ବାଲେଶ୍ବର: ବାଲେଶ୍ବର ଲୋକଙ୍କ ପାଇଁ ଯେକୌଣସି ସମସ୍ୟା ହେଉନା କାହିଁକି ତତ୍ପରତାର ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥାନ୍ତି। ଖାଲି ସମସ୍ୟା ନୁହେଁ, ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ହେଉ କି ସୂଚନା, ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅହରହ ଚେଷ୍ଟା କରିଥାନ୍ତି। ଏମିତିକି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କରି ସମସ୍ୟା ସଂପର୍କରେ ଜଣାଇ ସମାଧାନ କରିବାକୁ ଚାହିଁଥାନ୍ତି। ବହୁ ଲୋକ ଏଥିରେ ଉପକୃତ ହୋଇଥିବାରୁ ସବୁବେଳେ ନିଜର ଓ ଅନ୍ୟମାନଙ୍କ ସମସ୍ୟା ଜାଣିଲେ ସେମାନେ ଏହି ଗ୍ରୁପ୍କୁ ଜଣାଇଥାନ୍ତି। ବିଭିନ୍ନ ସରକାରୀ ବିଭାଗ ବି ଏହି ଗ୍ରୁପ୍ ମାଧ୍ୟମରେ ସମସ୍ୟା ସଂପର୍କରେ ଜାଣି ପଦକ୍ଷେପ ନେବାର ନଜରି ରହିଛି। ବାଲେଶ୍ବରବାସୀଙ୍କ ପାଇଁ କାମ କରିବା ଏବଂ ସେମାନଙ୍କୁ ସବୁ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ଏହି ଗ୍ରୁପ୍ର ମୁଖ୍ୟ ଉଦ୍ଦେଶ୍ୟ।
ବଡ଼କଥା ହେଲା, ଏଥିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସହିତ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ମ୍ୟୁନିସିପାଲିଟି, ଶ୍ରମ କାର୍ଯ୍ୟାଳୟ, ଭିଜିଲାନ୍ସ କାର୍ଯ୍ୟାଳୟ, ପୁଲିସ ଥାନା, ନେସ୍କୋ(ବର୍ତ୍ତମାନ ଟିପିଏନ୍ଓଡିଏଲ୍) କାର୍ଯ୍ୟାଳୟରେ ଚାକିରି କରିଥିବା କର୍ମଚାରୀ ସାମିଲ ହୋଇଛନ୍ତି। ସେହିପରି ଘରୋଇ ଅନୁଷ୍ଠାନରେ ଚାକିରି କରିଥିବା କର୍ମଚାରୀ ବି ଏଥିରେ ସାମିଲ ହୋଇଛନ୍ତି। କିଛିବର୍ଷ ତଳେ ବାଲେଶ୍ବରବାସୀଙ୍କ ପାଇଁ କାମ କରିବା ଉଦ୍ଦେଶ୍ୟରେ କିଛି ସାଙ୍ଗଙ୍କ ମିଳିତ ଉଦ୍ୟମରେ ଟ୍ୟୁଟରରେ ଏହି ଗ୍ରୁପ୍ ତିଆରି କରାଯାଇଥିଲା। ଯାହାର ନାମ ‘ଏବାଉଟ୍ ବାଲେଶ୍ବର’।
