ନିର୍ବାଚନ ପାଇଁ ଟାସ୍କ ବାଣ୍ଟିଲେ କମିସନର୍

ଜିଲ୍ଲାପାଳ, ଏସ୍‌ପିଙ୍କୁ ନେଇ ମାନସ ମନ୍ଥନ, ଭିଭିପ୍ୟାଟ୍ ବ୍ୟବହାର ଉପରେ ବ୍ୟାପକ ସଚେତନତା କରାଯିବ, ଅପରାଧୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର : ସାଧାରଣ ନିର୍ବାଚନ ଖୁବ୍ କମ୍ ଦିନ ଥିଲା ବେଳେ ପ୍ରଶାସନିକ ସ୍ତରରେ ‌ପ୍ରସ୍ତୁତି ଜୋର୍‌ଦାର୍ ହୋଇଛି। ନିର୍ବାଚନକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ନିର୍ବାଚନ କମିସନର୍ ଅଶୋକ ଲାଭାସାଙ୍କ ନେତୃତ୍ବରେ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ହୋଟେଲ୍ ମେ ଫେୟାରେ ରାଜ୍ୟର ସବୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ରାଜସ୍ବ କମିସନର୍ ଏବଂ ଉପ ଆରକ୍ଷୀ ମହାନୀରିକ୍ଷକମାନଙ୍କୁ ନେଇ ଏହି ପ୍ରତିନିଧି ଦଳ ସମୀକ୍ଷା ବୈଠକ କରିଥିଲେ। ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଅଧିକାରୀମାନଙ୍କୁ ଟାସ୍କ ବାଣ୍ଟିଥିଲେ କମିସନର୍। ନିର୍ବାଚନ ପୂର୍ବରୁ ନିର୍ଦ୍ଦିଷ୍ଟ ଭାବେ କି କି ପଦକ୍ଷେପ ନିଆଯିବ, ତାହା ଗୋଟି ଗୋଟି କରି ବୁଝାଇବା ସହ ସମୟସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଜାରି କରିଥିଲେ।

ପ୍ରଥମ ଥର ପାଇଁ ଆସନ୍ତା ନିର୍ବାଚନରେ ଇଭିଏମ୍‌ ସହ ଭିଭିପ୍ୟାଟ୍‌ର ବ୍ୟବହାର ହେବାକୁ ଥିବାରୁ ଏଥି ପ୍ରତି ଭୋଟର୍‌ମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏଥି ନିମନ୍ତେ ମକ୍ ପୁଲିଙ୍ଗ ଆୟୋଜନ କରିବା ସହ କମିସନ୍‌ଙ୍କ ନି‌େର୍ଦ୍ଦଶ ମୁତାବକ ଜିଲ୍ଲାରେ ଭୋଟ୍ ଗ୍ରହଣ ପାଇଁ ଇଭିଏମ୍ ଓ ଭିଭିପ୍ୟାଟ୍ ଯନ୍ତ୍ର ଗଚ୍ଛିତ ରଖିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ କମିସନର୍ ନିର୍ଦ୍ଦେଶ ‌େଦଇଥିଲେ।

ନିର୍ବାଚନ ପୂର୍ବରୁ ଜିଲ୍ଲାରେ ଅବକାରୀ ବିଭାଗ ଜରିଆରେ ମଦ ତିଆରି ଭାଟିରେ ଚଢ଼ାଉ ସହ ମଦ ଜବତ କରିବା, ଜିଲ୍ଲାରେ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କ ନିକଟରୁ ବନ୍ଧୁକ ଫେରସ୍ତ ଆଣିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ କମିସନର୍ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ପୂର୍ବରୁ ଦାଗି ଅପରାଧୀମାନଙ୍କ ବିରୋଧରେ ଥିବା ଜାମିନବିହୀନ ପରୱାନକୁ କାର୍ଯ୍ୟକାରୀ କରି ଅପରାଧୀମାନଙ୍କୁ ଗିରଫ କରି ତୁରନ୍ତ ଜେଲ୍‌ରେ ରଖିବାକୁ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ନକ୍ସଲ ଉପଦ୍ରୁତ ଓ ରାଜ୍ୟ ସୀମାରେ ଥିବା ବୁଥ୍‌ଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିବା ନିମନ୍ତେ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ କୁହାଯାଇଥିଲା।

ଚଳିତ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ନୂଆ ଭୋଟର୍‌ମାନଙ୍କୁ ଭୋଟର୍ ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଚଳିତ ମାସ ଶେଷ ସୁଦ୍ଧା ସାରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗମନାଗମନ ଓ ବିଦ୍ୟୁତ ସଂଯୋଗର ସୁବିଧା ନ ଥିବା ବୁଥ୍‌ଗୁଡ଼ିକରେ ନିର୍ବାଚନ ପୂର୍ବରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସଂପୃକ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସମ୍ପନ୍ନ କରିବା ନିମନ୍ତେ ଜିଲ୍ଲାରେ ଆବଶ୍ୟକ ମୁତାବକ ଫୋର୍ସ ମୁତୟନ ଉପରେ କମିସନର୍‌ ଗୁରୁତ୍ବାରୋପ କରିଛନ୍ତି। ପ୍ରାର୍ଥୀମାନଙ୍କ ଦ୍ବାରା ନିର୍ବାଚନରେ ଖର୍ଚ୍ଚ କରାଯାଉଥିବା ଟଙ୍କା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଫ୍ଲାଇଙ୍ଗ୍ ସ୍କ୍ବାର୍ଡ ଏବଂ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଦ୍ବାରା ଚଢ଼ାଉ ଉପରେ ଗୁରୁତ୍ବାରୋପ କରାଯାଇଛି। ଜିଲ୍ଲାରେ ଥିବା ଦିବ୍ୟାଙ୍ଗ ଭୋଟର୍‌ମାନେ ସବୁ ବୁଥ୍‌ରେ ଯେପରି ସୁବିଧାରେ ଭୋଟ୍ ଦେଇପାରିବେ, ସେଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ କମିସନର୍ ନିର୍ଦ୍ଦେଶ ଦେଇଥିଲେ।

ସମୀକ୍ଷା ବୈଠକରେ କେନ୍ଦ୍ରୀୟ ଉପ ନିର୍ବାଚନ କମିସନର୍ ଚନ୍ଦ୍ରଭୂଷଣ କୁମାର, ନିର୍ବାଚନ କମିସନ୍‌ଙ୍କ ନିର୍ବାଚନ ଖର୍ଚ୍ଚ ମହାପ୍ରବନ୍ଧକ ଡି କେ ଶର୍ମା, ପିଆଇ ଏଡିଜି ଶେଫାଳୀ ଶରଣ, ନି‌େର୍ଦ୍ଦଶକ ନିଖିଲ କୁମାର ଓ ସଚିବ ରାକେଶ କୁମାର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସଂକ୍ଷିପ୍ତ ସୂଚନା ଦେଇଥିଲେ। ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ୍ ରାମଚନ୍ଦ୍ର ଯାଦବ ଓ ଅଭୟ କୁମାର ନାୟକ ଉପସ୍ଥିତ ରହି ସମୀକ୍ଷା ବୈଠକରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର