ଭୁବନେଶ୍ବର : ପୂର୍ବାଞ୍ଚଳ ଜୋନାଲ୍ କାଉନ୍ସିଲ୍ର ୨୪ତମ ବୈଠକ ଆସନ୍ତା ଜାନୁଆରି ୩୧ ତାରିଖରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଓଡ଼ିଶା ଏହି ବୈଠକ ଆୟୋଜନ କରୁଛି। ଲୋକସେବା ଭବନେର ନବନିର୍ମିତ କନ୍ଭେନ୍ସନ୍ ହଲ୍ରେ ହେବାକୁ ଥିବା ଏହି ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ସିକିମର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏଥିରେ ଅଧ୍ୟକ୍ଷତା କରିବେ। ପାଞ୍ଚ ରାଜ୍ୟର ବହୁ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସଚିବଙ୍କ ସମେତ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ରହିବେ। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା ହେବ। ସିଏଏ, ଏନ୍ପିଆର୍ ଆଦି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବାର ସମ୍ଭାବନା ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ କିପରି ସମନ୍ବୟ ରହିବ, ତାହା ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ଓଡ଼ିଶା ଏହି ସମ୍ମିଳନୀ ଆୟୋଜନ କରୁଥିବାରୁ ଏହାକୁ ସଫଳ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି। ଏଥିପାଇଁ ପ୍ରଶାସନିକ ସ୍ତରରେ ସମୀକ୍ଷା ବୈଠକ କରାଯାଇ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଶେଷ ଥର ପାଇଁ ପୂର୍ବାଞ୍ଚଳ ଜୋନାଲ୍ କାଉନ୍ସିଲ୍ ବୈଠକ ୨୦୧୮ ଅକ୍ଟୋବର ମାସରେ କୋଲ୍କାତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତତ୍କାଳୀନ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ହୋଇଥିବା ସୁପାରିସ୍ କେତେଦୂର କାର୍ଯ୍ୟକାରୀ କରାଯାଇଛି, ତାହାର ସମୀକ୍ଷା କରିବା ପାଇଁ ଗତ ବର୍ଷ ଅକ୍ଟୋବର ମାସରେ ପାଟନାଠାରେ କାଉନ୍ସିଲ୍ର ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଷ୍ଟାଣ୍ଡିଂ କମିଟିରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ସଦସ୍ୟ ଅଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗ ଓ ସମନ୍ବୟ ବଢ଼ାଇବା ପାଇଁ ପାଞ୍ଚଟି ଜୋନାଲ୍ କାଉନ୍ସିଲ୍ ଗଠନ କରାଯାଇଛି। ସେଗୁଡ଼ିକ ହେଲା ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳ ଜୋନାଲ୍ କାଉନ୍ସିଲ୍। ଅର୍ଥନୈତିକ ଓ ସାମାଜିକ ଯୋଜନା, ସୀମା ବିବାଦ, ଆନ୍ତଃରାଜ୍ୟ ପରିବହନ ଆଦି ପ୍ରସଙ୍ଗରେ ଏହି କାଉନ୍ସିଲ୍ କେନ୍ଦ୍ରକୁ ବିଭିନ୍ନ ସୁପାରିସ୍ କରିପାରିବ।