ଏହି ଗ୍ରୁପ୍ରେ ରହିଥିବା ସମସ୍ତ ସଦସ୍ୟ ନିଜ ନିଜ କ୍ଷେତ୍ରରେ ଥିବା ସୋର୍ସ ଜରିଆରେ ଗରିବ, ଅସହାୟ ଲୋକଙ୍କୁ ସରକାରୀ ଓ ବେସରକାରୀ ସାହାଯ୍ୟ ସୁବିଧା ଯୋଗାଇ ଦେଉଛନ୍ତି। ସମସ୍ତ ସରକାରୀ ସଂସ୍ଥାରୁ ଜଣେ ଜଣେ ଭଲ କର୍ମଚାରୀଙ୍କୁ ନିଜ ଗ୍ରୁପ୍ରେ ସାମିଲ କରି ତାଙ୍କ ଦ୍ବାରା ଲୋକମାନଙ୍କ କାମ କରୁଛନ୍ତି। ଦୂରରେ ରହିଲେ ବି ସୋସିଆଲ ମିଡିଆରେ କିମ୍ବା କାହା ମାଧ୍ୟମରେ ଲୋକଙ୍କ ଅସୁବିଧା ଜାଣିଲେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ଏହି ଗ୍ରୁପ୍ ଜରିଆରେ ପାଖାପାଖି ୩ ଶହରୁ ଅଧିକ ସମସ୍ୟାର ସମାଧାନ କରାଯାଇଥିବା ଜଣାଯାଇଛି। ନିକଟରେ ସୋର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି କର୍ଣ୍ଣାଟକରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହଣାଇଥିଲେ। ଆଜିପର୍ଯ୍ୟନ୍ତ ସେ କରୋନା ସହାୟତା ପାଇନଥିଲେ। ଏହି ଗ୍ରୁପ୍ର ସଦସ୍ୟ ଜାଣିବା ପରେ କର୍ଣ୍ଣାଟକ ସରକାରୀ ଅଧିକାରୀଙ୍କ ସହ କଥା ହୋଇ ସମସ୍ତ କାଗଜପତ୍ର ପ୍ରଦାନ କରି ୫୦ ହଜାର ଟଙ୍କା କୋଭିଡ୍ ସହାୟତା ସ୍ବର୍ଗତ ମହାନ୍ତଙ୍କ ପରିବାରକୁ ମିଳିପାରିଛି।
ସେହିପରି ଖଇରା ଅଞ୍ଚଳର ଗୋବିନ୍ଦ ଜେନା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଖଇରା ତହସିଲଦାରଙ୍କୁ କହି ତାଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା। ସେହିପରି ସୋର ଅଞ୍ଚଳର ଆୟୂଷ ନାମକ ଜଣେ ବାଳକ ହାର୍ଟ ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁନଥିଲେ। ଏହି ଗ୍ରୁପ୍ର ସଦସ୍ୟମାନେ ତାଙ୍କର ଚିକିତ୍ସା ବ୍ୟବସ୍ଥା କରିପାରିଥିଲେ। ସେହିପରି ବାଲେଶ୍ବରର ଜଣେ ୧୯ ବର୍ଷର ବାଳିକା ଅସ୍ତ୍ରୋପଚାର ପାଇଁ ୬ ଲକ୍ଷ ଟଙ୍କା ଦରକାର ପଡ଼ୁଥିବା ବେଳେ ଏହି ଗ୍ରୁପ୍ର ସଦସ୍ୟମାନେ ଜାଣି ଅଧଘଣ୍ଟା ଭିତରେ ତହସିଲଦାରଙ୍କୁ କହି ଆୟ ପ୍ରମାଣପତ୍ର ବାହାର କରି ଚିକିତ୍ସା ସୁବିଧାର ବ୍ୟବସ୍ଥା ପରିପାରିଥିଲେ। ଏମିତି ଅନେକ ଲୋକଙ୍କର ସମସ୍ୟାକୁ ସମାଧାନ କରି ସାଧାରଣରେ ପ୍ରଶଂସା ସାଉଟିଛନ୍ତି। ତେବେ ଗ୍ରୁପ୍ର ସଦସ୍ୟମାନେ ନିଜ ନାମ ପ୍ରକାଶ କରିବାକୁ ଅରାଜି ହୋଇଛନ୍ତି। ଲୋକଙ୍କ ପାଇଁ କାମ କରୁଛୁ ଏହା ଆମ ପାଇଁ ବଡ଼ କଥା ବୋଲି ସଦସ୍ୟମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/11-8.jpg)