ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ : ନେତୃତ୍ବ ନେଲେ ନବୀନ

ଟେଲିଫୋନ, ବ୍ୟାଙ୍କିଂ, ରେଳ, ସଡ଼କ ଯୋଗାଯୋଗରେ ପଛୁଆ
ଦୁର୍ବିପାକ ପ୍ରବଣ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା ଦାବି
୫୦% ଅର୍ଥ ସହିତ ମାଗଣା ଜମି ଯୋଗାଇଲେ ବି ରେଳ ପ୍ରକଳ୍ପ କାମ ଆଗଉନି

ଭୁବନେଶ୍ବର : ଭାରତବର୍ଷର ଆର୍ଥିକ ପ୍ରଗତିରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଭୂମିକା ଅତୁଳନୀୟ। ଦେଶକୁ ମାନ୍ୟୁଫାକଚରିଂ ଶିଳ୍ପ ଓ ଶକ୍ତି କ୍ଷେତ୍ରରେ ସ୍ବାବଲମ୍ବୀ କରିବାରେ ଖଣିଜ ସମ୍ପଦ ଭରା ଏସବୁ ରାଜ୍ୟମାନଙ୍କର ଅଧିକ ଅବଦାନ ରହିଛି। ତଥାପି ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଟେଲିଫୋନ୍‌ ଓ ଇଣ୍ଟର୍‌ନେଟ୍‌ ସେବା, ବ୍ୟାଙ୍କ ସେବା, ରେଳ ଓ ସଡ଼କ ଯୋଗାଯୋଗ କ୍ଷେତ୍ରରେ ସାନ୍ଦ୍ରତା କମ ରହିଛି। ଜାତୀୟ ସ୍ତରରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ପଛରେ ଅଛନ୍ତି ଏସବୁ ରାଜ୍ୟ। ଏବେ ସମୟ ଆସିଛି, ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନକୁ ଦୁଇଗୁଣ କରିବା ଦରକାର। ଯାହାଫଳରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ଜାତୀୟ ସ୍ତରରେ ସମକକ୍ଷ ହୋଇପାରିବେ। ଆଜି ଭୁବନେଶ୍ବରରେ ଅନୁଷ୍ଠିତ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବିକାଶ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଆଗରେ ଏପରି ଦାବି ରଖିଛନ୍ତି। ଏହାସହିତ କୋଇଲା ରୟାଲଟି ସଂଶୋଧନ ପାଇଁ ଦାବି କରିବା ସହ ଦୁର୍ବିପାକ ପ୍ରବଣ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟର ମାନ୍ୟତା ଦେବାକୁ ମଧ୍ୟ ପୁଣି ଥରେ ଦାବି ଦୋହରାଇଛନ୍ତି।

