ଆଜି ପୂର୍ବାଞ୍ଚଳ ପରିଷଦ ବୈଠକ : ଅମିତ ଶାହଙ୍କ ସହ ଏକାଠି ବସିବେ ନବୀନ, ନୀତୀଶ, ମମତା ଓ ସୋରେନ୍

ଭୁବନେଶ୍ବର : ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ନେଇ ଗଠିତ ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକ ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଲୋକସେବା ଭବନର ସମ୍ମେଳନ କକ୍ଷରେ ପୂର୍ବାହ୍ନ ୧୦ଟା ୪୦ମିନିଟ୍ ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ବସି ଆଲୋଚନା କରିବେ। ଏହି ପରିଷଦରେ ନବୀନ ଉପାଧ୍ୟକ୍ଷ ଅଛନ୍ତି। ତାଙ୍କୁ ଛାଡି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମମତା ୨୫ ତାରିଖରୁ ଓଡ଼ିଶା ଗସ୍ତରେ ଅଛନ୍ତି।

ପରିଷଦରେ ଏସବୁ ରାଜ୍ୟର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ସେହିଭଳି କେନ୍ଦ୍ର ସରକାରଙ୍କ ସଚିବ, ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ମଧ୍ୟ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ। ସେହିପରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କ୍ରୀଡ଼ାମନ୍ତ୍ରୀ ଅରୁପ ବିଶ୍ୱାସ ମଧ୍ୟ ଓଡ଼ିଶା ଆସିଛନ୍ତି।

ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବୈଠକରେ ପ୍ରାୟ ୫୦ଟି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ। ବିଶେଷକରି ଆନ୍ତଃରାଜ୍ୟ ଜଳବିବାଦ, ବିଦ୍ୟୁତ ସରବରାହ, କୋଇଲା ଖଣି ଗୁଡିକର ପରିଚାଳନା, ରୟାଲିଟି, ରେଳ ପ୍ରକଳ୍ପଗୁଡିକ ନିମନ୍ତେ ଭୂମି, ଜଙ୍ଗଲଗତ ମଞ୍ଜୁରି, ଜଘନ୍ୟ ଅପରାଧଗୁଡିକର ତଦନ୍ତ, ଦେଶ ଭିତରେ ଓ ସୀମାରେ ଗୋରୁ ଚାଲାଣ ଭଳି ସଙ୍ଗିନ୍ ପ୍ରସଙ୍ଗ ଉଠିପାରେ। ଏହାବ୍ୟତୀତ ଅଗମ୍ୟ ଅଞ୍ଚଳରେ ଦୂରସଞ୍ଚାର ଓ ବ୍ୟାଙ୍କିଙ୍ଗ୍ ସେବାର ଭିତ୍ତିିଭୂମି, ପେଟ୍ରୋଲିୟମ ପ୍ରକଳ୍ପ, କେନ୍ଦ୍ରୀୟ ରାଜସ୍ୱର ପରିବଣ୍ଟନ ଇତ୍ୟାଦି ପ୍ରସଙ୍ଗ ମଧ୍ୟ ତାଲିକାଭୁକ୍ତ େହାଇଛି।

ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ ଏହି ବୈଠକରେ କୋଇଲା ରୟାଲିଟି ବୃଦ୍ଧି, ରାଜ୍ୟର ୧୧ ହଜାର ଗାଁରେ ମୋବାଇଲ ସେବା ଉପଲବ୍ଧ ନଥିବା, ସବୁ ପଞ୍ଚାୟତରେ ବ୍ୟାଙ୍କିଂ ସେବା ଓ କ୍ଲିନ୍‌ ଏନର୍ଜି ସେସ୍‌ ପ୍ରସଙ୍ଗରେ ଓଡ଼ିଶା ସରକାର ଦାବି ଉପସ୍ଥାପନ କରିବେ।

୨୦୧୮ ଅକ୍ଟୋବର ପହିଲାରେ କୋଲକାତାଠାରେ ପୂର୍ବାଞ୍ଚଳ ପରିଷଦର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ୧୯୫୬ ରାଜ୍ୟ ପୁନର୍ଗଠନ ଆଇନର ୧୫ରୁ ୨୨ ଧାରା ଆଧାରରେ ୧୯୫୭ ମସିହାରେ ୫ଟି ଆଞ୍ଚଳିକ ପରିଷଦ ଗଠିତ ହୋଇଥିଲା। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରତ୍ୟେକ ଆଞ୍ଚଳିକ ପରିଷଦର ଅଧ୍ୟକ୍ଷତା କରୁଥିବା ବେଳେ ଆୟୋଜନକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାର ଦାୟିତ୍ୱ ତୁଲାଇଥାନ୍ତି। ପ୍ରତ୍ୟେକ ରାଜ୍ୟର ଦୁଇ ଜଣ ମନ୍ତ୍ରୀ ଏହାର ସଦସ୍ୟ ଭାବେ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି। କେନ୍ଦ୍ର ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ସଦସ୍ୟ ରାଜ୍ୟମାନଙ୍କ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ମନୋମାଳିନ୍ୟ ପରିଷଦରେ ଆଲୋଚନା ଦ୍ୱାରା ସମାଧାନ କରାଯାଇଥାଏ ।

ସମ୍ବନ୍ଧିତ ଖବର