କୁଣ୍ଡାରୁ ଖାଇବା ତେଲ, ଅଧିକ ୟୁନିଟ୍‌ ପ୍ରତିଷ୍ଠା ପାଇଁ ସରକାରଙ୍କ ଗୁରୁତ୍ବ

ଭୁବନେଶ୍ୱର : ଧାନକୁଣ୍ଡା ତେଲରେ ରୋଗ ପ୍ରତିରୋଧ କରିବା ଗୁଣ ରହିଛି। ଏହା ମଧ୍ୟ ଗୋଟିଏ ଲାଭଦାୟକ ବ୍ୟବସାୟ। ଏବେ ରାଜ୍ୟରେ ୧୨ଟି ଉତ୍ପାଦନ ୟୁନିଟ୍‌ ରହିଛି। ଚାହିଦା ମୁତାବକ ଅଧିକ ୟୁନିଟ୍‌ ପ୍ରତିଷ୍ଠା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଲୋକସେବା ଭବନରୁ ଡିଜିଟାଲ୍‌ ଜରିଆରେ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କୁଣ୍ଡା ଶିଳ୍ପର ବଜାର ଚାହିଦା ଓ ବିପଣନ ସୁଯୋଗର ସଠିକ୍‌ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୟୁନିଟ୍‌ଗୁଡ଼ିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପକୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପାଇପାରିବେ।

ବୈଠକରୁ ଜଣାପଡ଼ିଛି, ବୈଷୟିକ କୌଶଳ ପ୍ରୟୋଗ କରି ଧାନକୁଣ୍ଡାରୁ ତେଲ ପ୍ରସ୍ତୁତ କରାଯାଉଛି। ଫଳରେ ଏହା ଗୋଟିଏ ଲାଭକାରୀ ଉଦ୍ୟୋଗରେ ପରିଣତ ହୋଇଛି। ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରି କହିଥିଲେ, ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ନୀତି ଅନୁଯାୟୀ ଏହି ଉଦ୍ୟୋଗ ପାଇଁ ବହୁ ପ୍ରକାର ପ୍ରୋତ୍ସାହନ ଦିଆଯିବା ବ୍ୟବସ୍ଥା ରହିଛି। ଏଥିପାଇଁ ଦିଆଯାଉଥିବା ଋଣର ସୁଧ ବାବଦରେ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ୫% ରିହାତି ମିଳିବ। ସେହିପରି ଉତ୍ପାଦନ ହେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ଜିଏସ୍‌ଟି ଆଦାୟର ୭୫% ଫେରସ୍ତ କରାଯିବ। ଏହାସହିତ ସମୁଦାୟ ପୁଞ୍ଜି ବିନିଯୋଗର ଶତ ପ୍ରତିଶତ ଯାଏ ଏହି ବ୍ୟବସ୍ଥା ଲାଗୁ ରହିବ। ସେହିପରି ୫୦୦ କିଲୋ ଭୋଲ୍‌ଟ୍‌ର ବିଦ୍ୟୁତ ବ୍ୟବହାର ଉପରେ ୫ ବର୍ଷ ପର୍ଯ୍ୟନ୍ତ ଇଲେକ୍ର୍ଟିସିଟି ଡ୍ୟୁଟି ରିହାତି, ଗୁଣାତ୍ମକମାନ ପ୍ରମାଣ ପତ୍ର ପାଇଁ ଆର୍ଥିକ ସହାୟତା, ନିୟୋଜନ ମୂଲ୍ୟ ରିହାତି ଏବେ ବୈଷୟିକ କୌଶଳ ସମ୍ବନ୍ଧିତ ଜ୍ଞାନ ଆଦି ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି।

ଶିଳ୍ପ ନିର୍ଦ୍ଦେଶକ ରେଘୁ ଜି, ଜଣାଇଥିଲେ ଏବେସୁଦ୍ଧା ରାଜ୍ୟରେ ୧୨ଟି କୁଣ୍ଡା ତେଲ ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା ହୋଇଛି। ସେଥିରୁ ବରଗଡ଼ ଜିଲ୍ଲାରେ ୭ଟି, ଯାଜପୁରରେ ଗୋଟିଏ, ଖୋର୍ଦ୍ଧାରେ ଗୋଟିଏ ଓ ବାଲେଶ୍ବରରେ ୨ଟି ୟୁନିଟ୍‌ କାର୍ଯ୍ୟକ୍ଷମ ରହିଛି। ଏହି ଉଦ୍ୟୋଗଗୁଡ଼ିକୁ ଚଳିତ ବର୍ଷ ନଭେମ୍ବର ଶେଷସୁଦ୍ଧା ୧୧୧୫.୩୪ ଲକ୍ଷ ଟଙ୍କାର ବିଭିନ୍ନ ରିହାତି ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ବରିଷ୍ଠ ଅଧିକାରୀ ମଦନ ମୋହନ ପାତ୍ର କହିଥିଲେ, ପ୍ରତି କ୍ବିଣ୍ଟାଲ କୁଣ୍ଡାରୁ ପ୍ରାୟ ୮୦୦ ମିଲିଲିଟର ସ୍ବାସ୍ଥ୍ୟ ଉପଯୋଗୀ ଖାଇବା ତେଲ ଉତ୍ପାଦନ ହୋଇପାରୁଛି। ଅନ୍ୟାନ୍ୟ ରିଫାଇନ୍‌ ତେଲଠାରୁ ଏହି ତେଲ ଅଧିକ ଦାମରେ ବିକ୍ରି ହେଉଛି। ଏହି ୟୁନିଟ୍‌ ଧାନ ଉତ୍ପାଦନକାରୀ ଜିଲ୍ଲାମାନଙ୍କରେ ପ୍ରତିଷ୍ଠା କରିବା ପାଇଁ ଯଥେଷ୍ଟ ସୁଯୋଗ ରହିଥିବା ସେ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନାଙ୍କ ସମେତ ଏମ୍‌ଏସ୍‌ଏମ୍‌ଇ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର