏଥିରେ ଗଳ୍ପ ପାଠ କରିଥିଲେ। ପଠିତ ଗଳ୍ପ, କବିତାଗୁଡ଼ିକରେ ନିଜ ନିଜ ଅଞ୍ଚଳର ସଂସ୍କୃତି, ପରମ୍ପରା ସହିତ ସାଂପ୍ରତିକ ସମାଜର ବହୁବିଧ ସ୍ୱର ଅନୁରଣିତ ହୋଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସାହିତ୍ୟ ଅକାଦେମି କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ। ଆଜିର କାର୍ଯ୍ୟକ୍ରମରେ ବହୁ ଲେଖକ ଲେଖିକା, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆସନ୍ତାକାଲି ଦୁଇଟି ଅଧିବେଶନରେ ବହୁଭାଷୀ ଗଳ୍ପ ଓ କବିତା ପାଠ ସହିତ ଅନ୍ୟ ଏକ ଅଧିବେଶନରେ ପୂର୍ବାଞ୍ଚଳୀୟ ସାହିତ୍ୟରେ ସାଂପ୍ରତିକ ଧାରା ଶୀର୍ଷକରେ ଆଲୋଚନା କରାଯିବ।