ଶୁକ୍ରବାର ଲୋକସେବା ଭବନର କନଭେନ୍‌ସନ୍‌ ସେଣ୍ଟରରେ ପୂର୍ବାଞ୍ଚଳ ପରିଷଦ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଯୋଗଦେବା ପାଇଁ ପରିଷଦର ସଦସ୍ୟ ଥିବା ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ (ଝା଼ଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟତୀତ), ମନ୍ତ୍ରୀ ଓ ସରକାରୀ ଅଧିକାରୀମାନେ ଜଣକ ପରେ ଜଣେ ପହଞ୍ଚିଥିଲେ। ସକାଳ ୧୦ଟା ୧୦ ମିନିଟ୍‌ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ରାଜ୍ୟ ଅର୍ଥମନ୍ତ୍ରୀ ରାମେଶ୍ବର ଓରାଓଁ ପହଞ୍ଚିଥିଲେ। ପରେ ୧୦ଟା ୩୦ ମନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୧୦ଟା ୪୫ ମିନିଟ୍‌ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ, ୧୦ଟା ୫୦ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଓ ଶେଷରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୦ଟା ୫୩ ମିନିଟରେ କନଭେନ୍‌ସନ୍‌ ସେଣ୍ଟରରେ ପହଞ୍ଚିଥିଲେ। ସମସ୍ତ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରା ଶାହଙ୍କୁ ଜଗନ୍ନାଥଙ୍କ ଭୂମିରେ ସ୍ବାଗତ ବୋଲି କହି ନିଜର ସ୍ବାଗତ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆନ୍ତଃରାଜ୍ୟ ଓ କେନ୍ଦ୍ର-ରାଜ୍ୟ ଭିତରେ ସୁସମ୍ପର୍କ ଆଣି ଜାତୀୟ ସଂହତି ସ୍ଥାପନ କରିବା ପୂର୍ବାଞ୍ଚଳ ପରିଷଦ ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ଏସବୁ ରାଜ୍ୟମାନଙ୍କର ଆର୍ଥିକ, ଭିତ୍ତିଭୂମି ଓ ବୈଷୟିକ କ୍ଷେତ୍ରଗୁଡ଼ିକର ବିକାଶକୁ ଏକୀକରଣ କରି ଏକ ସମନ୍ବୟ ଆସିଲେ ପରସ୍ପର ରାଜ୍ୟ ଭିତରେ ଏକ ପ୍ରକାର ଭାବଗତ ସଂହତି ସ୍ଥାପନ ହୋଇପାରିବ। ଏହି ଅବସରରେ ଆଞ୍ଚଳିକ ବିକାଶ ଓ ବିଶେଷକରି ଓଡ଼ିଶା ରାଜ୍ୟ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୨ ମସିହାରୁ କୋଇଲା ରୟାଲଟି ସଂଶୋଧନ ପାଇଁ ଓଡ଼ିଶା ଦାବି କରିଆସୁଛି। କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ ଆଦୌ କର୍ଣ୍ଣପାତ କରୁନାହାନ୍ତି। କୋଇଲା ରୟାଲଟି ତୁରନ୍ତ କେନ୍ଦ୍ର ସରକାର ବୃଦ୍ଧି କରନ୍ତୁ। କୋଇଲା ରୟାଲଟି ବୃଦ୍ଧି ନ କରି କେନ୍ଦ୍ର ସରକାର କ୍ଲିନ୍‌ ଏନର୍ଜି ସେସ୍‌ ଆଦାୟ କରୁଛନ୍ତି। କିନ୍ତୁ ଏଥିରେ ପ୍ରଦୂଷିତ ହେଉଥିବା ରାଜ୍ୟମାନଙ୍କୁ ଏହି ସେସ୍‌ର ଅଂଶ ମିଳୁନାହିଁ। କେନ୍ଦ୍ର ସରକାର ଆଦାୟ କରୁଥିବା ସେସ୍‌ ଅର୍ଥ ଦେବାକୁ ଓଡ଼ିଶା ବାରମ୍ବାର ଦାବି କରିଆସୁଛି। ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଭିତ୍ତିଭୂମିଗୁଡ଼ିକର ଦ୍ରୁତ ବିକାଶ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରାଯାଉ ବୋଲି ସେ ଦାବି କରିଥିଲେ ।

ହୋ, ଭୂମିଜ୍‌ ଓ ମୁଣ୍ଡାରି ସମ୍ପ୍ରଦାୟର ଜନଜାତି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଦାବି ଦୋହରାଇ କହିଥିଲେ ଯେ ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ। ଏସବୁ ଜନଜାତିଙ୍କ ଭାଷାକୁ ସମ୍ବିଧାନର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ତ୍ବରିତ୍‌ ପଦକ୍ଷେପ ନିଅନ୍ତୁ। ଫନି ବାତ୍ୟା ସମୟରେ କେନ୍ଦ୍ର ସରକାରଙ୍କ ତତ୍କାଳ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। କହିଥିଲେ ଯେ ଓଡ଼ିଶା ଗୋଟିଏ ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ। ବାରମ୍ବାର ଦୁର୍ବିପାକର ଶିକାର ହେଉଥିବା ରାଜ୍ୟକୁ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟର ମାନ୍ୟତା ଦିଆଯାଉ। ପୌରସଂସ୍ଥାମାନଙ୍କୁ ପ୍ରଦାନ କରାଯାଉଥିବା ଅନୁଦାନ ଅର୍ଥ କେନ୍ଦ୍ର ସରକାର ଏଯାଏ ଦେଇନାହାନ୍ତି। ସେହିପରି ଧାନ ସଂଗ୍ରହ ବାବଦରେ କେନ୍ଦ୍ର ସରକାରଙ୍କଠାରୁ ସବସିଡି ଅର୍ଥ ମିଳିନଥିବାରୁ ଚାଷୀଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ। ରାଜ୍ୟରେ ବିଭିନ୍ନ ରେଳ ପ୍ରକଳ୍ପ ବାବଦରେ ରାଜ୍ୟ ସରକାର ୫୦% ଅର୍ଥ ପ୍ରଦାନ କରିବା ସହ ମାଗଣା ଜମି ପ୍ରଦାନ କଲେ ବି ପ୍ରକଳ୍ପ କାମରେ ବିଳମ୍ବ ହେଉଛି। ଏସବୁ ଦାବିଗୁଡ଼ିକୁ କେନ୍ଦ୍ର ସରକାର ତୁରନ୍ତ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ।

ସମ୍ବନ୍ଧିତ ଖବର