ଭୁବନେଶ୍ବର : ରାଜ୍ୟରେ ଡାଲି ଓ ଖାଇବା ତେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଏପରିକି ଖାଇବା ତେଲ ଦର ଗତ ୭ବର୍ଷ ମଧ୍ୟରେ ପ୍ରାୟ ଦୁଇ ଗୁଣା ବଢ଼ିଯାଇଛି। ରାଜ୍ୟରେ ଖାଇବା ତେଲ ଓ ଡାଲି ଦର ବଢ଼ିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ଚଳିତବର୍ଷ କେନ୍ଦ୍ର ସରକାରଙ୍କର ଟିକସ ତଥା ଆମଦାନୀ ଓ ରତ୍ପାନୀ ନୀତି ଏବଂ ବିଭିନ୍ନ ଡାଲି ଜାତୀୟ ଶସ୍ୟ ଓ ତୈଳବୀଜର ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ଖାଇବା ତେଲ ଓ ଡାଲି ଦାମ୍ ବଢ଼ିଛି। ଏହାବ୍ୟତୀତ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ବାହାର ରାଜ୍ୟରୁ ଆମଦାନୀ କରାଯାଉଥିବା ଡାଲି ଓ ଖାଇବା ତେଲର ପରିବହନ ଖର୍ଚ୍ଚରେ ବୃଦ୍ଧି ଘଟିବାରୁ ଏହା ପରୋକ୍ଷରେ ଖାଇବା ତେଲ ଓ ଡାଲିର ମୂଲ୍ୟ ବୃଦ୍ଧିରେ ସହାୟକ ହୋଇଥିଲା।
ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୧୪ ସେପ୍ଟେମ୍ବର ୧ରେ ହରଡ଼ ଡାଲି (ଦ୍ବିତୀୟ କିସମ) କେଜି ପିଛା ଦାମ୍ ୭୪ଟଙ୍କା ଥିବାବେଳେ ସେପ୍ଟେମ୍ବର ୧, ୨୦୨୧ରେ ଏହା ୧୦୦ଟଙ୍କା ହୋଇଛି। ମୁଗଡାଲି (ଦ୍ବିତୀୟ କିସମ) କେଜି ପିଛା ଦାମ୍ ୮୫ଟଙ୍କା ଥିବାବେଳେ ଏବେ ୯୬ଟଙ୍କା, ବୁଟ ଡାଲି (ଦ୍ବିତୀୟ କିସମ) କେଜି ପିଛା ୪୪ଟଙ୍କା ଥିବାବେଳେ ଏବେ ୭୧ଟଙ୍କା। ସୋରିଷ ତେଲ କେଜି ୮୯ଟଙ୍କା ଥିବାବେଳେ ଏବେ ୧୯୧ଟଙ୍କା, ପାମୋଲିନ ତେଲ ୬୭ଟଙ୍କା ଥିବାବେଳେ ଏବେ ୧୫୦ଟଙ୍କା, ସୂର୍ଯ୍ୟମୁଖୀ ତେଲ ୮୬ଟଙ୍କା ଥିବାବେଳେ ଏବେ ୧୭୦ଟଙ୍କା ହୋଇଛି। ଦରଦାମ୍ ବଢ଼ିଥିଲେ ବି କେଜି ପିଛା ୫୦ଟଙ୍କା ସବ୍ସିଡି ଘୋଷଣା କରିବା ବିଭାଗ ପରିସରଭୁକ୍ତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/oil.png)