ବାତ୍ୟାଜନିତ ବର୍ଷାରୁ ଇଭିଏମ ସୁରକ୍ଷା ପାଇଁ ସିଇଓଙ୍କ ଚିନ୍ତା : ୧୪ ଜିଲ୍ଲାରେ ଷ୍ଟ୍ରଙ୍ଗରୁମ ମରାମତି କରାଗଲା, ୩ ନିର୍ବାଚନମଣ୍ଡଳୀର ଇଭିଏମ ସ୍ଥାନାନ୍ତର

ଭୁବନେଶ୍ବର : ବାତ୍ୟା ଫନି ଯୋଗୁ ବର୍ଷାରେ ୩୦ଟି ଜିଲ୍ଲାର ଷ୍ଟ୍ରଙ୍ଗରୁମରେ ସଂରକ୍ଷିତ ଥିବା ଇଭିଏମ ଓ ଭିଭିପାଟ ମେସିନ ସୁରକ୍ଷା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ଷା ପାଣି ଷ୍ଟ୍ରଙ୍ଗରୁମରେ ପଶିଯିବା ଆଶଙ୍କା କରି ପାରଳାଖେମୁଣ୍ଡି ସ୍ଥିତ ଏମ.ଆର ବାଳକ ଉଚ୍ଚବିଦ୍ୟାଳୟରେ ମୋହନା ବିଧାନସଭା ନିର୍ବାଚନମଣ୍ଡଳୀ ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଇଭିଏମ ସଂରକ୍ଷିତ କରାଯାଇଥିବା ଷ୍ଟ୍ରଙ୍ଗରୁମରୁ ସ୍ଥାନାନ୍ତର କରାଯାଇ ପାରଳାଖେମୁଣ୍ଡିରେ ଥିବା ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଗୋଦାମ ଗୃହରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି। ସେହିପରି ନିର୍ବାଚନ କମିସନଙ୍କ ଅନୁମୋଦନ କ୍ରମେ ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀର ଇଭିଏମକୁ ଜଗତସିଂହପୁରସ୍ଥିତ ଏସଭିଏମ କଲେଜର ତଳମହଲା ଷ୍ଟ୍ରଙ୍ଗରୁମରୁ ସ୍ଥାନାନ୍ତର କରାଯାଇ ପ୍ରଥମ ମହଲାକୁ ଅଣାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିସ ଅନୁଯାୟୀ ଖୋର୍ଦ୍ଧା, ଗଞ୍ଜାମ, ଢେଙ୍କାନାଳ, ଭଦ୍ରକ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, ବୌଦ୍ଧ ଏବଂ ରାୟଗଡ଼ା ଜିଲ୍ଲାରେ ଥିବା ଷ୍ଟ୍ରଙ୍ଗରୁମ ଗୁଡ଼ିକରେ ବର୍ଷା ପାଣି ନପଶିବା ପାଇଁ ମରାମତି କରାଯିବା ସହ ପାଣି ଛିଟକା ନପଡ଼ିବା ପାଇଁ ଅସ୍ଥାୟୀ କାନ୍ଥ ଓ ଵାଟର ପ୍ରୁଫ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଏସବୁ ଜିଲ୍ଲାର ଷ୍ଟ୍ରଙ୍ଗରୁମ ସହିତ ସମସ୍ତ ୩୦ଟି ଜିଲ୍ଲାରେ ଷ୍ଟ୍ରଙ୍ଗରୁମ ସୁରକ୍ଷିତ ଥିବା ନେଇ ଜିଲ୍ଲାପାଳଙ୍କଠୁ ମିଳିଥିବା ପ୍ରମାଣପତ୍ରକୁ ଭାରତ ନିର୍ବାଚନ କମିସନଙ୍କ ପାଖକୁ ପଠାଇଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର